Advertisment

Odisha Debt: ଆକଳନ ଅନୁସାରେ ରାଜ୍ୟର ନେଟ୍ ଋଣ କମ ରହୁଛି- ମୁଖ୍ୟମନ୍ତ୍ରୀ

2025-26 ଆର୍ଥିକ ବର୍ଷରେ ବଜେଟ ଅଟକଳରେ ନେଟ୍ 34,200 କୋଟି ଟଙ୍କା ଋଣ କରାଯିବ ବୋଲି ଆକଳନ କରାଯାଇଥିବାବେଳେ ସିଏଜିଙ୍କଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ନେଟ୍ ମାତ୍ର 7,097.26 କୋଟି ଟଙ୍କାର ଋଣ ଅଣାଯାଇଛି

income-1

ଓଡ଼ିଶାର ଆୟ ଓ ଋଣ

Advertisment

ବଜେଟରେ ଅଧିକ ଋଣର ଆକଳନ କରାଯାଉଛି, ମାତ୍ର ନେଟ୍ ଋଣ କମ ରହୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉତ୍ତର ଦେଇଛନ୍ତି। ସୋମବାର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ଆଗାମୀ ଆର୍ଥିକ ବର୍ଷ 2026-27 ଶେଷ ସୁଦ୍ଧା ରାଜ୍ୟର ଋଣ ଭାର (Odisha Debt) 1 ଲକ୍ଷ 55, 710 କୋଟି ଟଙ୍କାରେ ପହଞ୍ଚିବ ବୋଲି ବଜେଟରେ ଆକଳନ କରାଯାଇଛି। କିନ୍ତୁ ଋଣ କେତେ ପରିମାଣରେ ଅଣାଯିବ 2026-27 ଆର୍ଥିକ ବର୍ଷର ରାଜସ୍ବ ପ୍ରାପ୍ତି ଓ ଖର୍ଚ୍ଚ ଉପରେ ନିର୍ଭର କରିବ।

Advertisment

ଯେମିତି 2025-26 ଆର୍ଥିକ ବର୍ଷରେ (ଅର୍ଥାତ୍, ମାର୍ଚ୍ଚ 2026 ଶେଷ ସୁଦ୍ଧା) ବଜେଟ ଅଟକଳରେ ନେଟ୍ 34,200 କୋଟି ଟଙ୍କା ଋଣ କରାଯିବ ବୋଲି ଆକଳନ କରାଯାଇଥିବାବେଳେ ସିଏଜିଙ୍କଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ନେଟ୍ ମାତ୍ର 7,097.26 କୋଟି ଟଙ୍କାର ଋଣ ଅଣାଯାଇଛି। ଏହି ଧାରା ଜାରି ରହିଲେ, ବଜେଟ (Budget) ଆକଳନଠାରୁ ଋଣର ପରିମାଣ ଯଥେଷ୍ଟ କମ୍ ରହିବ।

ଫେବ୍ରୁଆରୀ 20 ତାରିଖରେ ମୁଖ୍ୟମନ୍ତ୍ରୀ ମାଝୀ 2026-27 ପାଇଁ 3 କୋଟି 10 ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କଲାବେଳେ ନେଟ୍ 47 ହଜାର 800 କୋଟି ଋଣ କରିବେ ବୋଲି ଆକଳନ କରାଯାଇଛି। 

Advertisment

ସରକାର ଆୟ ତୁଳନାରେ ଋଣ କମ୍ କରିବା ପାଇଁ କି ପଦକ୍ଷେପ ନେଉଛନ୍ତି ତାହା ସେହି ଉତ୍ତରରେ ଦର୍ଶାଇଛନ୍ତି। 

