/odisha-reporter/media/media_files/2025/09/25/odisha-2025-09-25-20-19-11.jpg)
ବିଧାନସଭା
ରାଜ୍ୟ(Odisha)ର ବିଜେପି ସରକାର ବିଧାନସଭାର ମୌସୁମୀ ଅଧିବେଶନକୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ଗୋଟିଏ ଦିନ ଆଗୁଆ ବନ୍ଦ କରିଦେଇଛନ୍ତି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଦିଶାହୀନ ଆଭିମୁଖ୍ୟ, ସ୍ଥାନୀୟ ସମସ୍ୟାକୁ ଗୃହରେ ଉତଥାପନ କରିବାରେ ବିଫଳତା ଓ ଲୋକଙ୍କ ସମସ୍ୟାଠୁ ଦୂରେଇ ଯାଇ କେବଳ ଗଣମାଧ୍ୟମରେ ତୁମ୍ଭିତୋଫାନ କରିବା ପରୋକ୍ଷରେ ଶାସକ ଦଳକୁ ସୁହାଇଛି ।
ବିଧାନସଭା ଗୃହକୁ ଚଳାଇବାକୁ ନେଇ ପ୍ରମୁଖ ବିରୋଧୀ ଦଳ ବିଜେଡି ବିଧାୟକ ଦଳରେ ଫାଟ ଓ ଅନାସ୍ଥା ପ୍ରସ୍ତାବ ମଧ୍ୟରେ କଂଗ୍ରେସ ନିଜକୁ ସୀମିତ ହୋଇଯିବା ହିଁ ଚଳିତ ଅଧିବେଶନରେ ଏହି ଦୁଇ ବିରୋଧୀ ଦଳର ଅପାରଗତାକୁ ପଦାରେ ପକାଇ ଦେଇଥିବା ଜଣାପଡ଼ିଛି ।
ଦିଶାହୀନ ବିଜେଡି, ଦିଲ୍ଲୀରୁ ଆସିଲାନି ସନ୍ଦେଶ
ଦୀର୍ଘଦିନର ବ୍ୟବଧାନରେ ବିଧାନସଭାର ସଂକ୍ଷିପ୍ତ ମୌସୁମୀ ଅଧିବେଶନକୁ ନେଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଯେଭଳି ଢଙ୍ଗରେ ଜନସ୍ୱାର୍ଥ ସମ୍ବଳିତ ଆଭିମୁଖ୍ୟ ଗ୍ରହଣ କରିବା କଥା ସେଥିରୁ ଓହରି ଯାଇଥିବା ଜଣାପଡ଼ିଛି । ଗୃହ ଚଳାଇବାକୁ ନେଇ ବିଜେଡି ବିଧାୟକ ଦଳରେ ଫାଟ ପରୋକ୍ଷରେ ଶାସକ ଦଳକୁ ସୁହାଇଛି । ବିଜେଡି ଉଭୟ ସାର ସମସ୍ୟା, ଓ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଦଳକୁ ପ୍ରଶଂସା ବଦଳରେ ଅଧିକ ନିନ୍ଦିତ ହେବାକୁ ପଡ଼ିଛି । ଦଳ ଯେଉଁ ସମୟରେ ସାର ଅଭାବକୁ ପ୍ରସଙ୍ଗ କରି ଗୃହରେ ଉଠାଇବାକୁ ରଣନୀତି କଲା ସେତେବେଳେକୁ ରାଜ୍ୟ ତମାମ ସାର ଉପଲବ୍ଧ ହୋଇସାରିଥିଲା ଓ କୌଣସି ଗୋଟିଏ ସ୍ଥାନରେ ମଧ୍ୟ ସାରକୁ ନେଇ ଚାଷୀମାନଙ୍କ ମଧ୍ୟରେ ସମସ୍ୟା ନଥିଲା ।
ମାତ୍ର ନିଜର ଅଘୋଷିତ ସର୍ବେସର୍ବାଙ୍କୁ ଖୁସି କରିବାକୁ ଦଳ ‘ସାର ଅଭାବ’ ପ୍ରସଙ୍ଗ ଛାଡ଼ିଲା ନାହିଁ ଓ ଗୃହକୁ ଅଚଳ କରି ରଖିଲା । ଶେଷରେ ଗଣମାଧ୍ୟମରେ ବାରମ୍ବାର ଶରବ୍ୟ ହେବାପରେ ତରବରିଆ ଭାବେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇ ‘ସାର ଅଭାବ’ ସମସ୍ୟାକୁ ସମାଧି ଦେଲା । ସେହିପରି ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଯେଉଁ କନେଷ୍ଟବଳଙ୍କ ହତ୍ୟାକୁ ଦଳ ଉଳ୍ଲେଖ କଲା ସେଥିରେ ଶାସକ ଦଳର ସଦସ୍ୟମାନେ ବିଜେଡି ବିଧାୟକମାନଙ୍କୁ ଏଭଳି ଧୋଇଲେ ଯେ, ଦଳ ନିଜ ମୁହଁ ଲୁଚାଇବାକୁ ବି ବାଟ ପାଇଲା ନାହିଁ । ମହିଳା କନେଷ୍ଟବଳ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିସାରିଥିବା ଓ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ପୁରୁଣା ଲିଙ୍କ୍ ପଦାରେ ପଡ଼ିବା ପରେ ଦଳ ପାଇଁ ଏହା ବୁମେରାଂ ଭଳି ହୋଇଥିଲା ।
