Woman catches snake
ସାଧାରଣତଃ ଝିଅମାନେ ଅସରପାକୁ ଦେଖିଲେ ବି ଭୟ କରନ୍ତି। କିନ୍ତୁ ଛତିଶଗଡର ଜଣେ ମହିଳା ଯେଉଁପରି ଭାବେ ନିର୍ଭୟର ସହ ସାପ ଧରୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି। ସେ ଖାଲି ହାତରେ, ବିନା କୌଣସି ଉଦ୍ଧାରକାରୀ ଯନ୍ତ୍ର ସାହାଯ୍ୟରେ ସାପ ଧରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ବାସ୍ତବରେ ଏହି ମହିଳା ଜଣକ ହେଉଛନ୍ତି ଅଜିତା ପାଣ୍ଡେ, ସେ ଜଣେ ତାଲିମପ୍ରାପ୍ତ ସାପ ଧରାଳି। ନିକଟରେ ବିଳାସପୁରର ଏକ ଅଫିସରେ ସାପ ଥିବା ନେଇ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଖବର ଦିଆ ଯାଇଥିଲା। ଖବର ପାଇ ଅଜିତା ଉକ୍ତ ଅଫିସରେ ପହଞ୍ଚିଥିଲେ।
ଭାଇରାଲ୍ ହେଉଥିବା ଭିଡିଓ ଅନୁସାରେ, ସାପଟି ଅଫିସର କିଛି ଫାଇଲ ଓ ବହି ଭିତରେ ଥିଲା। ଏହି ସମୟରେ ଅଜିତା ଅତି ନିର୍ଭୟର ସହ ଯାଇ ତାକୁ ଧରିଥିଲେ। ଏହାପରେ ହଠାତ୍ ବିରାଟ କାୟ ସାପଟି ବାହାରକୁ ଆସି ଅଜିତାଙ୍କ ହାତରେ ଗୋଡ଼ାଇ ଯାଇଥିଲା। ତଥାପି ସେ ସାପକୁ କାବୁ କରି ଏକ ବ୍ୟାଗରେ ରଖିଥିଲେ।
ଏ ଦୃଶ୍ୟ ଦେଖି ଦେଖେଣାହାରିଙ୍କର ଲୋମ ଟାଙ୍କୁରି ଯାଉ ଥିବାବେଳେ ଅଜିତାଙ୍କ ଚେହେରାରେ କିନ୍ତୁ ସାମାନ୍ୟତମ ଭୟ ନଥିଲା। ସେ ହସି ହସି ସାପକୁ ଧରୁଥିବା ଦେଖିବାକୁ ମିଳୁଛି।
ଅଜିତା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କିନ୍ତୁ ଜଣେ ୟୁଜର ଏହାକୁ ଏକ୍ସରେ ରିପୋଷ୍ଟ କରିବା ପରେ ଅଜିତାଙ୍କ ନିର୍ଭୟ ଭାବକୁ ଦେଖି ଖୁବ୍ ତାରିଫ କରିଛନ୍ତି ନେଟିଜନ୍ସ। ଅନ୍ୟ କିଛି ନେଟିଜେନ୍ସ ମଧ୍ୟ ସତର୍କତାର ପ୍ରଶ୍ନ ଉଠାଇଛନ୍ତି। ଏପରି ବିନା ସୁରକ୍ଷାରେ ସାପ ଧରିବା ଉଚିତ୍ ନୁହେଁ ବୋଲି କିଛି ୟୁଜର କହିଛନ୍ତି।
କିନ୍ତୁ ଅଜିତା ସାପଟି ବିଷଧର ନୁହେଁ, ଏହା ସାଧାରଣତଃ ମୂଷା ଅନ୍ୱେଷଣରେ ଅଫିସକୁ ଚାଲି ଆସିଥିବା କହୁଥିବା ଶୁଣିବାକୁ ମିଳୁଛି। ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଖବର ଲେଖା ହେବା ସୁଦ୍ଧା ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us