Advertisment

ଅନ୍ତର୍ଦହନ

ପୃଥିବୀରେ ଥିବା ୧୯୪ ଟି ରାଷ୍ଟ୍ର ମଧ୍ୟରୁ ଗୋଟିଏ ଦେଶ ହେଉଛି ଭାରତ ଏବଂ ଅନ୍ୟସବୁ ବିଦେଶ। ଆମ ଦେଶ ଭାରତ ବର୍ଷର ସରକାର ୨୨ଟି ଭାଷାକୁ ସାମ୍ବିଧାନିକ ଭାଷାର ମାନ୍ୟତା ଦେଇଛନ୍ତି। ଯଦି ଆଉ ଗୋଟିଏ ଭାଷାକୁ ସାମ୍ବିଧାନିକ ଭାଷାର ମାନ୍ୟତା ମିଳିଯାଏ, ତାହାହେଲେ ଭାରତ ୧୨୫ କୋଟି ଜନତାର ନହୋଇ, ପୃଥିବୀର ଗୋଟିଏ ବଡ ଜନବହୁଳ ରାଷ୍ଟ୍ରର ମାନ୍ୟତା ପାଇ ପାରନ୍ତା। ସେ ଭାଷା ହେଉଛି “ପ୍ରେମର ଭାଷା”। ଆରମ୍ଭରୁ ମୁଁ କହି ରଖେ […]

ଅଦ୍ୟତନ ହୋଇଛି
ଅନ୍ତର୍ଦହନ

shortstory

Advertisment

ପୃଥିବୀରେ ଥିବା ୧୯୪ ଟି ରାଷ୍ଟ୍ର ମଧ୍ୟରୁ ଗୋଟିଏ ଦେଶ ହେଉଛି ଭାରତ ଏବଂ ଅନ୍ୟସବୁ ବିଦେଶ। ଆମ ଦେଶ ଭାରତ ବର୍ଷର ସରକାର ୨୨ଟି ଭାଷାକୁ ସାମ୍ବିଧାନିକ ଭାଷାର ମାନ୍ୟତା ଦେଇଛନ୍ତି। ଯଦି ଆଉ ଗୋଟିଏ ଭାଷାକୁ ସାମ୍ବିଧାନିକ ଭାଷାର ମାନ୍ୟତା ମିଳିଯାଏ, ତାହାହେଲେ ଭାରତ ୧୨୫ କୋଟି ଜନତାର ନହୋଇ, ପୃଥିବୀର ଗୋଟିଏ ବଡ ଜନବହୁଳ ରାଷ୍ଟ୍ରର ମାନ୍ୟତା ପାଇ ପାରନ୍ତା। ସେ ଭାଷା ହେଉଛି “ପ୍ରେମର ଭାଷା”। ଆରମ୍ଭରୁ ମୁଁ କହି ରଖେ ଯେ, ମୁଁ ପ୍ରେମର ସମ୍ପୂର୍ଣ୍ଣ ବିରୋଧୀ ନୁହେଁ। କିନ୍ତୁ ଆଜିକାଲିର ଫେସନ୍‌ ଦୁନିଆରେ ରିଲ୍‌ ଜୀବନରେ ନାୟକ ଓ ନାୟିକାଙ୍କ ପ୍ରେମ ରୋମାନ୍ସ ଭଳି ଆମର ରିୟଲ ତଥା ତେଲ ଲୁଣ ଭିତ୍ତିକ ଜୀବନରେ ମଧ୍ୟ ପ୍ରେମ ରୂପକ କଳିଯୁଗ ଗ୍ରାସିଗଲାଣି। ଯାହାର ଫଳ ସ୍ୱରୂପ ମନୁଷ୍ୟ ମନର ଅନ୍ତର୍ଗହନର କଥାକୁ ଜାଣିବା ଦୁଃସାଧ୍ୟ ମନେହେଲାଣି। ଚିରାଚରିତ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଏହି ପବିତ୍ର ଶବ୍ଦର ବ୍ୟବହାର କଥା ଛାଡନ୍ତୁ, ଏହି ଶବ୍ଦକୁ ସମ୍ମାନ ଦବା ବି ଶିଖି ନାହାନ୍ତି। ସାହିତ୍ୟରେ ଏକ ପ୍ରବାଦ ଅଛି “କବି ଯେ ସତକୁ ମିଛ କରି କହନ୍ତି, କବିତ୍ୱ ଚାତୁରୀରେ ମନ ମୋହନ୍ତି”। କିନ୍ତୁ ମୁଁ ଏଠାରେ କୌଣସି ଚାତୁରୀ ଦେଖାଇବାର ପ୍ରୟାସରେ ନାହିଁ। ବରଂ ସେହି ସମାଜରେ ଥିବା ଅନେକ ଚରିତ୍ର ମଧ୍ୟରୁ ଦୁଇଟି ଚରିତ୍ର ତଥା ସେମାନଙ୍କ ଆଖପାଖରେ ଥିବା କିଛିଟି ଚରିତ୍ରକୁ ଘେନି ଦୁଇଟି ମନ ମଧ୍ୟରେ ଥିବା “ଅନ୍ତର୍ଦହନ” କୁ ଲୋକ ଲୋଚନକୁ ଆଣିବାର ପ୍ରୟାସ  କରୁଛି।

