Lebanon
ଇସ୍ରାଏଲର ସବୁ ଠାରୁ ବଡ଼ ଓ ଭୟଙ୍କର ଏୟାର ଷ୍ଟ୍ରାଇକରେ ଲେବାନନ ଏକ ପ୍ରକାରର ଛିନଛତ୍ର ହୋଇଯାଇଛି। ଇସ୍ରାଏଲର ବୋମା ଓ ରକେଟ ମାଡ଼ରେ ଏଯାଏ ପ୍ରାୟ ୫୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏକାଧିକ ଘର ମାଟିରେ ମିଶିଯାଇଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଇସ୍ରାଏଲର ମିଶାଇଲ ମାଡ଼ କେତେ ଭୟଙ୍କର ଥିଲା, ତା’ର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।
ଇସ୍ରାଏଲ ଆକ୍ରମଣ ସମୟରେ ଲାଇଭ ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକଙ୍କ ଅତି ନିକଟରେ ହୋଇଛି ମିଶାଇଲ ମାଡ଼। ଟିଭି କ୍ୟାମେରାରେ ମଧ୍ୟ ପୂରା ବିଶ୍ୱ ଏହି ଦୃଶ୍ୟକୁ ଦେଖିଛି। ଭିଡିଓରେ ମିଶାଇଲ ମାଡ଼ର ପୂରା ଦୃଶ୍ୟ ରହିଛି। ମିଶାଇଲ କେମିତି ଲାଇଭ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କ ରୁମର କାଚକୁ ଭାଙ୍ଗୁଛି ଓ ଛାତକୁ ଭୁଶୁଡ଼ାଇ ଦେଉଛି, ତା’ର ଛାତି ଥରା ଦୃଶ୍ୟ ଦେଖା ଯାଉଛି।
ମିଶାଇଲ ମାଡ଼ରେ ପୂରା ଆତଙ୍କିତ ହୋଇ ପଡ଼ିଥିବା ସାମ୍ବାଦିକ ଜଣଙ୍କ ହେଲେ ଫାଦି ବୌଦାୟା। ସେ ମିଶାଇଲ ମାଡ଼ରେ ଝରକା ଓ କାନ୍ଥ ଭୁଶୁଡ଼ିବା ପରେ ଚିତ୍କାର କରି ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ। ଫାଦି ବୌଦାୟା ହେଉଛନ୍ତି ଲେବାନନର ମାରାୟା ଇଣ୍ଟରନ୍ୟାଶନାଲ ନେଟୱର୍କର ମହାନିର୍ଦ୍ଦେଶକ। ସେ ମାରାୟା ଇଣ୍ଟରନ୍ୟାଶନାଲ ନେଟୱର୍କର ମୁଖ୍ୟ ସଂପାଦକ ମଧ୍ୟ।
ଇସ୍ରାଏଲ କରୁଥିବା ଘନଘନ ଆକ୍ରମଣ ସମ୍ପର୍କରେ ସେ ଟିଭିରେ ଲାଇଭ ଉପସ୍ଥିତ ରହି ଘଟଣା ସମ୍ପର୍କରେ ସୂଚନା ଦେଉଥିଲେ। ଏହି ସମୟରେ ହିଁ ଗୋଟିଏ ମିଶାଇଲ ବିରାଟ ଶବ୍ଦ କରି ଫାଦି ବସିଥିବା ରୁମର ଝରକାରେ ମାଡ଼ ହୋଇଥିଲା। ସୌଭାଗ୍ୟବଶତଃ ଏଥିରେ ତାଙ୍କ ଜୀବନ ଯାଇ ନାହିଁ। ସେ କେବଳ ଆହତ ହୋଇଛନ୍ତି। ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ମିଶାଇଲ ଆଟାକରେ ଆହତ ହୋଇଛନ୍ତି।
ସୋମବାର ଠାରୁ ଦକ୍ଷିଣ ଲେବାନନର ଏକାଧିକ ଗାଁରେ ଆକ୍ରମଣ କରୁଥିବା ଇସ୍ରାଏଲ ନରସଂହାର ଘଟାଇ ଚାଲିଛି। ଇସ୍ରାଏଲ ଆକ୍ରମଣରେ ୧୬ ଶହରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ହଜାର ହଜାର ଲୋକ ଭୟରେ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Lebanon_1727172230.jpg)