Advertisment

BJD Politics: ସବୁ ଶୁଣିଲା ପରେ ନବୀନ କହିଥିଲେ, ଇଟ୍ ହାପେନ୍ସ ଇନ୍‌ ପଲିଟିକ୍ସ; ଶ୍ରୀମୟୀଙ୍କ ସିଧା ଆଟାକ୍‌

ନିଲମ୍ବନ ଆଦେଶ ପରେ ବିଜେଡି ବିପକ୍ଷରେ ଶ୍ରୀମୟୀ ତାଙ୍କ ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ନିଲମ୍ବନ ଆଦେଶକୁ ହାସ୍ୟସ୍ପଦ ବୋଲି କହିଛନ୍ତି ଶ୍ରୀମୟୀ। ସିଧାସଳଖ ନବୀନଙ୍କ ନାଁ ନେଇ ସେ କେମିତି ତାଙ୍କୁ ନିରାଶ କରିଥିଲେ, ତାହା କହିଛନ୍ତି।

author-image
Jitendra Garnayak
Shreemayee Mishra

ଶ୍ରୀମୟୀ ମିଶ୍ର, ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ Photograph: (OR)

ଚଳିତ ମାସରେ ଚର୍ଚ୍ଚାରେ ଅଛନ୍ତି ଶ୍ରୀମୟୀ ମିଶ୍ର। ମହାଭାରତର ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଚରିତ୍ର, ପ୍ରକାଶ ଝା’ଙ୍କ ଓଟିଟି ୱେବସିରିଜ୍ ‘ଆଶ୍ରମ’ର ‘ଭଣ୍ଡ ସନ୍ୟାସୀ’ ଉପାଖ୍ୟାନ କଥା ସୋଶାଲ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ବିଜେଡି (BJD) ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ । ଶ୍ରୀମୟୀ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ସୋଶାଲ ମିଡିଆରେ ଏ ପ୍ରକାର ପୋଷ୍ଟ କରିବାରୁ ବିରତ ରହିବାକୁ ଚେତାବନୀ ଦେଇଥିଲା। ଫଳରେ ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ୟାସୀ’ ଆକ୍ଷେପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଦଳ ପରୋକ୍ଷରେ ସ୍ୱୀକାର କରିଥିଲା ବୋଲି ଆଲୋଚନା ହୋଇଥିଲା। ଆଉ ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଶ୍ରୀମୟୀଙ୍କୁ ନିଲମ୍ବନ କଲା ପରେ ତାହା ପ୍ରମାଣିତ ହୋଇଗଲା ବୋଲି ଆଲୋଚନା ହେଉଛି।

Advertisment

ନିଲମ୍ବନ ଆଦେଶ ପରେ ବିଜେଡି ବିପକ୍ଷରେ ଶ୍ରୀମୟୀ ତାଙ୍କ ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ନିଲମ୍ବନ ଆଦେଶକୁ ହାସ୍ୟସ୍ପଦ ବୋଲି କହିଛନ୍ତି ଶ୍ରୀମୟୀ। ନିଲମ୍ବନ ଆଦେଶ ଆସିବା ପରେ ପରେ ଗତକାଲି ଏକ ସୋଶାଲ ମିଡିଆ ପୋଷ୍ଟରେ ସେ କହିଛନ୍ତି, ଦୀର୍ଘ ଏକ ବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଏହା ସହିତ ସେ ନାଁ ନନେଇ ଭିକେ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ଜଣେ ଜନନାୟକଙ୍କର ଦାୟାଦ ନିଜେ ନିଷ୍ପତ୍ତି ନେବାକୁ ସକ୍ଷମ ନୁହନ୍ତି ଓ ସବୁ ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନା ହେଉଛି ବୋଲି ଲେଖିଛନ୍ତି ଶ୍ରୀମୟୀ।

ସେହିଭଳି ଆଜି ଅନ୍ୟ ଏକ ସୋଶାଲ ମିଡିଆ ପୋଷ୍ଟ କରି ସେ ପୁଣି ଦଳର ସଦସ୍ୟତା ନମ୍ବର କଥା ଉଠାଇଥିଲେ। ଦଳର ସଦସ୍ୟତା ପ୍ରସଙ୍ଗରେ ଶ୍ରୀମୟୀଙ୍କୁ କାଉଣ୍ଟର କରିବାକୁ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ଶ୍ରୀମୟୀ ମିଛ କହୁଛନ୍ତି ଓ ସେ ଦଳର ସକ୍ରିୟ ସଦସ୍ୟ ଥିଲେ ବୋଲି ବିଜେଡିର ଦୁଇ ନେତା ସ୍ନେହାଙ୍ଗିନୀ ଛୁରିଆ ଓ ଲେଲିନ ମହାନ୍ତି ପ୍ରମାଣିତ କରିବାକୁ ପ୍ରୟାସ କରିଥିଲେ। ହେଲେ ସେମାନେ ସିଧାସଳଖ କୌଣସି ସଦସ୍ୟତା ନମ୍ବର ଦେଖାଇ ନଥିବା ବେଳେ ପୁନର୍ବାର ସୋଶାଲ ମିଡିଆ ଜରିଆରେ ଆକ୍ରମଣ କରିଛନ୍ତି ଶ୍ରୀମୟୀ। ଆଉ ଏଥର ସେ ସିଧା ସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ କରିଛନ୍ତି। ନବୀନ କେମିତି ତାଙ୍କୁ ନିରାଶ କରିଥିଲେ, ସେ କଥା ଉଲ୍ଲେଖ କରିଛନ୍ତି ଶ୍ରୀମୟୀ। 

Advertisment

ସେ ଲେଖିଛନ୍ତି, ‘ଗତବର୍ଷ ହେଲା ମୁଁ ଦଳ ଭିତରେ ଅସନ୍ତୁଷ୍ଟ ଥିଲି ଓ ପଦପଦବୀକୁ ଗ୍ରହଣ କରିନଥିଲି- ଏକଥା ଆଜି ସେମାନେ ଗଣମାଧ୍ୟମରେ ସମ୍ମୁଖରେ ସ୍ୱୀକାର କରୁଛନ୍ତି। ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ନେତ୍ରୀମାନେ ଗତ ୧୦ଦିନ ମଧ୍ୟରେ ମୋ ସମ୍ପର୍କରେ ଗଣମାଧ୍ୟମରେ କେତେ ପ୍ରକାରର ବୟାନ କେତେଥର ୟୁଟର୍ଣ୍ଣ ନେଇଛନ୍ତି ତାହା ସେମାନେ ନିଜେ ଆତ୍ମସମୀକ୍ଷା କଲେ ଜାଣିପାରିବେ ଓ ତା'ର ତର୍ଜମା ରାଜ୍ୟବାସୀଙ୍କ ଉପରେ ଛାଡୁଛି।

କ୍ଷମତା ପାଇଁ ନୁହେଁ ସ୍ୱାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି। ୨୦୨୪ ଫେବୃୟାରୀ ମାସରୁ ମୁଁ ବାରମ୍ବାର ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିଲି । ଏହା ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ବ୍ୟକ୍ତିଗତ ଅଭିଜ୍ଞତା, ଯେଉଁଠି ଆତ୍ମସମ୍ମାନ ଓ ଆତ୍ମଗୌରବ ଉପରେ ଆଘାତ ଲାଗିଛି। ମୁଁ ଯେଉଁ ଦଳୀୟ ନେତାଙ୍କୁ ପିତାତୁଲ୍ୟ ମାନୁଥିଲି,ତାଙ୍କଠାରୁ ସମର୍ଥନ ଓ ନ୍ୟାୟ ଆଶା କରିଥିଲି, କିନ୍ତୁ ସେହି ସମୟରେ ତାଙ୍କ ନୀରବତା ମତେ ନିରାଶ କରିଛି।

ଯେଉଁଦିନ ଜଣେ ବୃଦ୍ଧ ବ୍ୟକ୍ତି ମତେ ସୁର୍ପଣଖା କହି ସମ୍ବୋଧନ କଲେ, ଦଳୀୟ ବିଧାୟକ ଓ ଅନ୍ୟ ସଦସ୍ୟ ମତେ ନାନାଦି ଅପଶବ୍ଦ ବ୍ୟବହାର କରି କହିଲେ, ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀମାନଙ୍କୁ କହିଥିଲି। ପ୍ରମିଳା ଅପା, ସ୍ନେହାଙ୍ଗିନୀ ଅପା ଏମିତି ଅନେକ, କିନ୍ତୁ ସେତେବେଳେ ସମସ୍ତେ ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଚୁପ୍ ରହିଲେ, କେବଳ ପୂଜ୍ୟା ଉଷା ଦେବୀ ମୋତେ ସାଙ୍ଗରେ ନେଇ ନବୀନ ନିବାସ ଯାଇଥିଲେ ଏବଂ ସବୁ ଘଟଣା ଦଳର ସଭାପତି ଶୁଣିଲା ପରେ କେବଳ ପଦେ କହିଲେ,"It happens in Politics"।

ଯଦି ଅନୁରୂପ ଘଟଣା ବାହାରେ ହେଇଥାନ୍ତା ଆଉ ମୁଁ ମୋ ବାପାଙ୍କୁ ଜଣାଇ ଥାଆନ୍ତି ତେବେ କଣ ଏଭଳି ଉତ୍ତର ଆସିଥାନ୍ତା କି ? ନବୀନ ବାବୁଙ୍କୁ ମୁଁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି, ମତେ ଅନେକ ପ୍ରତିଶ୍ରୁତି ଦେଇ ନ ରଖିଲା ପରେ ମଧ୍ୟ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାକୁ ଯାଇଥିଲି, କିନ୍ତୁ ଯେଉଁଦିନ ମୋ ସମ୍ମାନ କଥା ଉଠିଲା ଆଉ ସେ ନୀରବ ରହିଲେ, ସେଇଟା ହିଁ ମୋ ଜୀବନର turning point ପାଲଟିଗଲା।

ମତେ ଲାଗିଲା ସତରେ କ'ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ଵ ନାହିଁ। ସେଇଥିପାଇଁ ମୁଁ ନାଁ ମୋର ସଦସ୍ୟତା ନବୀକରଣ କଲି, ନାଁ କୌଣସି କାର୍ଯ୍ୟକ୍ରମରେ ସାମିଲ୍ ହେଲି। ଦଳୀୟ ପଦପଦବୀକୁ ନେଇ ନିଜର ଆପତ୍ତି ଓ ଅସନ୍ତୋଷ ମଧ୍ୟ ନବୀନ ନିବାସକୁ ବାରମ୍ବାର ଅବଗତ କରିଛି, ଯାହାର ପ୍ରମାଣ ସମୟ ଆସିଲେ ଦେବି।
ଆଉ ନିକଟରେ ମହିଳା ଶାଖା ଘୋଷଣା ପରେ ମଧ୍ୟ ମୁଁ ଅନୁରୂପ କଥା କହିଥିଲି । ଅତୀତରେ ଅନେକ ପ୍ରତିଶ୍ରୁତି ନବୀନ ବାବୁ ଦେଇ ପରବର୍ତ୍ତୀ ସମୟରେ ଓହରି ଯାଇଥିଲେ ମଧ୍ୟ ନିରବ ରହିଥିଲି।

ଏବେବି ମୋର ପ୍ରଶ୍ନ ଯଦି ମୋର ସଦସ୍ୟତା ଅଛି ତ ସେ ସଂକ୍ରାନ୍ତୀୟ ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ସାର୍ବଜନୀନ କରନ୍ତୁ l ଏତେ ବୁଲେଇ ବଙ୍କେଇ କହିବାର ତାତ୍ପର୍ଯ୍ୟ କ'ଣ ? ଆଉ ଏବେ ଯେଉଁମାନେ ମୋର ଯୋଗ୍ୟତା ଉପରେ ପ୍ରଶ୍ନ କରୁଛନ୍ତି, ଦୟାକରି ସେ ପ୍ରଶ୍ନ ନବୀନବାବୁଙ୍କୁ କଲେ ଉତ୍ତର ପାଇପାରନ୍ତେ? ବିଜେଡି ସଭାପତି ନବୀନ ବାବୁ କ'ଣ ଦୀର୍ଘ ଦୁଇ ଦଶନ୍ଧି ଧରି ଅଯୋଗ୍ୟମାନଙ୍କୁ ନିଜ ଟିମରେ ବାରମ୍ବାର ରଖୁଥିଲେ?

ପଶ୍ଚିମ ଓଡ଼ିଶାରୁ ଆସି କଟକସ୍ଥିତ ଶୈଳବାଳା ମହିଳା କଲେଜର ସଭାନେତ୍ରୀ ହେବା ଓ ୨୦୦୬ରୁ ବିଜୁ ଛାତ୍ର ଜନତା ଦଳର ପଦାଧିକାରୀ ଓ ଦଳର ବିଭିନ୍ନ ପଦବୀରେ ରହିବା କ'ଣ ଜଣେ ଅଯୋଗ୍ୟ ପକ୍ଷେ ସମ୍ଭବପର କି ? ଏହାର ତର୍ଜମା ରାଜ୍ୟବାସୀଙ୍କ ଉପରେ ଛାଡ଼ିଲି।’

ସଦସ୍ୟତା ନେଇ କ’ଣ କହିଛି ବିଜେଡି
ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱରେ ଦେଶର ଏକ ସଫଳ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳର ପରିଚୟ ରହିଛି। ଏଠି ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ। ଯେଉଁମାନେ ମାନନ୍ତିନି ତାଙ୍କୁ ଦଳରୁ ବିଦା କରାଯିବ। ବିଗତ ଦିନରେ ଯେଉଁମାନେ ଦଳ ବିରୋଧୀ କାମ କରିଛନ୍ତି ତାଙ୍କୁ ନିଲମ୍ବନ କରାଯାଇଛି। ସମାନ ଭାବେ ଏବେ ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ସୋଶାଲ ମିଡିଆରେ ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ସେ ଭିକ୍ଟିମ କାର୍ଡ ଖେଳୁଛନ୍ତି। ଯଦି ସେ ଦଳର ସଦସ୍ୟ ନଥିଲେ, ତେବେ କେମିତି ଦଳର ସମସ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ। ବିଗତ ଗୋଟିଏ ବର୍ଷରେ ଶଙ୍ଖ ଭବନରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ହେଉ ଅବା ନବୀନ ନିବାସ, ଜନ ସମ୍ପର୍କ ପଦଯାତ୍ରା ଅବା ରାଜଭବନ ଆଗରେ ପ୍ରତିବାଦ ବେଳେ ସେ ଉପସ୍ଥିତ ରହିଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ମୁଖପାତ୍ର ପଦବୀ ହେଉ କି ସାଧାରଣ ସଂପାଦକ ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା। ପ୍ରତି ପଦପଦବୀ ସେ ଗ୍ରହଣ କରିଛନ୍ତି। ସେ କେବେ ମନା କରି ନାହାନ୍ତି। ଅଗଷ୍ଟ ମାସରେ ମହିଳା ୱେଲଫେୟାର କମିଟି ମେମ୍ବର ଘୋଷଣା କରାଯାଇଥିଲା। ସେହି ପଦକୁ ସେ ଗ୍ରହଣ କରିଥିଲେ। ଯଦି ସେ ଦଳର ସଦସ୍ୟ ନଥିଲେ, ଏସବୁକୁ କିଭଳି ଗ୍ରହଣ କଲେ? ସେ କ୍ରମାଗତ ମିଛ କହୁଛନ୍ତି। ଏଭଳି ମିଛ କହି ଲୋକଙ୍କୁ ବିଭ୍ରାନ୍ତି କରନ୍ତୁନି। ସେ ଯେଉଁ ଦଳକୁ ଯିବେ ସେ ଦଳ ବି ଜାଣିବା କଥା ସେ କ୍ରମାଗତ ମିଛ କହି ବିଭ୍ରାନ୍ତି କରୁଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ତରଫରୁ ଶ୍ରୀମୟୀ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନେଇ ଫଟୋ ଓ ଭିଡିଓ ମଧ୍ୟ ଦେଖାଯାଇଥିଲା।   

BjD Naveen Patnaik Politics