Advertisment

ପ୍ରଣିତା ପିଲାଟି ଦିନରୁ ଦେଖୁଥିଲା ତାର ଚତୁଃପାର୍ଶ୍ୱରେ ଥିବା ପରିବେଶର ଅପରୂପ ଦୃଶ୍ୟ। କିନ୍ତୁ ସେ ଯେ କ’ଣ ଭାବୁଥିଲା, କ’ଣ କରୁଥିଲା ତାହା ଜାଣିପାରୁନଥିଲା। ତା’ର ପରିବାର କହିଲେ ଭାଇ ଓ ଭଉଣୀ ଦୁଇଜଣ ଥିଲେ। ବାପା ଜଣେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ। ତେଣୁ ପିଲାଙ୍କର କୌଣସିରେ ଅବହେଳା କରୁନଥିଲେ। କିନ୍ତୁ ସବୁ ଥାଇ ଯେପରିନିଃସ୍ୱ ଠିକ୍‌ ସେଭଳି ଥିଲା ତାଙ୍କର ଅବସ୍ଥା। କିଛିଟା ବଦଭ୍ୟାସ ପାଇଁ ପିଲାମାନେ ତାଙ୍କଠାରୁ ପ୍ରାୟତଃ ଦୂରେଇ ରହୁଥିଲେ। କିନ୍ତୁ ସେଥିପାଇଁ ତାଙ୍କର କୌଣସି ପ୍ରକାର ଖାତିର୍‌ ନଥିଲା। ମାଁ କିନ୍ତୁ ମାଁହି ଅଟନ୍ତି, ପ୍ରତି ମା’ର କାହାଣୀ ଲୁଚି ରହିଥାଏ ତାଙ୍କ ମନ ଅଗୋଚରରେ, ଆଉ ତା’ର କୌଣସି ଶେଷ ନଥାଏ। ପ୍ରଣିତାର ସାନଭାଇ ପ୍ରତ୍ୟୁଷ। ଦୁହେଁ ଖୁବ୍‌ ଭଲ ବନ୍ଧୁ, ପରସ୍ପର ମଧ୍ୟରେ ସ୍ନେହର ପଟ୍ଟାନ୍ତର ନାହିଁ। ପଢାପଢି, ଖେଳକୁଦ, ହସଖୁସିରେ ଦିନଗୁଡିକୁ କାଟିଦିଅନ୍ତି। ତଳ ଉପର ଭାଇ ଭଉଣୀ ମିଶିକି ବିଦ୍ୟାଳୟକୁ ଯା’ନ୍ତି। ବାପା ପିଲାଙ୍କ ପାଠ ପଢାକୁ ନେଇ ବେଶ୍‌ ସଜାଗ୍‌ ଥା’ନ୍ତି। ତେଣୁ ପାଠ ପଢାରେ ଟିକିଏ ବି ଛଟେଇ ଦେଖିବାକୁ ପସନ୍ଦ କରନ୍ତିନି। ଏପଟେ ପ୍ରଣିତାର ମନ ଅସୁମାରୀ ଅବାସ୍ତବତା ଭିତରେ ବଞ୍ଚି ରହିଥାଏ। ପ୍ରତିଟି ମୁହୂର୍ତ୍ତର ଘଟଣା ତଥା ଦୃଶ୍ୟ ମଧ୍ୟରେ ଖୋଜେ ଭିନ୍ନ ଏକ ଇଲାକା। ଇତି ମଧ୍ୟରେ ପ୍ରଣିତା ବହୁ ଘାତ, ପ୍ରତିଘାତ ତଥା ସଂଘାତ ଦେଇ ନିଜ ମନରେ ଥିବା ବିପ୍ଳବ ଭାବକୁ ରଖି ଯୌବନରେ ପଦାର୍ପଣ କଲା ବେଳକୁ ତା’ର ମନ ନିରୀହତା ପରିବର୍ତ୍ତେ ନିଷ୍ଠୁରତାରେ ପରିଣତ ହୋଇ ସାରିଥାଏ। ତଥାପି ବେଳେ ବେଳେ ତା’ର ନିଷ୍ଠୁରତା ରୂପକ ମରୁବାଲିରେ ଶ୍ରାବଣର ଧାରା ବଳବତ୍ତର ରହିଥାଏ।

