ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ସତରେ ବିଚ ରାସ୍ତାରେ ବିଜୁଳି ଖୁଣ୍ଟ ରହିଛି? ଆଜ୍ଞ ହଁ, କଥାଟା ପୂରା ସତ। ଗାଡ଼ି ମୋଟର ଯାଉଥିବା ଗୋଟିଏ ରାସ୍ତାର ପୂରା ମଝିରେ ପୋତା ଯାଇଛି ସିମେଣ୍ଟର ବିଜୁଳି ଖୁଣ୍ଟ।
ଏ ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ସିନ୍ଧବା ପଦ୍ମପୁର ରାସ୍ତାରେ। ଏହାକୁ ଦେଖି କେବଳ ସାଧାରଣ ଲୋକ ନୁହନ୍ତି, ବରଂ ଦିଗପହଣ୍ଡିର ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଚକିତ ହୋଇଛନ୍ତି। ଆଜି ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ବିପିନ ପ୍ରଧାନ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କିଛି ବିଜେପି କର୍ମୀ ଉକ୍ତ ରାସ୍ତା ଦେଇ ବଡ଼ପଦା ଜଳ ସେଚନ ପ୍ରକଳ୍ପ ଦେଖିବାକୁ ଯାଇଥିଲେ।
ସମସ୍ତେ କାରରେ ଯାଉଥିବା ବେଳେ ସିଦ୍ଧାନ୍ତ ରାସ୍ତା ମଝିରେ ବିପଦଜନକ ଭାବେ ରହିଥିବା ବିଜୁଳି ଖୁଣ୍ଟକୁ ଦେଖି ଗାଡ଼ି ଅଟକାଇଥିଲେ। ସେ ଗାଡ଼ିରୁ ଓହ୍ଲାଇ ରାସ୍ତା ମଝିରେ କେମିତି ବିଜୁଳି ଖୁଣ୍ଟ ରହିଛି, ସେନେଇ ସ୍ଥାନୀୟ ଲୋକ ଓ ବିଜେପି କର୍ମୀଙ୍କ ସହ କଥା ହୋଇଥିଲେ। ସେ ଏତେ ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ବିଜୁଳ ଖୁଣ୍ଟିର ଚାରି ପାଖରେ ବୁଲିବୁଲି ଏହାକୁ ଦେଖିଥିଲେ।
ରାସ୍ତା ମଝିରେ ସିମେଣ୍ଟର ବିଜୁଳି ଖୁଣ୍ଟ ରହିଥିବା ବେଳେ ତାର ମଧ୍ୟ ସଂଯୋଗ କରାଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବିପଦଜନକ ଭାବେ ବିଜୁଳି ତାର ଗୁଡ଼ିକ ମଧ୍ୟ ଯାଇଛି।
#ରାସ୍ତା_ମଝିରେ_ବିଦ୍ୟୁତ୍_ଖୁଣ୍ଟ
— Odisha Reporter (@OdishaReporter) June 23, 2024
ଦିଗପହଣ୍ଡି ବ୍ଲକ ସିନ୍ଧବା ପଦ୍ମପୁର ରାସ୍ତା ମଝିରେ ଅଛି ବିଦ୍ୟୁତ୍ ଖୁଣ୍ଟ। ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ପୂର୍ବତନ ବ୍ଲକ ଅଧକ୍ଷ ବିପିନ ପ୍ରଧାନଙ୍କ ସହ କିଛି ବିଜେପି କର୍ମୀ ସେହି ରାସ୍ତା ଦେଇ ବଡ଼ପଦା ଜଳ ସେଚନ ପ୍ରକଳ୍ପକୁ ଯାଇଥିବା ବେଳେ ଏହି ଦୃଶ୍ୟ ଦେଖି କିଛି ସମୟ ଅଟକି ଯାଇଥିଲେ। #Odisha pic.twitter.com/qPssTzWaFt
ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଲୋକଙ୍କ ଯିବା ଆସିବା କରିବା ପାଇଁ ରାସ୍ତା ନିର୍ମାଣ ହୋଇଥିବା ବେଳେ କିଭଳି ଟାଟା ପାୱାର ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ବଦ୍ୟୁତ ଖୁଣ୍ଟକୁ ପୋତିଛି, ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।