Advertisment

ପିକନିକ ପାର୍ଟି ବେଳେ ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି, ଭାସିଗଲେ ପରିବାରର ୯ ଜଣ: ଭିଡିଓ ଭାଇରାଲ

ପରିବାରର ୯ ଜଣ ଭାସି ଯାଇଥିବା ବେଳେ ବାକି ସଦସ୍ୟ ଦୀର୍ଘ ୨ ଘଣ୍ଟା ଧରି ପାଣିରେ ଫସି ରହିବା ପରେ ଉଦ୍ଧାରକାରୀ ଟିମ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଥିଲା।

author-image
Hemant Lenka
Flood

Flood

ପିକନିକ ପାର୍ଟି କରିବାକୁ ଯାଇଥିବା ଗୋଟିଏ ପରିବାର ଛାରଖାର ହୋଇଯାଇଛି। ପରିବାରର ୧୮ ଜଣ ସଦସ୍ୟ ପାର୍ଟି କରିବାକୁ ଯାଇଥିଲେ। କିନ୍ତୁ ସ୍ୱାଟ ନଦୀରେ ହଠାତ୍‌ ବନ୍ୟା ପାଣି ପ୍ରଖର ବେଗରେ ମାଡ଼ି ଆସିବାରୁ ୧୮ ଜଣଙ୍କ ମଧ୍ୟରୁ ୯ ଜଣ ଏଥିରେ ଭାସି ଯାଇଛନ୍ତି। ଏମାନଙ୍କ ମଧ୍ୟରେ କିଛି ଛୋଟ ପିଲା ଓ ମହିଳା ରହିଛନ୍ତି। ଶୁକ୍ରବାର ପାକିସ୍ତାନର ଖାୟବର ପାଖତୁନଖ୍ୱାରେ ଏଭଳି ଘଟଣା ଘଟିବା ବେଳେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ କିଛି ଲୋକ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଯାଉଥିବା ଦେଖିବାକୁ ମିଳୁଛି।

Advertisment

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଚାରିପଟେ ପ୍ରଖର ବେଗରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ କିଛି ଲୋକ ଗୋଟିଏ ଉଚ୍ଚ ସ୍ଥାନରେ ପରସ୍ପରକୁ ଧରି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସେହିପରି ଉଚ୍ଚ ସ୍ଥାନକୁ ଆସିବାକୁ ଚେଷ୍ଟା କରିବା ବେଳେ କିଛି ଲୋକ ପାଣିର ସ୍ରୋତରେ ଭାସି ଯାଉଛନ୍ତି।

ରେସ୍କୁ ୧୧୨୨ ମହାନିର୍ଦ୍ଦେଶକ ଶାହ ଫହାନ କହିଛନ୍ତି, “୫ଟି ଭିନ୍ନଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରାଯାଉଛି। ସର୍ଚ୍ଚ ଅପରେସନରେ ୮୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି।” ଦୀର୍ଘ ଘଣ୍ଟା ଧରି ଉଚ୍ଚ ସ୍ଥାନରେ ରହି ଉଦ୍ଧାର ହୋଇଥିବା ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ସେମାନେ ପିକନିକ କରିବାକୁ ଆସିବା ସହ ବ୍ରେକଫାଷ୍ଟ କରୁଥିଲେ। ପିଲାମାନେ ପାଣିରେ ଖେଳିବା ସହ ସେଲଫି ନେଉଥିଲେ।

Advertisment

ସେମାନେ ମଧ୍ୟ କିଛି ସେଲଫି ନେଇ ଥିଲେ। ନଦୀରେ ପାଣି ଆଦୌ ଅଧିକ ନଥିଲା। କିନ୍ତୁ ହଠାତ୍‌ ଆମେ ଫଟୋ ଉଠାଉଥିବା ବେଳେ ବନ୍ୟା ପାଣି ଘୁଘୁ ହୋଇ ମାଡ଼ି ଆସିଥିଲା। ଏଥିରେ ପିଲାମାନେ ଭାସି ଯାଇଥିଲେ। ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଲାଗୁଥିଲା କୌଣସି ବନ୍ଧ ଭାଙ୍ଗି ଯାଇଛି ବୋଲି ସେ କହିଛନ୍ତି। ତାଙ୍କ କହିବା କଥା ଯେ ପରିବାରର ୯ ଜଣ ଭାସି ଯାଇଥିବା ବେଳେ ବାକି ସଦସ୍ୟ ଦୀର୍ଘ ୨ ଘଣ୍ଟା ଧରି ପାଣିରେ ଫସି ରହିବା ପରେ ଉଦ୍ଧାରକାରୀ ଟିମ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଥିଲା।

ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିବା ପରିବାରର ୯ ଜଣଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି। କିନ୍ତୁ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସେମାନଙ୍କର କୌଣସି ପତ୍ତା ମିଳି ନାହିଁ।

Pakistan Flood Situation