ବି.ଏ. ପ୍ରଥମ ଶ୍ରେଣୀ ରଖି ପାସ୍‌ କରିଥିବାରୁ ସ୍ନାତକୋତ୍ତର ପଢିବାର ସୁଯୋଗ ପାଇଥିଲା। ଏହି ସ୍ନାତକୋତ୍ତରର ପ୍ରଥମ ପର୍ଯ୍ୟାୟରୁ ହିଁ ତାର ଜୀବନର ବିପର୍ଯ୍ୟୟ ଆରମ୍ଭ ହୁଏ। ଅର୍ଥାତ୍‌ ହଠାତ କୌଣସି କାର୍ଯ୍ୟ ବଶତଃ ତାର ଭେଟ ହୁଏ ମଳୟ ସହ। ଦୁହେଁ ପରସ୍ପରକୁ ଭେଟ ହୁଅନ୍ତି ଜୀବନର ପ୍ରଥମ ମଳୟର ଶେଷ ପର୍ଯ୍ୟାୟରେ। ଏ ପର୍ଯ୍ୟାୟ କିନ୍ତୁ ପ୍ରେମରେ ପଡିବାର ସମୟ ନୁହେଁ। ଫିର୍‌ଭି ଦୁହିଁଙ୍କ ଭିତରେ ଗୋଟିଏ ପ୍ରକାର ଭିନ୍ନ ଏକ ଧରଣର ସମ୍ପର୍କ ଗଢି ଉଠେ। ଦୁଇ ଜଣଙ୍କ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭିନ୍ନ, ଯେମିତିକି ପୂର୍ବ ଆଉ ପଶ୍ଚିମ। ଯାହାଙ୍କର ଦୂରରୁ ଦର୍ଶନ ସିନା ସମ୍ଭବ କିନ୍ତୁ ମିଳନ ଅସମ୍ଭବ। ଦୁଇ ଜଣଙ୍କ ମଧ୍ୟରେ ଜମାରୁ ପଡେନି କିନ୍ତୁ କଥା ହୁଅନ୍ତି ଘଣ୍ଟା ଘଣ୍ଟା। ଗୋଟିଏ ଦିନ କଥା ନହେଲେ ଯେମିତିକି ବର୍ଷଟେ କଥା ନହେଲା ଭଳି ଲାଗେ।  ଦୁହିଁଙ୍କ କଥା ମଧ୍ୟରେ କୌଣସି ପ୍ରକାର ପ୍ରେମ ଭାବର ଶବ୍ଦ ନଥିଲା ବରଂ ଜଣେ ଅନ୍ୟ ଜଣର କଥାକୁ କାଟେ। ଫଳରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡା ହୁଏ। ଯେହେତୁ ପ୍ରଣିତା ସ୍ନେହ କାଙ୍ଗାଳୀ ଥିଲା ଇତି ମଧ୍ୟରେ ମଳୟ ଜାଣିପାରିଥିଲା। ଏବଂ ସେ ବେଳେ ବେଳେ ତାକୁ ଏପରି କିଛି କଥା କହିଦିଏ ଯାହା ଫଳରେ କି ପ୍ରଣିତାର ମନ ଭାଙ୍ଗିଯାଏ। କିନ୍ତୁ ପ୍ରଣିତା ମଳୟକୁ କିଛି କହିପାରେ ନାହିଁ। ତାର ଗାଳି ଓ କଟୁ କଥା ଭିତରେ ମଧ୍ୟ ସେ ତା ମନ ଗହନର ତଥା ବହୁ ଦିନରୁ ପ୍ରତ୍ୟାଶିତ ବନ୍ଧୁଟିକୁ ଖୋଜିବସେ। କିନ୍ତୁ ମନେ ମନେ ଭାବେ ଯେ ତା’ର ମଳୟ ସଙ୍ଗେ କୌଣସି ପ୍ରକାର ସମ୍ପର୍କ ନାହିଁ ଏବ୍ଂ ସେ ତା ବିନା ବି ଖୁବ୍ ବଞ୍ଚି ପାରେ। ଏପଟେ ମଳୟ ହେଉଛି ଜଣେ ଛୋଟ ଉଦ୍ୟୋଗର ମାଲିକ। ତେଣୁ ତା’ର ବ୍ୟସ୍ତ ବହୁଳ ଜୀବନରେ ପ୍ରଣିତାର ସ୍ଥାନ ବହୁତ ଛୋଟ କିନ୍ତୁ ମନ ରୂପକ ଦୁନିଆରେ ପ୍ରଣିତା ଯେ କାହିଁ କେତେ ଉର୍ଦ୍ଧ୍ୱରେ। ମଳୟ କିନ୍ତୁ ତା ଦୁନିଆରେ ମସ୍‌ଗୁଲ; କିଛି ସମୟ ଶାନ୍ତିର ଆଶାରେ ସେ ପ୍ରଣିତା ସାଙ୍ଗରେ ବକବକ ହୁଏ। ଏହି କିଛି ନଥିବା ମଧ୍ୟରେ ମଧ୍ୟ ଦୁହିଁଙ୍କର କିଛି ରହିଯାଇଛି। ଯାହାର ଫଳ ସ୍ୱରୂପ ଦୁହେଁ କିନ୍ତୁ ଏହି ଜାଣତର ବହୁ ଅଜାଣତରେ।

