କୃତ୍ରିମ ବୁଦ୍ଧିମତା(ଏଆଇ)କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଏଆଇ ଶିଳ୍ପର ସବୁଠାରୁ ବଡ଼ ଓ ସାଧାରଣ ନାଁ ହେଲା ଚ୍ୟାଟଜିପିଟି। ଏହାର ନିର୍ମାଣକାରୀ ଓପନଏଆଇ ଏବେ ଚିନ୍ତାରେ। କାରଣ ଚାଇନିଜ କମ୍ପାନୀ ଗୁଡ଼ିକ ବେଶ ସକ୍ରିୟ ଭାବେ ଓପନଏଆଇର ଅତ୍ୟାଧୁନିକ ଏଆଇ ମଡେଲକୁ ନକଲ କରିବାରେ ଲାଗିଥିବା ଦାବି ହୋଇଛି। ବିଶେଷ କରି ଡିପସିକ ଆସିବା ପରେ ଚ୍ୟାଟଜିପିଟିର ଟେନସନ ବଢ଼ି ଯାଇଛି।
ଆମେରିକାର ଟେକ୍ ବା ବୈଷୟିକ ଶିଳ୍ପ ଜଗତ ଓ ଆର୍ଥିକ ମାର୍କେଟ ଚାଇନାର ସ୍ୱଳ୍ପ ଦାମର ଏଆଇ ଚାଟବୋଟ ଡିପସିକ ଦ୍ୱାରା ଜଳକା ହୋଇ ଯାଇଛନ୍ତି। ଏହି ଏଆଇ ଚାଟବୋଟକୁ ବର୍ଷକ ତଳେ ଆରମ୍ଭ ହୋଇଥିବା ଗୋଟିଏ ଷ୍ଟାର୍ଟଅପ ଲଞ୍ଚ କରିବା ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଛି। ଡିପସିକକୁ ନେଇ କାହିଁକି ନିବେଶକାରୀ ଓ ଆମେରିକାର ଟେକ ଜାଏଣ୍ଟମାନେ ଆତଙ୍କିତ ହୋଇପଡ଼ିଛନ୍ତି? ଏହାର କାରଣ ହେଲା ଓପନ ଏଆଇର ଚାଟଜିପିଟି ତୁଳନାରେ ଡିପସିକ ପାଇଁ ଅତ୍ୟନ୍ତ କମ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଏଆଇ ଆପ୍କୁ ବିକଶିତ କରିବା ପାଇଁ ମାତ୍ର ୬ ମିଲିୟନ ଡଲାର ଖର୍ଚ୍ଚ ହୋଇଥିବା ବେଳେ ଆମେରିକୀୟ କମ୍ପାନୀ ଓପନ ଏଆଇ, ଗୁଗଲ କିମ୍ବା ମେଟା ପ୍ରସ୍ତୁତ କରୁଥିବା ଆପ ପାଇଁ ବିଲିୟନ ବିଲୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି।
ଆପ୍କୁ ବିକଶିତ କରିବା ପାଇଁ କମ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଏଆଇ ଇଣ୍ଡଷ୍ଟ୍ରୀରେ ଛାପ ଛାଡ଼ିଥିବା ମଡେଲଗୁଡ଼ିକ ଭଳି ଏହା କାମ କରୁଛି। ଆପଲର ଆମେରିକା ଆପ୍ରେ ଏହାକୁ ସର୍ବାଧିକ ଲୋକ ମାତ୍ର କିଛି ସମୟ ମଧ୍ୟରେ ଡାଉନଲୋଡ କରିସାରିଲେଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲଞ୍ଚ ହେବାର ମାସକ ମଧ୍ୟରେ ଡିପସିକ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା, ଚାଇନା ଓ ସିଙ୍ଗାପୁରରେ ଓପନ ଏଆଇର ଚାଟଜିପିଟିର ଡାଉନଲୋଡ ସଂଖ୍ୟାକୁ ପଛରେ ପକାଇ ଦେଇଛି।
ଡିପସିକରେ ଦୈୟଯୁକ୍ତ ସବସ୍କ୍ରିପସନ ମଧ୍ୟ ମାସିକ ୦.୫୦ ଡଲାର ରହିଛି। ହେଲେ ଚାଟଜିପିଟିର ସବସ୍କ୍ରିପସନର ଦାମ ମାସିକ ୨୦ ଡଲାର ଅଛି। ଚାଇନା ସହ ଆମେରିକାର ଶିଳ୍ପ ଯୁଦ୍ଧ ବେଶ ପୁରୁଣା। ଏଥିପାଇଁ ଆମେରିକା ପକ୍ଷରୁ ଚାଇନାକୁ ଅତ୍ୟାଧୁନିକ ଚିପ୍ସ ରପ୍ତାନୀ ଉପରେ କଟକଣା ଲଗାଯାଇଛି। ତଥାପି ଚାଇନାର ଗୋଟିଏ ଷ୍ଟାର୍ଟଅପ ଅତ୍ୟନ୍ତ କମ ସମ୍ବଳରେ ଅତ୍ୟାଧୁନିକ ଏଆଇ ମଡେଲ ବିକଶିତ କରିପାରିଛି।
ଏସବୁ ଭିତରେ ଓପନଏଆଇ ପକ୍ଷରୁ ଚାଇନିଜ କମ୍ପାନୀ ବିରୋଧରେ ଚୋରି ଅଭିଯୋଗ ଅଣାଯାଇଛି। ଓପନଏଆଇର ଜଣେ ମୁଖପାତ୍ର କହିଛନ୍ତି, “ଆମେରିକାର ଲିଡିଂ ଏଆଇ କମ୍ପାନୀଗୁଡ଼ିକର ଅତ୍ୟାଧୁନତିକ ମଡେଲଗୁଡ଼ିକୁ ଚାଇନିଜ ଓ ଅନ୍ୟ ଦେଶର କମ୍ପାନୀଗୁଡ଼ିକ ଚୋରି କରିବାରେ ଲାଗିଥିବା ଆମେ ସମସ୍ତେ ଜାଣିଛୁ।” ଓପନଏଆଇ ଆହୁରି କହିଛି ଯେ ଏହି ପ୍ରକ୍ରିୟା କମ୍ପାନୀର ସେବା ପ୍ରଦାନ ନିୟମକୁ ଉଲ୍ଲଙ୍ଘନ କରୁଛି। ଏଥିପାଇଁ କମ୍ପାନୀ ଏପରି କାମକୁ ଚିହ୍ନଟ କରିବାରେ ଲାଗିଛି ଓ ଏହାକୁ ରୋକିବାକୁ ଚେଷ୍ଟା କରୁଛି। ଏଥିପାଇଁ ଓପନଏଆଇ ଆମେରିକା ସରକାରଙ୍କ ସହ ମିଶି କାମ କରୁଥିବା ମଧ୍ୟ ସୂଚନା ଦେଇଛି।
ଓପନଏଆଇ, ମାଇକ୍ରୋସଫ୍ଟ ଓ ଆମେରିକା ସରକାରର କିଛି ଲୋକ ଚାଇନା ବିରୋଧରେ ଚୋରି ଅଭିଯୋଗ ଆଣୁଥିବା ବେଳ ସୋଶାଲ ମିଡିଆରେ ଏହି ଦାବି ସହ ଅନେକ ଏକମତ ହୋଇନାହାନ୍ତି। ସେମାନଙ୍କ କହିବା କଥା ଯେ ଓପନଏଆଇର ନେତୃତ୍ୱ ନେଉଥିବା ସାମ ଅଲ୍ଟମାନ ନିଜେ ହିଁ ଏକାଧିକ ବୌଦ୍ଧିକ ସମ୍ପଦର ଉଲ୍ଲଙ୍ଘନରେ ଫସିଛନ୍ତି। ନିଜର ଜେନେରେଟିଭ ଏଆଇ ମଡେଲର ଟ୍ରେନିଂ ବେଳେ ସେ କପିରାଇଟ ଉପକରଣର ବ୍ୟବହାର ଉପରେ କୌଣସି ପ୍ରକାରର ଗୁରୁତ୍ୱ ଦେଇ ନଥିଲେ। ଏବେ ସେ ଚୋରି କଥା କହିବା ଆଶ୍ଚର୍ଯ୍ୟଜନକ ବୋଲି ଅନେକ ମତ ରଖିଛନ୍ତି।
ଚ୍ୟାଟଜିପିଟି ବିରୋଧରେ କପି କରିବା ମାମଲା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି
ଚ୍ୟାଟଜିପିଟି ବିରୋଧରେ କପିରାଇଟ ଉଲ୍ଲଙ୍ଘନ ଅଭିଯୋଗ ରହିଛି। ଏଥିପାଇଁ ବିଭିନ୍ନ କୋର୍ଟରେ ଚ୍ୟାଟଜିପିଟି ବିରୋଧରେ ମାମଲା ଚାଲିଛି। ବିଭିନ୍ନ ଲେଖକ, ନ୍ୟୁଜ ଆଉଟଲେଟ ଓ ସଂଗୀତକାରମାନେ ଚ୍ୟାଟଜିପିଟି ବିରୋଧରେ କପିରାଇଟ ଉଲ୍ଲଙ୍ଘନ ଅଭିଯୋଗ ଆଣିଛନ୍ତି। କୋର୍ଟ ମଧ୍ୟ ଅଭିଯୋଗକାରୀଙ୍କ କଥା ଶୁଣୁଛନ୍ତି। ଏଆଇ ସେବାକୁ ଟ୍ରେନ କରିବା ବେଳେ ଓପନଏଆଇ ବ୍ୟବହାର କରିଥିବା ବିଷୟବସ୍ତୁକୁ ଡିଲେଟ କରିବାକୁ ସେମାନେ ଦାବି କରିଛନ୍ତି।
ଚଳିତ ମାସରେ ନୂଆଦିଲ୍ଲୀ ଭିତ୍ତିକ ଫେଡରେସନ ଅଫ ଇଣ୍ଡିଆନ ପବ୍ଲିଶର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଓପନଏଆଇ ବିରୋଧରେ ମାମଲା କରିଛି। ଏହାପୂର୍ବରୁ ଆଉ ଏକ ସଂସ୍ଥା ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଓପନଆଇ ବିରୋଧରେ ସମାନ ଅଭିଯୋଗ କରିଥିଲେ। ଓପନଏଆଇର ଚ୍ୟାଟଜିପିଟି ବିରୋଧରେ ଚାଲିଥିବା ମାମଲାରେ ପକ୍ଷ ହେବାକୁ ଦୁଇ ଜାତୀୟ ଗଣମାଧ୍ୟମ ଏନଡିଟିଭି ଓ ନ୍ୟୁଜ ନେଟୱର୍କ ୧୮ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଓପନଏଆଇ ସେମାନଙ୍କ କଣ୍ଟେଣ୍ଟକୁ ବିନା ଅନୁମତିରେ ବ୍ୟବହାର କରୁଥିବା ଦୁଇ ସଂସ୍ଥା କହିଛନ୍ତି।
ଏସବୁ ଭିତରେ ଓପନଏଆଇ ଚାଇନିଜ କମ୍ପାନୀ ବିରୋଧରେ ଚୋରି ଅଭିଯୋଗ ଆଣିଥିବାରୁ ଏହାକୁ ଅନେକ କଟାକ୍ଷ କରିଛନ୍ତି। ସେମାନେ ଚୋର ଘରୁ ଚୋରି ବୋଲି କହି ଓପନଏଆଇକୁ କଟାକ୍ଷ କରିବାରେ ଲାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।