ଆଛା କହିଲ! ସତରେ ତମେ କ’ଣ ମୋତେ ଭଲ ପାଅ। କାହିଁକି କେଜାଣି ବିଶ୍ୱାସ ହେଉନି। ମୁଁ ତୁମକୁ ବିଶ୍ୱାସ କରି ପାରୁନି। ଲାଗୁଛି ଅବିଶ୍ୱାସର ପାହାଡ଼ ମୋ ଚାରି ପାଖେ ଘେରି ରହିଛି। ମନରେ ବାରମ୍ବାର ପ୍ରଶ୍ନ ଉଙ୍କି ମାରୁଛି। ବିଶ୍ୱାସ ଆଉ ଅବିଶ୍ୱାସର ମଝି ଦରିଆରେ ମୁଁ ଯୁଝି ହେଉଛି। ଲାଗୁଛି ତମେ ମୋ ସହ ଛଳନା କରୁଛ। ଜାଣିଶୁଣି ମିଛ ପ୍ରେମର ବାହାନା କରୁଛ। ପ୍ରତାରଣା ଆଉ ପ୍ରବଞ୍ଚନାର ଜାଲ ବିଛାଇଛ।
କଣ ନା ମୁଁ ତୁମକୁ ଭଲ ପାଏ। ବହୁତ ଭଲ ପାଏ। ଯେବେଠୁ ଦେଖିଛି ସେବେଠୁ। କଥା କଥାକେ ଗୋଟିଏ ପଦ କ’ଣ ନା, ପାଞ୍ଚ ବର୍ଷ ହେଲାଣି "ମୁଁ ତୁମକୁ ନିରବରେ ଭଲ ପାଉଛି।" କଥା ହେବା ଦୂରେ ଥାଉ ତମେ ମୋତେ ଆଡ଼ ଆଖିରେ ବି ଚାହୁଁ ନ ଥିଲ। ତଥାପି ମୁଁ ତୁମକୁ ଭଲ ପାଉଥିଲି, ପାଉଛି ଆଉ ଆଗକୁ ବି ପାଉଥିବି। ଏମିତି ଅନେକ ପ୍ରେମଭରା ପ୍ରବଚନ ତମଠୁ ବାରମ୍ବାର ଶୁଣିଛି। ହେଲେ କ’ଣ ହେବ, ତମ କଥାକୁ ବିଶ୍ୱାସ କରି ପାରୁନି। ଜାଣିଛ ତମ ବିରହ ଯନ୍ତ୍ରଣାରେ ମୁଁ ଦ୍ରୌପଦୀ ଭଳି କଷ୍ଟ ପାଉଛି। ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣରେ। ହେଲେ ତମେ ନିରବ।
ଅନେକ ପ୍ରତିଶ୍ରୁତି ଦେଇଥିଲ। ବିବାହର ସୁନେଲି ସ୍ୱପ୍ନ ବି ଦେଖେଇଥିଲ। ହେଲେ... ସବୁ ପ୍ରତିଶ୍ରୁତି ପାଣିର ଗାର। ବିଶ୍ୱାସ କରି ପାରୁନି। କୁଆଡ଼େ ଗଲା ତମର ସେଇ ଭଲ ପାଇବା। ଦିନେ ନୁହଁ କି ଦୁଇ ଦିନର ନୁହେଁ। ପାଞ୍ଚ ବର୍ଷର ନିରବ ଭଲପାଇବା। ଥାଉ... ସେଇ ସମାନ କଥାକୁ ମୁଁ ଆଉ ଦୋହରାଇବା ପାଇଁ ଚାହୁଁ ନାହିଁ। ହେଲେ ମନେରଖ, କାଲି ମୋର ଯଦି କିଛି ହୁଏ, ସେଥିପାଇଁ ତମେ ଦାୟୀ ରହିବ। ହଁ ତୁମେ ହିଁ ଦାୟୀ ରହିବ।
ଦୁଷ୍ମନ୍ତ କୁମାର ବେହେରା
ଯଶୀପୁର, ମୟୂରଭଞ୍ଜ, ମୋବାଇଲ ନଂ- 9437879131
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।