Advertisment

ଦିନ ପରେ ଦିନ ବିତି ଚାଲିଲା ଦୁହିଁଙ୍କ ଭିତରେ କଥାର ସମୁଦ୍ର ଜୂଆର ଭଳି ମାଡି ଆସୁଥିଲା। ଦୁହେଁ ବେସ୍‌ ଖୁସିରେ ଚାଲିଲେ। ମଳୟ କିନ୍ତୁ  ଜଣେ ଦାମ୍ଭିକ ପୁରୁଷ ହୋଇ ଥିବାରୁ ପ୍ରଣୀତାକୁ ପ୍ରେମ କରୁଥିଲେବି ନିଜର ଅହଂ ଭାବ ଯୋଗୁଁ ପ୍ରକାଶ କରିପରୁନଥିଲା। ଅର୍ଥାତ୍ ମଳୟ ମତାନୁଯାୟୀ ସେ କୌଣସି ଝିଅର ଲଫଡାରେ ପଡିବନି ଆଉ କାହାକୁ ପ୍ରେମ ବି କରିବନି କିନ୍ତୁ ତା’ର ମନ ଅଗୋଚରରେ ସେ ଯେ ପ୍ରଣିତାକୁ ପ୍ରେମ କରି ବସିଛି ଏ ସବୁ ଜାଣିବା ତା’ର ଦୃଷ୍ଟି ଆଢୁଆଳରେ ରହିଯାଇଥିଲା। ପ୍ରଣିତା ବି ମଳୟର ସବୁ ଯନ୍ତ୍ରଣା ରୂପକ କଥା ମଧ୍ୟରେ ଗୋଟିଏ ଦୁଷ୍ଟ ସଇତାନ ଫିର୍‌ ଭି ସୁନ୍ଦର ମନ ଥିବା ପୁରୁଷକୁ ପାଇଥିଲା। କିନ୍ତୁ କେଜାଣି ତା’ର କାହାକୁ ବା ଡର ଥିଲା ନା ସେ ମଳୟର ମନ କଥା ଜାଣି ପାରୁନଥିଲା ଏବଂ ସେ ମଳୟକୁ କହିଲେ କାଳେ ତା ଠାରୁ ଦୂରେଇ ଯିବ ଏ ଭାବନାରେ ରହି କହି ପାରୁନଥିଲା କି କିଛି ବି ଜାଣି ପାରୁନଥିଲା। ପ୍ରଥମେ ଯେଉଁ ଦିନ ମଳୟ ବେପାରୁଆ ଭାବରେ ପ୍ରେମ ସୌଦାଗର ହୋଇ ପ୍ରଣିତାକୁ ପ୍ରେମ ନିବେଦନ କରିଥିଲା ସେଦିନ କିନ୍ତୁ ପ୍ରଣିତାର ମୁଣ୍ଡ ଘୁରାଇ ଯାଇଥିଲାଯ। ସେ ପର୍ଯ୍ୟନ୍ତ କିନ୍ତୁ ଭାବି ପାରିନଥିଲା ପ୍ରଥମ ବିଶ୍ୱ ଯୁଦ୍ଧ ପରେ ବି ତାଙ୍କ ଦୁହିଁଙ୍କ ମଧ୍ୟରେ ପ୍ରେମର ଗୋଲାପ ଫୁଟିପାରେ। ସେ କିଂକର୍ତ୍ତବ୍ୟବିମୁଢ ହୋଇ ହଠାତ୍‌ ମଳୟ ସାଙ୍ଗେ ବାର୍ତ୍ତାଳାପ ବନ୍ଦ କରିଦେଇଥିଲା। କିନ୍ତୁ କଥାରେ ଯେ ଅଛି :-

“ ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହୀ

ଦେହ ଧରି କିଏ ପାରିବ ସହି।”

ସବୁ ଥାଇ ସୁଦ୍ଧା ପ୍ରଣିତା ଖୁସି ହୋଇ ପାରୁନଥିଲା। ତା ଜୀବନରେ ବହୁ ବନ୍ଧୁ ଅଛନ୍ତି ଏମିତିକି ତାକୁ ସ୍ନେହ, ଆଦର ଏବଂ ପ୍ରାଣ ଠାରୁ ବି ଅଧିକ ଭଲ ପାଉଥିବା ନିକଟତର ବନ୍ଧୁ ଗଣ କିନ୍ତୁ ଗୋଲାପ ବନର ପାଖୁଡା ଯେ ମଳୟ ପବନରେ ଖୋଲେ ତାହା ଭାବିବାରେ ଅଛପା ନଥିଲା। ଇତି ମଧ୍ୟରେ ମଳୟ କିନ୍ତୁ ବହୁ ଚେଷ୍ଟା କରି ପ୍ରଣିତା କୁ ମନାଇ ଦେଇଥିଲା ପୁଣି ଥରେ କଥା ହେବା ପାଇଁ। ପ୍ରଣିତା ମନେ ମନେ ମଳୟକୁ ବହୁତ ପସନ୍ଦ କରୁଥିଲା ଏବଂ ତାର କଥା, ନାମ, ଭାବ, ଭଙ୍ଗୀ ଏବଂ ଭାଷା ଶୈଳୀକୁ ତାର ପରିବେଶର ମଣିଷ ତଥା ବସ୍ତୁ ମଧ୍ୟରେ ପରିଲକ୍ଷିତ କରୁଥିଲା କିନ୍ତୁ ଏହା ହିଁ “ପ୍ରେମ” ବୋଲି ସେ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲା।

