Advertisment

Bihar Election: ଏନଡିଏରେ ଛିଡ଼ୁନି ସିଟ୍‌ ଭାଗବଣ୍ଟା, ଏଥର ସମାନ ସଂଖ୍ୟକ ଆସନରେ ଲଢ଼ିବେ ବିଜେପି ଓ ଜେଡିୟୁ!

୨୦୨୫ ବିହାର ବିଧାନସଭା ନିର୍ବାଚନରେ କେହି ବି ବଡ଼ ଭାଇ ଭୂମିକାରେ ରହିବେ ନାହିଁ। ଉଭୟ ଦଳ ସମାନ ସଂଖ୍ୟକ ଆସନରେ ଲଢ଼ିବେ। ଦୁଇ ଏନଡିଏ ପାର୍ଟନର ମିଳିତ ଭାବେ ୨୪୩ ଆସନରୁ ୨୦୫ଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

author-image
Hemant Lenka
PM-Modi

ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଫାଇଲ ଫଟୋ)

ବିହାର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇ ସାରିଛି ତାରିଖ। ଆସନ୍ତା ନଭେମ୍ବର ୬ ଓ ୧୧ରେ ବିହାରର ମୋଟ ୨୪୩ଟି ଆସନରେ ହେବ ଭୋଟ। ତାରିଖ ଘୋଷଣା ହୋଇ ସାରିଥିଲେ ହେଁ ଏଯାଏ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ସିଟ ଭାଗବଣ୍ଟା ଅଙ୍କ ଛିଡ଼ି ପାରୁନାହିଁ। ଆରଜେଡି-କଂଗ୍ରେସ ମହାଗଠବନ୍ଧନ ଭଳି ବିଜେପି ନେତୃତ୍ୱାଧୀନ ଏନଡିଏରେ ମଧ୍ୟ ସିଟ ଶେୟାରିଂକୁ ନେଇ ଟଣାଓଟରା ଲାଗି ରହିଛି। 

Advertisment

ବିଜେପି(Bjp) ଓ ଜେଡିୟୁ(JDU) ମଧ୍ୟରୁ କିଏ ବଡ଼ ଭାଇ ଭୂମିକାରେ ରହିବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଜେପି ଅଧିକ ଆସନ ଚାହୁଁଥିବା ବେଳେ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟ ପଛକୁ ହଟିକାର ନାଁ ଧରୁନି। ୨୦୨୦ରେ ଜେଡିୟୁ ତୁଳନାରେ ବିଜେପିର ପ୍ରଦର୍ଶନ ଭଲ ରହିଥିଲା। ବିଜେପି ଅଧିକ ଆସନ ଜିତିଥିଲେ ହେଁ ଜେଡିୟୁର ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରି ଏନଡିଏ ସରକାର ବିହାରରେ କାର୍ଯ୍ୟ କରୁଛି।

 ଏପରି ସ୍ଥିତିରେ ୨୦୨୫ରେ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ସଂଖ୍ୟକ ଆସନରେ ଲଢ଼ିବାକୁ ଗୋଡ଼ ଟେକି ବସିଥିଲା। ହେଲେ ଜେଡିୟୁ ଦଳର ସବୁ ଯୋଜନାରେ ପାଣି ପକାଇ ଦେଇଛି। ୨୦୨୫ରେ ଜେଡିୟୁ ସହଯୋଗୀ ବିଜେପିକୁ ଅଧିକ ଆସନ ଛାଡ଼ିବାକୁ ପ୍ରସ୍ତୁତ ନାହିଁ। 

