/odisha-reporter/media/post_attachments/uploads/2017/07/adarapana.jpg)
adarapana
ପୁରୀ: ସୁନାବେଶ ପରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଅଧରପଣା ନୀତି। ରଥାରୂଢ ବିଗ୍ରହମାନଙ୍କୁ ରଥ ଉପରେ ଅର୍ପିତ ପଣା ପ୍ରସାଦକୁ ଅଧରପଣା କୁହାଯାଏ। ରଥ ବେଦୀ ଉପରୁ ଠାକୁରମାନଙ୍କ ଅଧର ସ୍ପର୍ଶ କରିପାରୁଥିବା ବଡ଼ ବଡ଼ ନୂଆ ମାଟି ତମ୍ଭା ( ଅଧର ହାଣ୍ଡି)ରେ ସ୍ୱାଦିଷ୍ଟ ପଣା ପ୍ରସ୍ତୁତ କରାଯାଇ ବିଧିମୁତାବକ ଶ୍ରୀଜିଉଙ୍କମାନଙ୍କୁ ଅର୍ପଣ କରାଯିବ। କୁମ୍ଭ ଆକୃତି ମାଟି ହାଣ୍ଡିରେ କ୍ଷୀର, କଦଳୀ, ଛେନା, ଗୋଲମରିଚ, ଜାଇଫଳ ଓ କର୍ପୂର ଆଦି ମିଶ୍ରିତ ପଣାକୁ ପଞ୍ଚ ଉପଚାରରେ ପୂଜା କରାଯିବ।
ପୂର୍ବରୁ ବାହୁଡ଼ା ଦଶମୀ, ସୁନାବେଶ ଏକାଦଶୀ, ନିଳାଦ୍ର ବିଜେ ଦ୍ୱାଦଶୀ ତିଥିରେ ତ୍ରିବାର ଅଧରପଣା ଲୀଳା ପାଳିତ ହେଉଥିଲା। ତିନିଦିନ ପାଇଁ ତିନି ରଥରେ ନଅ ହାଣ୍ଡି ଅଧରପଣା ଆବଶ୍ୟକ ପଡୁଥିଲା। ଏବେ ତାହା କେବଳ ଆଷାଢ଼ ଶୁକ୍ଲ ଦ୍ୱାଦଶୀ ତିଥିରେ ପାଳିତ ହେଉଛି। ଶ୍ରୀବଳଦେବଙ୍କୁ ତିନି ହାଣ୍ଡି, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ଦୁଇ ହାଣ୍ଡି, ଶ୍ରୀଜଗନ୍ନାଥଙ୍କୁ ତିନି ହାଣ୍ଡି, ମଦନମୋହନଙ୍କୁ ଏକ ହାଣ୍ଡି, ସୁଭଦ୍ରାଙ୍କୁ ତିନି ହାଣ୍ଡି ଏହିପରି ମୋଟ ବାର ହାଣ୍ଡି ପଣା ଅର୍ପଣ କରାଯିବ।
ଗତକାଲି ଶ୍ରୀକ୍ଷେତ୍ରରେ ରଥ ଉପରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ। ଶ୍ରୀଜିଉ ମହଣ ମହଣ ସୁନା ଓ ୧୩୮ ପ୍ରକାର ରତ୍ନ ଖଚିତ ଅଳଙ୍କାରରେ ସଜ୍ଜିତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