ଦିନ ପରେ ଦିନ ବିତି ଚାଲିଲା ଦୁହିଁଙ୍କର ଅପଟ ମନ ମଧ୍ୟରେ ସମାଜର କପଟ ଗଣ ସେମାନଙ୍କ ଜୀବନର ଜଉ ଘର ମଧ୍ୟରେ ଅଗ୍ନି ସଂଯୋଗ କରିବାରେ ଲାଗିଲେ। ଫଳ ସ୍ୱରୂପ ଦୁହିଁଙ୍କର ଆକର୍ଷଣ ଥିବା ସତ୍ତ୍ୱେ ସମାଜର ଭୟରେ ସେମାନେ ପରସ୍ପର ଠାରୁ ଦୂରେଇ ରହିଲେ। ଦୂରତା ମଧ୍ୟରେ ମଧ୍ୟ ଦୁହିଙ୍କ ପାଇଁ ରହିଥିଲା ସମ୍ବେଦନଶୀଳତା। କିନ୍ତୁ ହଠାତ୍‌ ଦିନେ ମଳୟ ପ୍ରଣିତାର ଚରିତ୍ରକୁ ନେଇ ବହୁ କୁ-କଥା କହିଲା। ଫଳ ସ୍ୱରୂପ ପ୍ରଣିତାର ମନ ମଳୟ ପାଇଁ ସମ୍ପୂର୍ଣ୍ଣ ରୂପେ କର୍ଦମାକ୍ତ ହୋଇଗଲା। କଷ୍ଟ ହେଲେବି ଧିରେ ଧିରେ ତାକୁ ଭୁଲିବାକୁ ଚେଷ୍ଟା କଲା। ଏବଂ କିଛି ବର୍ଷ ପରେ ପ୍ରଣିତା ର ବିବାହ ଗୋଟିଏ ସୁନ୍ଦର, ରୂପ ଗୁଣରେ ପରିପୂର୍ଣ୍ଣ ପୁଅ ସଙ୍ଗେ ଠିକ୍‌ ହେଲା ଏବଂ ଉପଯୁକ୍ତ ଲଗ୍ନ ବେଳାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଗଲା।

ସମସ୍ତଙ୍କ ଅଲକ୍ଷ୍ୟରେ ଗୋଟିଏ ଜିନିଷ ରହିଗଲା ଯେ ମଳୟକୁ ଭୁଲିବା ପ୍ରଣିତା ପାଇଁ କଷ୍ଟ ଥିଲା। ତେଣୁ ଚରିତ୍ରକୁ ନେଇ କୁ-କଥା କହିଲେ ହିଁ ପ୍ରଣିତା ମଳୟକୁ ଘୃଣା କରି ବାପାଙ୍କ ପସନ୍ଦର ପୁଅକୁ ବିବାହ କରିବ, ଯାହାପାଇଁ ପଛେ ମଳୟ ଖରାପ ପିଲାର ମାନ୍ୟତା ପାଉ, ଏ କଥାକୁ ଖାତିର ନ କରି ମଳୟ ସେଦିନ ଏତେ ବଡ ତ୍ୟାଗ ଦେଇଥିଲା ଏବଂ ଉପଯୁକ୍ତ ବନ୍ଧୁର ମର୍ଯ୍ୟାଦା ରକ୍ଷା କରି ପାରିଥିଲା। ଏ ସଂପର୍କରେ ପ୍ରଣିତା ଏବେ ମଧ୍ୟ ଅଜ୍ଞ। ବିବାହ ଦିନ ମଳୟ ସ୍ଲିପିଂ ଟାବଲେଟ୍‌ ଖାଇ ଶୋଇଥିଲା, ଏ କଥା କେବଳ ସେ ହିଁ ଜାଣିଥିଲା। ସବୁ ଥାଇ ନଥିଲା ଭଳି ପ୍ରଣିତା ବିବାହ କରିଥିବା ପୁଅଟି ତାକୁ ବହୁତ ଭଲପାଉଥିଲା। କିନ୍ତୁ ପ୍ରଣିତାର ମନ ଯେ ପ୍ରଥମରୁ ଆଉ କାହା ପାଇଁ ହୋଇ ସାରିଥିଲା ଏହା ପ୍ରଣିତାର ଅଗୋଚରରେ ରହିଯାଇଥିଲା।

ଆର୍ଯ୍ୟ କୁମାରୀ ପ୍ରଜ୍ଞା ପାରମିତା, ଗବେଷିକା

ବିକ୍ରମପୁର,ଦୂରାଭାଷ: ୯୭୭୮୮୧୮୧୮୪

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe