Advertisment

ଭୋଜିରେ ମିଳିଲା ଖାଲି ପାଣି, ବର-କନ୍ୟା ଉପରେ ରାଗିଗଲେ ଅତିଥି

ବାହାଘରରେ ପହଁଚିଥିବା ଅତିଥିଙ୍କୁ କେବଳ ପିଇବାକୁ ପାଣି ଦିଆଯାଇଥିଲା।

author-image
Madhupriya Mistry
India Wedding

India Wedding

କେଉଁଠି ସାଦା ଭୋଜି ତ କେଉଁଠି ଆମିଷ। ଆଉ କେଉଁଠି ଉଭୟ ଭେଜ୍ ଏବଂ ନନଭେଜ୍। ବିବାହ ଭୋଜି ମାନେ ଆଖି ସାମ୍ନାରେ ଆସିଯାଏ ଛଅ ତିଅଣ ନ ଭଜାର ପ୍ଲେଟ୍। ତା’ସହ ଭଳିକି ଭଳି ଷ୍ଟାଟର ଆଇଟମ୍। ଡେଜର୍ଟରେ ବିଭିନ୍ନ ପ୍ରକାରର ମିଠା ସାଙ୍ଗକୁ ଆଇସକ୍ରିମ। ଆଉ ଖାଇବା ସରିଲେ ମୁଖବାସ ଏବଂ ପାନର ତଡକା। ଆଜି କାଲି ପ୍ରାୟ ସବୁ ଭୋଜିରେ ବଡ ଧରଣର ଆୟୋଜନ। ହେଲେ ଏମିତି ଏକ ଭୋଜି ହୋଇଛି ଯେଉଁଠିକି ଯାଇ ପଶ୍ଚାତାପ କରିଛନ୍ତି ଅତିଥି। କେବଳ ସେତିକି ନୁହେଁ ବର କନିଆଁଙ୍କ ଆୟୋଜନକୁ ଦେଖି ରାଗ ତମ ତମ ହୋଇ ଭୋଜିରୁ ବାହାରି ଯାଇଛନ୍ତି। 

Advertisment

ନିମନ୍ତ୍ରଣ ପାଇଥିବା ଅତିଥି ଭାବିଥିଲେ ବିବାହ ଉତ୍ସବରେ ସେମାନଙ୍କ ଖୁବ୍ ଆଦର ସତ୍କାର ହେବ। ଭୋଜିରେ ସୁସ୍ୱାଦୁ ଖାଇବା ବ୍ୟବସ୍ଥା ହୋଇଥିବ। ହେଲେ ଏମିତି କିଛି ହୋଇନଥିଲା। ବାହାଘରରେ ପହଁଚିଥିବା ଅତିଥିଙ୍କୁ କେବଳ ପିଇବାକୁ ପାଣି ଦିଆଯାଇଥିଲା। ଆଉ କିଛି ନୁହେଁ। ନା ଖାଇବା ବ୍ୟବସ୍ଥା ହୋଇଥିଲା ନା ପିଇବାକୁ ମଦ। ବାହାଘରରେ ଏଭଳି କଞ୍ଜୁସି ଦେଖି ରାଗି ଯାଇଥିଲେ ଅତିଥି। 

ବିବାହ ଉତ୍ସବରେ ଅତିଥିଙ୍କ ସହ ହୋଇଥିବା ଏଭଳି ବ୍ୟବହାର ସମ୍ପର୍କିତ ଏକ ପୋଷ୍ଟ ରେଡିଟରେ ଭାଇରାଲ ହେଉଛି। ଏହି ପୋଷ୍ଟରେ କନିଆଁ ପକ୍ଷରୁ କୁହାଯାଇଛି ଯେ, ସେ କେବଳ ପାଣି ପିଅନ୍ତି। ବେଳେ ବେଳେ ଜୁସ୍ ଓ କ୍ଷୀର ପିଅନ୍ତି ଏବଂ ଆଦୌ କଫି ପିଅନ୍ତିନି। ବାହାଘର ଉତ୍ସବରେ ସେ ଯେତେବେଳେ ଅତିଥିଙ୍କୁ କେବଳ ପାଣି ହୋଇଥିବା କହିଥିଲେ, ଅଧିକାଂଶ ଅତିଥି ଏହା ଶୁଣି ବିରକ୍ତି ପ୍ରକାଶ କରିଥିଲେ। ତେବେ ଆଉ କିଛି ଅତିଥିଙ୍କୁ କିଛି ଫରକ ପଡିନଥିଲା। ଏପରିକି ଅନ୍ୟ କିଛି ଅତିଥି ଓପନ ବାର୍ ଖୋଲିବା ନେଇ ପ୍ରସ୍ତାବ ଦେଇଥିଲେ। 

Advertisment

ରେଡିଟରେ ଏହି ପୋଷ୍ଟ ସେୟାର ହେବା ମାତ୍ରେ ଭାଇରାଲ ହୋଇଯାଇଥିଲା। ଅନେକ ଏହା ଉପରେ କମେଣ୍ଟ କରି ଉଭୟ ବର କନିଆଁଙ୍କୁ ଗାଳି ଦେଇଥିଲେ। ଅନ୍ୟ କିଛି ୟୁଜର୍ସ କହିଥିଲେ ନିମନ୍ତ୍ରିତ ଅତିଥିଙ୍କ ଠାରୁ ଗିଫ୍ଟ ନେଇ ସେମାନଙ୍କୁ କେବଳ ପାଣି ଦେବା ଅଭଦ୍ରାମି।