ସେହିପରି ପଂଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସ ପ୍ରସଙ୍ଗକୁ ଦଳ ବିଧାନସଭା(Assembly)ରେ ନଉଠାଇ ଅଧିବେଶନ ଚାଲିଥିବାବେଳେ ରାଜରାସ୍ତାରେ ଉଠାଇଲା । ଗୃହରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ପରିବର୍ତ୍ତେ ରାଜରାସ୍ତାରେ କେବଳ ତମ୍ଭିତୋଫାନ କରିବା ଏବଂ ଜଣେ ବି ପଂଚାୟତ ପ୍ରତିନିଧିଙ୍କୁ ସଭାମଂଚରେ ନିଜର କଥା ରଖିବାକୁ ସୁଯୋଗ ନଦେବା ମଧ୍ୟ ବିଜେଡିର ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଥିଲା । ଦଳ ଏହି ପ୍ରସଙ୍ଗରେ ଗୃହରେ ମୁଲତବୀ ଅବା ଅନ୍ୟ କୌଣସି ମାଧ୍ୟମରେ ଚର୍ଚ୍ଚା କରି ସରକାରଙ୍କୁ ଘେରିପାରିଥାନ୍ତା । ମାତ୍ର ଦଳ ବାସ୍ତବରେ ଏହି ପ୍ରସଙ୍ଗରେ ସମାଧାନ ନୁହେଁ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଚାହିଁଥିବା ଏକରକମ ସ୍ପଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି ।
ବିଜେଡି ଚଳିତ ଅଧିବେଶନରେ ଏଭଳି ଦିଶାହୀନ ଆଭିମୁଖ୍ୟ ପୋଷଣ କରିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟମୂଳକ ଅନୁପସ୍ଥିତି ମଧ୍ୟ ଦଳର ଦୋମୁହାଁ ଚରିତ୍ରକୁ ଉଜାଗର କରାଇଛି ଓ ସାଧାରଣ ଲୋକଙ୍କ ସମସ୍ୟାଠୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି । ବିଧାୟକ ଦଳ ବୈଠକରେ ଗୃହକୁ ଚଳାଇ ନଦେବା ଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତି ମଧ୍ୟ ଦଳକୁ ଆଗାମୀ ଦିନରେ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି । ଦିଲ୍ଲୀରେ ଥିବା ଦଳର ସୁପ୍ରିମୋ ଓ ଅଘୋଷିତ ସର୍ବେସର୍ବାଙ୍କ ସହ ଠିକ୍ ଭାବେ ଯୋଗାଯୋଗ ନହେବା ମଧ୍ୟ ବିଜେଡି ବିଧାୟକମାନଙ୍କୁ ଗୃହରେ ଦିଶାହୀନ କରାଇ ଦେଇଥିଲା । ଦଳର ଅଧିକାଂଶ ବିଧାୟକ ଗୃହକୁ ଚଳାଇବା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସପକ୍ଷରେ ଥିବାବେଳେ ଅଘୋଷିତ ସର୍ବେସର୍ବାଙ୍କ ଅନୁଗତ ଥିବା କିଛି ମେରୁଦଣ୍ଡବିହୀନ ବିଧାୟକମାନେ ଗୃହକୁ ବନ୍ଦ କରି ରଖିବାରେ ସଫଳ ହୋଇଥିଲେ ।
ଅନାସ୍ଥା ପ୍ରସ୍ତାବ ମଧ୍ୟରେ ସୀମିତ ରହିଗଲା କଂଗ୍ରେସ
କଂଗ୍ରେସ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣି ବିଜେଡି ଓ ବିଜେପି ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ଉଜାଗର କରିବାରେ ଏକପ୍ରକାର ସକ୍ଷମ ହୋଇଛି । ତେବେ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ନଉଠାଇ କେବଳ ଏହି ଅନାସ୍ଥା ମଧ୍ୟରେ ଦଳ ସୀମିତ ରହିଯାଇଥିଲା । ଦଳ ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାରେ ହଟ୍ଟଗୋଳ କଲା କିନ୍ତୁ ଗୃହରେ ସରକାରଙ୍କୁ କୈଫୟତ ତଲବ କରିବାରେ ସକ୍ଷମ ହେଲାନି । ଦଳର ବିଧାୟକମାନେ ମଧ୍ୟ ଗୃହକୁ ଚଳାଇ ରଖିବା ଦିଗରେ ଆନ୍ତରିକତା ନଦେଖାଇ ମଧ୍ୟ କଂଗ୍ରେସର ଦିଶାହୀନ ରଣନୀତିକୁ ଉଜାଗର କରିଥିବା ଚର୍ଚ୍ଚା ।
ସୂଚନାଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଅର୍ଥାତ ୨୪ତାରିଖରେ ଶେଷ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
