/odisha-reporter/media/media_files/2026/03/02/mentally-ill-girl-pregnant-2026-03-02-16-40-54.jpg)
ମାନସିକ ଅନଗ୍ରସର ଝିଅ ଗର୍ଭବତୀ Photograph: (OTV)
କୁଚିଣ୍ଡା (ସମ୍ୱଲପୁର): ଯେଉଁଠ ପିଲାଟି ଆଗକୁ ବଢ଼ିବା ପାଇଁ ସମାଜର ସହାୟତା ଦରକାର କରୁଛି, ସେହିପରି ପିଲାଟିଏ ପ୍ରତି ହୋଇଛି ଜଘନ୍ୟ ଅପରାଧ। ତାହା ପୁଣି ଜଣେ ସାଧାରଣ ଝିଅଟିଏ କ୍ଷେତ୍ରରେ ନୁହେଁ, ଜଣେ ମାନସିକ ଅନଗ୍ରସର ନାବାଳିକା ଝିଅଟିଏ କ୍ଷେତ୍ରରେ ଘଟିଛି। ଏ ସମାଜ ସେଭଳି ପିଲା କିପରି ପ୍ରଗତିର ଆଗଧାଡ଼ିରେ ସାମିଲ୍ ହେବା ସହ ଏକ ସୁନ୍ଦର ଜୀବନ ବଂଚିବ ସେଥିପାଇଁ ଚେଷ୍ଟିତ ଥିଲାବେଳେ, ସମ୍ବଲପୁର ଜିଲ୍ଲାରେ ଘଟିଛି ଏପରି ଏକ ଘଟଣା, ଯାହା ସମସ୍ତଙ୍କ ମୁଣ୍ଡକୁ ତଳକୁ କରିଦେଇଛି।
ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅଞ୍ଚଳରେ। ଏହି ଅଂଚଳର ଜଣେ ଦିବ୍ୟାଙ୍ଗ ମାନସିକ ଅନଗ୍ରସର ନାବାଳିକା, ଦୁଷ୍କର୍ମ (Rape)ର ଶିକାର ହୋଇ ଗର୍ଭବତୀ ହୋଇଥିବା ଭଳି ଲଜ୍ଜାଜନକ ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅଞ୍ଚଳର ଏହି ୧୪ ବର୍ଷୀୟା ମାନସିକ ଅନଗ୍ରସର ତଥା ମୁକ ବଧିର ନାବାଳିକାଙ୍କ ପେଟ ଅସ୍ବାଭାବିକ ଭାବେ ବଢ଼ିବାରୁ କଥା ପ୍ରଘଟ ହୋଇଥିଲା।
ପେଟ କାହିଁକି ବଢୁଛି ତାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ଝିଅଟିର ବାପା ମାଆ। ସମାନେ ଏ ନେଇ ସନ୍ଦେହ କରିଥିଲେ ଯେ, ଝିଅ ସହିତ କିଛି ଅଘଟଣ ହେଇଯାଇନି ତ? ତେଣୁ କାଳବିଳମ୍ବ ନକରି ବୁଧବାର ଦିନ ବାପା ମାଆ ତାଙ୍କ ମାନସିକ ଅନଗ୍ରସର ନାବାଳିକା ଝିଅଟିର ଡ଼ାକ୍ତରୀ ଯାଞ୍ଚ କରାଇଥିଲେ। କାରଣ ତା ସହ କଣ ଘଟିଛି, ଝିଅଟି କହିପାରୁ ନଥିଲା।
ଡାକ୍ତରୀ ପରୀକ୍ଷା ପରେ ବାପା ମାଆ ଆକାଶରୁ ଖଡ଼ି ପଡ଼ିଥିଲେ। ଜାଣିବାକୁ ପାଇଥିଲେ ଝିଅଟି ତାଙ୍କର ଗର୍ଭବତୀ। କିନ୍ତୁ ତାଙ୍କ ନାବାଳିକା ଝିଅଟି ମୁକ ବଧିର ହୋଇଥିବାରୁ କିଏ ତା ସହ ଦୁଷ୍କର୍ମ କରିଛି ସେ କହିପାରୁ ନଥିଲା। ଏହାକୁ ନେଇ ଝିଅଟିର ମାଆ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏବେ ପୋଲିସ ଘଟଣାଟିର ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ଏସପି ଙ୍କ ନିର୍ଦେଶ କ୍ରମେ କୁଚିଣ୍ଡା ଏସଡିପିଓ ଏକ ଟିମ ଗଠନ କରି ତଦନ୍ତ କରୁଥିବା ବେଳେ, ଶୀଘ୍ର ଦୋଷୀଙ୍କୁ ଧରି ପୀଡିତା ଙ୍କୁ ନ୍ୟାୟ ଦେବାକୁ ପୋଲିସ ତତ୍ପରତା ପ୍ରକାଶ କରିଥିବା ଏସଡିପିଓ କହିଛନ୍ତି।
କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ କହିଛନ୍ତି, ଗତ ଫେବ୍ରୁଆରୀ ମାସ ୨୫ ତାରିଖରେ ଝିଅଟିର ମାଆ ଆସି ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ମୁକବଧିର ଓ ମାନସିକ ଅନଗ୍ରସର ଝିଅଟି ଗର୍ଭବତୀ ଅଛି। ସେ କେମିତି ଗର୍ଭବତୀ ହେଲା ତାହା ସେ କହିପାରୁନି। ଆମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଚଳାଇଛୁ। ଆମକୁ ପ୍ରାଥମିକ ସ୍ତରରେ କିଛି ତଥ୍ୟ ହାସଲ ହୋଇଛି। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ୍ କରିବୁ।
(କୁଚିଣ୍ଡାରୁ ଦେବେନ୍ଦ୍ର ଦାସଙ୍କ ରିପୋର୍ଟ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
