Advertisment

BJP Protest : ବଳପୂର୍ବକ ବୟସ୍କ କଂଗ୍ରେସ କର୍ମୀଙ୍କୁ ଶାଢ଼ୀ ପିନ୍ଧାଇଲେ ବିଜେପି କର୍ମୀ, ଭିଡିଓ ଭାଇରାଲ୍‌

ସେ ମନା କରିବା ସତ୍ତ୍ୱେ ସେମାନେ ବଳପୂର୍ବକ ତାଙ୍କୁ ଶାଢ଼ୀ ପିନ୍ଧାଇ ତାଙ୍କ ସହ ଫଟୋ ଉଠାଇଛନ୍ତି। ଶାଢ଼ୀ ପିନ୍ଧାଇବା ବେଳେ ସେମାନେ ବିଜେପି ସପକ୍ଷରେ ମଧ୍ୟ ନାରାବାଜି କରିଛନ୍ତି।

author-image
Hemant Lenka
BJP

ଶାଢ଼ୀ ପିନ୍ଧାଇବା ବେଳର ଦୃଶ୍ୟ

କଂଗ୍ରେସର ଜଣେ ୭୩ ବର୍ଷୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ବଳପୂର୍ବକ ଶାଢ଼ୀ ପିନ୍ଧାଇଛନ୍ତି ବିଜେପି କର୍ମୀ। ମହାରାଷ୍ଟ୍ରର ଡୋମ୍ବିବଲିରେ ବିଜେପି କର୍ମୀଙ୍କ ଏପରି ହରକତକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇ ଯାଇଛି। ବିଜେପି କର୍ମୀମାନେ ୭୩ ବର୍ଷୀୟ କଂଗ୍ରେସ କର୍ମୀ ପ୍ରକାଶ ମାମା ପାଗାରେଙ୍କୁ ବଳପୂର୍ବକ ଶାଢ଼ୀ ପିନ୍ଧାଇବାର ଭିଡିଓ ଭାଇରାଲ ହୋଇଛି। ନିଜର ବୟାନ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚିତ। 

Advertisment

ନିକଟରେ ପ୍ରକାଶ ମାମା ପାଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ବିକୃତ ଭିଡିଓ ଓ ‍ଫଟୋକୁ ଶେୟାର କରିଥିଲେ। ଏଥିରେ ପ୍ରଧାମନ୍ତ୍ରୀ ମୋଦି ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ପୋଷ୍ଟରେ ଗୋଟିଏ ଗୀତ ମଧ୍ୟ ରହିଥିଲା। ଏପରି ପୋଷ୍ଟକୁ ବିଜେପି(BJP) କର୍ମୀମାନେ ଜୋରଦାର ବିରୋଧ କରିବା ସହ ଏହା ସାମ୍ବିଧାନିକ ପଦରେ ଥିବା ମୋଦିଙ୍କ ପାଇଁ ଅପମାନ ବୋଲି କହିଥିଲେ।

ଏହାପରେ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରକାଶଙ୍କ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ବିଜେପିର କଲ୍ୟାଣ ଜିଲ୍ଲା ସଭାପତି ନାଣ୍ଡୁ ପରବ ଏହାର ନେତୃତ୍ୱ ନେଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଜେପି କର୍ମୀମାନେ ପ୍ରକାଶ ପାଗାରେଙ୍କୁ ମନପଡା ରୋଡରେ ଧରି ଛିଡ଼ା ହୋଇଛନ୍ତି।

Advertisment

ଏହି ସମୟରେ ତାଙ୍କୁ ଜଣେ ବିଜେପି କର୍ମୀ ପିଙ୍କ ରଙ୍ଗର ଶାଢ଼ୀ ପିନ୍ଧାଇବାକୁ ଉଦ୍ୟମ କରୁଛନ୍ତି। ସେ ମନା କରିବା ସତ୍ତ୍ୱେ ସେମାନେ ବଳପୂର୍ବକ ତାଙ୍କୁ ଶାଢ଼ୀ ପିନ୍ଧାଇ ତାଙ୍କ ସହ ଫଟୋ ଉଠାଇଛନ୍ତି। ଶାଢ଼ୀ ପିନ୍ଧାଇବା ବେଳେ ସେମାନେ ବିଜେପି ସପକ୍ଷରେ ମଧ୍ୟ ନାରାବାଜି କରିଛନ୍ତି।

ନାଣ୍ଡୁ ପରବ କହିଛନ୍ତି ଯେ “ଆମ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ଅପମାନଜନକ ଛବି ପୋଷ୍ଟ କରିବା ଅପରାଧ। ଏହା ଆଦୌ ଗ୍ରହଣୀୟ ନୁହେଁ। ଯଦି ଆମ ନେତାଙ୍କୁ ଅସମ୍ମାନ କରିବାକୁ ପୁଣି ଉଦ୍ୟମ କରାଯିବ, ତା’ହେଲେ ବିଜେପି ଏହାର ଜବାବ ଜୋରଦାର ଢଙ୍ଗରେ ଦେବେ।” 


ଅନ୍ୟପକ୍ଷରେ କଂଗ୍ରେସ(Congress) ପକ୍ଷରୁ ବିଜେପିର ଏପରି କାମକୁ ସମାଲୋଚନା କରାଯାଇଛି। ଏହା ବାକ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଦଳ ପକ୍ଷରୁ କୁହାଯାଇଛି। ଦଳର କଲ୍ୟାଣ ସଭାପତି ସଚିନ ପୋଟେ କହିଛନ୍ତି, “ପାଗାରେ ଦଳର ଜଣେ ବରିଷ୍ଠ ନେତା। ଯଦି ସେ କିଛି ଆପତ୍ତିଜନକ ପୋଷ୍ଟ କରିଛନ୍ତି, ତା’ହେଲେ ବିଜେପି ତାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିପାରି ଥାଆନ୍ତା।

ଏଭଳି ସର୍ବସମ୍ମୁଖରେ ଜଣେ ବୟସ୍କଙ୍କୁ ଅପମାନିତା କରିବା ଗ୍ରହଣୀୟ ନୁହେଁ। ଏହି ଘଟଣାରେ ସାମିଲ ସମସ୍ତଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ବିଜେପି ପକ୍ଷରୁ କଂଗ୍ରେସର ଟପ ନେତାଙ୍କ ବିରୋଧରେ ଅନେକ ଆପତ୍ତିଜନକ ପୋଷ୍ଟ କରାଯାଉଛି। ହେଲେ କଂଗ୍ରେସ କେବେ ହେଲେ ବି ଏମିତି କରିନାହିଁ।”

Bjp Congress