Cricket
କ୍ରିକେଟ ହେଉଛି ଜେଣ୍ଟେଲମ୍ୟାନଙ୍କ ଖେଳ। ହେଲେ ଅନେକ ସମୟରେ କ୍ରିକେଟ ମ୍ୟାଚ୍ ବେଳେ ଖେଳାଳିମାନେ ନିଜର ହିତାହିତ ଜ୍ଞାନ ହରାଇ ବସନ୍ତି। ପ୍ରତିପକ୍ଷ ଖେଳାଳି ପରସ୍ପର ମଧ୍ୟରେ ମାରପିଟ ମଧ୍ୟ କରନ୍ତି। ଏହାର ପୁଣି ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଢାକାରେ ଚାଲିଥିବା ୪ ଦିନି ବିଶିଷ୍ଟ ଏମର୍ଜିଂ ମ୍ୟାଚ୍ରେ ଦୁଇ ଜଣ ଖେଳାଳି ପଡ଼ିଆ ଭିତରେ ହାତାହାତି ହୋଛନ୍ତି।
ବାଂଲାଦେଶର ବ୍ୟାଟିଂ ଓ ଦକ୍ଷିଣ ଆଫ୍ରିକାର ବୋଲିଂ ବେଳେ ଉଭୟ ଦେଶର ଦୁଇ ଖେଳାଳି ପରସ୍ପର ସହ ଯୁକ୍ତତର୍କ କରିବା ସହ ମାରପିଟ କରିଛନ୍ତି। ଏଥିଯୋଗୁ କ୍ରିକେଟ ପଡ଼ିଆ କିଛି ସମୟ ପାଇଁ ରଣକ୍ଷେତ୍ରରେ ମଧ୍ୟ ପରିଣତ ହୋଇଥିଲା।
ପୂରା ଘଟଣା ବାଂଲାଦେଶର ୨୨ ବର୍ଷୀୟ ବ୍ୟାଟର ରିପନ ମଣ୍ଡଳ ଓ ଦକ୍ଷିଣ ଆଫ୍ରିକାର ୨୯ ବର୍ଷୀୟ ଦ୍ରୁତ ବୋଲର ଟଶେପୋ ଏନଟୁଲିଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କରୁ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ହାତାହାତିର ରୂପ ନେଇଥିବେ ବେଳେ ଏଥିରେ ଦଳର ଅନ୍ୟ ଖେଳାଳିମାନେ କେବଳ ନୀରବଦ୍ରଷ୍ଟା ସାଜିଥିଲେ। ଯଦିଓ ଏଯାଏ ମାରପିଟ ଓ ଯୁକ୍ତିତର୍କରେ ସାମିଲ ଥିବା ଖେଳାଳିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, କିନ୍ତୁ ଦୁଇ ଅମ୍ପାୟାର ଘଟଣା ସମ୍ପର୍କରେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ଇଏସପିଏନ କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ରଥମେ ରିପନ ବୋଲର ଏନଟୁଲିଙ୍କ ଗୋଟିଏ ବଲକୁ ସିଧାରେ ଛକା ମାରିଥିଲେ। ଏହାକୁ ନେଇ ବ୍ୟାଟର ଓ ବୋଲରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ରିପନ ନିଜ ବ୍ୟାଟିଂ ପାର୍ଟନରଙ୍କ ପାଖକୁ ଯାଉଥିଲେ। କିନ୍ତୁ ଏନଟୁଲି ତାଙ୍କ ଆଡ଼କୁ ଆକ୍ରମଣ କରିବା ଭଳି ମାଡ଼ି ଯାଇଥିଲେ। ପ୍ରଥମେ ଧକ୍କା ମରାମରି ହୋଇଥିଲା।
ଏହାପରେ ଏହା ହାତାହାତି ଆଡ଼କୁ ଉଭୟ ଯାଇଥିଲେ। ଏନଟୁଲି ଏକାଧିକ ଥର ରିପନଙ୍କ ହେଲମେଟ ଖୋଲିବାକୁ ଚେଷ୍ଟା କରିଥିଲେ। ଅମ୍ପାୟାର କାମରୁଜାମାନ ଦୁଇ ଜଣଙ୍କ ବିବାଦରେ ହସ୍ତକ୍ଷେପ କରିଥିଲେ ହେଁ ଏନଟୁଲି ଧକ୍କା ମାରି ଚାଲିଥିଲେ। ରିପନ ମଧ୍ୟ ନିଜର ଆକ୍ରମଣାତ୍ମକ ରୂପ ଦେଖାଇ ଏନଟୁଲିଙ୍କୁ ମାରିବା ପାଇଁ ବ୍ୟାଟ ଧରି ବାହାରି ପଡ଼ିଥିଲେ। ଦକ୍ଷିଣ ଆଫ୍ରିକାର ଅନ୍ୟ କିଛି ଖେଳାଳି ନୀରବଦ୍ରଷ୍ଟା ସାଜିଥିବା ବେଳେ କିଛି ଜଣ ବିବାଦରୁ ଦୁଇ ଜଣଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଭିଡିଓ ସାମ୍ନାକୁ ଆସିଛି।
ଘଟଣାର ୩ଟି ବଲ ପରେ ଏନଟୁଲି ପୁଣିଥରେ ବୋଲିଂ କରି ବଲକୁ ସିଧା ରିପନଙ୍କ ଆଡ଼କୁ ଫିଙ୍ଗି ଥିଲେ। ଏହି ଥ୍ରୋରୁ ବଞ୍ଚିବାକୁ ରିପନ ମଧ୍ୟ ପଦକ୍ଷେପ ନେଇଥିଲେ। ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Cricket_1748508933.jpg)