Red Wine Flowing
ପର୍ତ୍ତୁଗାଲର ସାଓ ଲୋରେଙ୍କୋ ଡି ବାଇରୋରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ରାସ୍ତାରେ ନଦୀର ଭ୍ରମ ସୃଷ୍ଟି କରୁଛି ରେଡ୍ ୱାଇନ୍। ଏହି ଛୋଟିଆ ସହରର ଏକ ରାସ୍ତାରେ ନଦୀ ସ୍ରୋତ ଭଳି ବୋହି ଯାଉଛି ନାଲି ମଦ, ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ନା ଆକାଶରୁ ବର୍ଷା ହେଉଛି ନା ପାହାଡ଼ ଫାଟି ଝରଣା ବୋହୁଛି? କିଛି କୁଆଡୁ ନ ଘଟୁଥିଲେ ବି ରାସ୍ତାରେ ବୋହିଯାଉଛି ନାଲି ରଙ୍ଗର କିଛି ତରଳ। ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକ। ରାସ୍ତାର ଗାଡି ମୋଟୋରର ଭିଡ଼ ଭାଙ୍ଗି କେଉଁଆଡୁ ନାଲି ରଙ୍ଗର ତରଳ ଆସୁଛି ବୋଲି ସମସ୍ତେ ଜାଣିବାକୁ ଚେଷ୍ଟା କରିଥିଲେ।
ପରେ ଏହା ରେଡ୍ ୱାଇନ୍ ବୋଲି ଜାଣିବାକୁ ପାଇଥିଲେ। ନ୍ୟୁୟର୍କ ପୋଷ୍ଟ ଅନୁସାରେ, ଏକ ମଦ କାରଖାନା ନିକଟରେ ଥିବା ୨୦ ଲକ୍ଷ ଲିଟର ରେଡ୍ ୱାଇନ୍ ଭର୍ତ୍ତି ଏକ ଟ୍ୟାଙ୍କର ଫୁଟିଯିବାରୁ ଏପରି ଘଟିଛି। ରେଡ୍ ୱାଇନ୍ ସର୍ଟିମା ନଦୀ ଆଡ଼କୁ ବୋହି ଚାଲିଥିଲା। ସର୍ଟିମା ନଦୀକୁ ମଦ ନଦୀରେ ପରିଣତ କରିବା ପୂର୍ବରୁ ଅଗ୍ନିଶମ ବାହିନୀ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଦ ସ୍ରୋତର ଦିଗ ପରିବର୍ତ୍ତନ କରାଯାଇ ଏକ କ୍ଷେତରେ ଗଚ୍ଛିତ ରଖାଯାଇଥିଲା।
ଏହି ଘଟଣା ପାଇଁ ମଦ କାରଖାନା ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ଯେଉଁସବୁ କ୍ଷେତକୁ ମଦ ବୁଡ଼ାଇ ଦେଇଥିଲା ସେବୁ ପରିଷ୍କାର, ପରିଚ୍ଛନତା ଏବଂ କ୍ଷତିପୂରଣ ଦିଆଯିବ ବୋଲି କାରଖାନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us