Advertisment

ତେଣୁ ୨୦୨୫ ବିହାର ବିଧାନସଭା ନିର୍ବାଚନରେ କେହି ବି ବଡ଼ ଭାଇ ଭୂମିକାରେ ରହିବେ ନାହିଁ। ଉଭୟ ଦଳ ସମାନ ସଂଖ୍ୟକ ଆସନରେ ଲଢ଼ିବେ। ଦୁଇ ଏନଡିଏ ପାର୍ଟନର ମିଳିତ ଭାବେ ୨୪୩ ଆସନରୁ ୨୦୫ଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୨୦୫ ଆସନ ମଧ୍ୟରୁ ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ସ୍ଥାନରେ ପ୍ରାର୍ଥୀ ଦେବାକୁ ବିଚାର କରୁଛନ୍ତି। ତଥାପି ଏନଡିଏ ମଧ୍ୟରେ ସିଟ୍‌ ଶେୟାରିଂକୁ ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି।  

https://odishareporter.in/national/bihar-polls-to-be-held-in-2-phases-results-on-november-14-10534245

ବିଜେପି ଓ ଜେଡିୟୁ ଖାତାକୁ ୨୦୫ଟି ଆସନ ଯାଇଥିବା ବେଳେ ଏନଡିଏରେ ଥିବା ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲଜେପି), ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା (ଏଚଏଏମ) ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏମ) ପାଇଁ ମୋଟ ୩୮ଟି ସିଟ ଛଡ଼ା ଯାଇଛି।

କୁହାଯାଉଛି ଯେ ବିଜେପି ଚିରାଗଙ୍କ ଏଲଜେପିକୁ ୨୫ଟି, ଏଚଏଏମକୁ ୭ଟି ଓ ଆରଏଲଏମକୁ ୬ଟି ଆସନ ଦେବାକୁ ଚାହୁଁଛି। ହେଲେ ଚିରାଗ ଏତିକି ସଂଖ୍ୟକ ଆସନରେ ସନ୍ତୁଷ୍ଟ ନାହାନ୍ତି। ସେ ଅଧିକ ଆସନ ଚାହୁଁଥିବାରୁ ବିଜେପି ଦ୍ୱନ୍ଦ୍ୱରେ ପଡ଼ିଛି।

ଯଦି ଚିରାଗଙ୍କ କଥାରେ ଦଳର ଆସନ ସଂଖ୍ୟା ବୃଦ୍ଧି ପାଇବ, ତା’ହେଲେ ଏଚଏଏମ ଓ ଆରଏଲଏମର ଆସନ ସଂଖ୍ୟା ହ୍ରାସ ପାଇବ। ବିଜେପି ମଧ୍ୟ କିଛି ଆସନ ଏନଡିଏ ଦଳଗୁଡ଼ିକୁ ଏକାଠି ରଖିବା ପାଇଁ ଛାଡ଼ିବାକୁ ବାଧ୍ୟ ହେବ ବୋଲି ମଧ୍ୟ କୁହାଯାଉଛି। 

https://odishareporter.in/odisha/8-assembly-bypolls-on-nov-11-results-with-main-polls-10534459

କିନ୍ତୁ ଯଦି ବିଜେପି ନିଜ ଆସନ ଛାଡ଼ିବ ନାହିଁ, ତା’ହେଲେ ନିଜର ସହଯୋଗୀ ଦଳଗୁଡ଼ିକୁ ରାଜ୍ୟସଭା ଓ ବିଧାନ ପରିଷଦର ଲୋଭ ଦେଖାଇପାରେ। ଏହି ଲୋଭ ଦେଖାଇ ବିଜେପି ସେମାନଙ୍କୁ ନିଜ ପାଖରେ ରଖିବ ବୋଲି ଆଶା କରିଛି। 

ବିହାରରେ ଏନଡିଏ ବନାମ ମହାଗଠବନ୍ଧନ ଲଢ଼େଇ ହେବ ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ଏହି ଦୁଇ ମେଣ୍ଟ ବ୍ୟତୀତ ପ୍ରଶାନ୍ତ କିଶୋରଙ୍କ ଜନ ସୁରଜ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ମଧ୍ୟ ନିର୍ବାଚନ(Bihar Election) ମୈଦାନକୁ ଓହ୍ଲାଇବେ। 

Bjp Bihar Election JDU