-ରାଜସ୍ବ ବଳକା ସୃଷ୍ଟି କରି ଋଣ ଉପରେ ନିର୍ଭରଶୀଳତା ହ୍ରାସ କରିଛନ୍ତି

-ଅଧିକ ରାଜସ୍ବ ଆଦାୟ ପାଇଁ ସବୁ ବିଭାଗକୁ ଠିକ୍ ପଦକ୍ଷେପ ନେବାକୁ କହିଛନ୍ତି

-ଉଚ୍ଚ ସୁଧ ହାର ବିଶିଷ୍ଟ ଋଣକୁ ଆଗୁଆ ପଇଠ କରୁଛନ୍ତି

-ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ (FRBM Act-2005) ଭିତରେ ରହି ଋଣ ଆଣୁଛନ୍ତି। ଏହି ଋଣକୁ କେବଳ ଭିତ୍ତିଭୂମି ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯଥା- ରାସ୍ତା, ଜଳସେଚନ, ବିଦ୍ୟାଳୟ, ଡାକ୍ତରଖାନା ଓ ଆନ୍ୟାନ୍ୟ ସାର୍ବଜନୀନ ସୁବିଧା ଭଳି ଭିତ୍ତିଭୂମିରେ ନିବେଶ କରାଯାଇଥାଏ, ଯାହାକି ରାଜ୍ୟର ସାମଗ୍ରିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଏହା ନିଯୁକ୍ତି ସୃଷ୍ଟି କରେ, ଫଳସ୍ବରୂପ ଲୋକଙ୍କ ଆୟ ସ୍ତର ବୃଦ୍ଧି ପାଏ, ଯାହାକି ସେମାନଙ୍କ କ୍ରୟ ଶକ୍ତି ଏବଂ ସାମାଗ୍ରିକ ଜବୀନଧାରଣ ମାନକୁ ବୃଦ୍ଧି କରେ।

ସୋମବାର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅନ୍ୟ ଏକ ପ୍ରଶ୍ନରେ ଗତ ଦଶ ବର୍ଷରେ ଓଡ଼ିଶାର ଋଣ ଭାର ସଂପର୍କରେ ଏକ ତୁଳନାତ୍ମକ ଚିତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 
2015-16 ଆର୍ଥିକ ବର୍ଷରେ ଓଡ଼ିଶାର ଋଣ ଭାର 52,017 କୋଟି ଟଙ୍କା ଥିଲା। ସେତେବେଳେ ମୁଣ୍ଡ ପିଛା ଋଣ ଭାର ଥିଲା 11,876 ଟଙ୍କା। 2024-25 ଆର୍ଥିକ ବର୍ଷରେ ଓଡ଼ିଶାର ଋଣ ଭାର 1,20,710 ଟଙ୍କା ଥିଲା ଓ ମୁଣ୍ଡ ପିଛା ଋଣ ଭାର 25,828ରେ ପହଞ୍ଚିଥିଲା। 


ସେହିଭଳି 2015-16ରେ ଓଡ଼ିଶାର ମୁଣ୍ଡ ପିଛା ଆୟ 64,835 ଟଙ୍କା ଥିବାବେଳେ 2024-25ରେ ମୁଣ୍ଡ ପିଛା ଆୟ 1,82,548 ଟଙ୍କାରେ ପହଞ୍ଚିଥିଲା।


ଏଥର ସାଧାରଣ ବଜେଟ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ-2025-26କୁ ଦେଖିଲେ, 2023-24ରେ ଦେଶର 17ଟି ପ୍ରମୁଖ ରାଜ୍ୟ ଭିତରେ ଓଡ଼ିଶାର ମୁଣ୍ଡ ପିଛା ଆୟ 11 ନମ୍ବର ସ୍ଥାନରେ ଥିଲା। ଓଡ଼ିଶାର ମୁଣ୍ଡ ପିଛା ଆୟ 1,55,125 ଟଙ୍କା ଥିବାବେଳେ ଏକ ନମ୍ବରରେ ଥିଲା ତେଲେଙ୍ଗାନା। ତେଲେଙ୍ଗାନାର ମୁଣ୍ଡ ପିଛା ଆୟ ଥିଲା 3,47,714 ଟଙ୍କା। ଏବେ ବି ମୁଣ୍ଡ ପିଛା ଆୟରେ ଜାତୀୟ ହାରକୁ ଛୁଇଁବାକୁ ଉଦ୍ୟମ କରୁଛି ଓଡ଼ିଶା। 

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର

Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe