Doctor's Pre Wedding Shoot
ବର୍ତ୍ତମାନର ଫ୍ୟାସନ ଦୁନିଆରେ ସମସ୍ତେ କିଛି ନୂଆ କରିବାରେ ବ୍ୟସ୍ତ। ବିଶେଷ କରି ଏବେକାର ଯୁବପିଢି ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହାରି ମଧ୍ୟରେ ଜଣେ ଡାକ୍ତରଙ୍କୁ ନୂଆ କିଛି କରିବାର ନିଶା ମହଙ୍ଗା ପଡିଛି। ଅପରେସନ ଥିଏଟରରେ ଭାବି ପତ୍ନୀଙ୍କ ସହ ପ୍ରି-ୱେଡିଂ ସୁଟ୍ କରି ସସପେଣ୍ଡ ହୋଇଛନ୍ତି ଡାକ୍ତର।
ସୂଚନା ଅନୁସାରେ, କର୍ଣ୍ଣାଟକ ଚିତ୍ରାଦୁର୍ଗ ଜିଲ୍ଲା ହସ୍ପିଟାଲରେ ଚୁକ୍ତିଭିତ୍ତିରେ ନିଯୁକ୍ତ ହୋଇଥିଲେ ସମ୍ପୃକ୍ତ ଡାକ୍ତର। ସେ ନିକଟରେ ଜିଲ୍ଲା ହସ୍ପିଟାଲର ଅପରେସନ୍ ଥିଏଟରରେ ତାଙ୍କ ଭାବି ପତ୍ନୀଙ୍କ ସହ ପ୍ରି-ୱେଡିଂ ସୁଟ୍ କରିଥିଲେ। ଏହି ଭିଡିଓ ସୁଟ୍ ପାଇଁ ସେ ନକଲି ଅପରେସନ୍ ସିନ୍ ତିଆରି କରିଥିଲେ।
ଜଣେ ବୟସ୍କ ବ୍ୟକ୍ତିଙ୍କ ପେଟରେ ଅସ୍ତ୍ରୋପଚାର କରିବା ପାଇଁ ସେ ଏବଂ ତାଙ୍କ ଭାବି ପତ୍ନୀ ସମ୍ପୂର୍ଣ୍ଣ ରୂପେ ଡାକ୍ତରୀ ପୋଷାକ ପରିଧାନ କରିଥିଲେ। ଜଣେ ବୟସ୍କ ମଧ୍ୟ ରୋଗୀ ଭାବରେ ମେଡିକାଲ୍ ବେଡରେ ଶୋଇଥିଲେ। ଏହି ସମୟରେ କ୍ୟାମେରାପରସନ୍ ଏବଂ ଅନ୍ୟ ଟେକ୍ନିସିଆନମାନେ ହସିଥିଲେ। ଫଳରେ ରୋଗୀ ଭାବେ ଅଭିନୟ କରୁଥିବା ବୟସ୍କ ବ୍ୟକ୍ତି ମଧ୍ୟ ବେଡରୁ ଉଠି ଜୋରରେ ହସିଥିଲେ।
ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଆକ୍ସନ୍ ନେଇଛି। ସମ୍ପୃକ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରେଣୁ ପ୍ରସାଦ କହିଛନ୍ତି ଯେ, ଆମେ ତାଙ୍କୁ ଗୋଟିଏ ମାସ ପୂର୍ବରୁ ମେଡିକାଲ ଅଫିସର ଭାବେ ଚୁକ୍ତି ଭିତ୍ତିରେ ନିଯୁକ୍ତ କରିଥିଲୁ। ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ମାଧ୍ୟମରେ ଏହି ନିଯୁକ୍ତି କରାଯାଇଥିଲା। ଭିଡିଓ ସୁଟ୍ ପାଇଁ ବ୍ୟବହାର ହୋଇଥିବା ଅପରେସନ୍ ଥିଏଟର ବର୍ତ୍ତମାନ କାର୍ଯ୍ୟକାରୀ ହେଉନାହିଁ, ଏହାର ମରାମତି କାର୍ଯ୍ୟ ଚାଲିଛି।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁନ୍ଦୁରାଓ। ଡାକ୍ତରଙ୍କ ଏପରି ବିଶୃଙ୍ଖଳିତ ଆଚରଣକୁ ଶଯ୍ୟ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us