OLA
ଉପଯୁକ୍ତ ସେବା ପ୍ରଦାନ କଲାନି କମ୍ପାନୀ। ବାରମ୍ବାର ଅନୁରୋଧ କରି କିଛି ବି ଲାଭ ପାଇଲେ ନାହିଁ। ଶେଷରେ ଗାଡ଼ି କିଣିଥିବା ଶୋ’ ରୁମରେ ନିଆଁ ଲଗାଇ ନିଜର ରାଗ ସୁଝାଇଛନ୍ତି ଜଣେ ଯୁବକ। କର୍ଣ୍ଣାଟକା ପୁଲିସ ଏହି ଘଟଣାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।
ନିକଟରେ ଯୁବକ ଜଣଙ୍କ ଶୋ’ ରୁମରୁ ଗୋଟିଏ OLA ସ୍କୁଟର କିଣିଥିଲେ। ହେଲେ ତାଙ୍କୁ ଉପଯୁକ୍ତ ସେବା ମିଳି ନଥିଲା। ଏଥିଯୋଗୁ ଯୁବକ ଜଣଙ୍କ ଗାଡ଼ି କିଣିଥିବା ଶୋ’ ରୁମରେ ପହଞ୍ଚି ନିଆଁ ଲଗାଇ ଦେଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁସାରେ, ୨୬ ବର୍ଷୀୟ ମହମ୍ମଦ ନଦୀମ ଗତ ମାସରେ ଗୋଟିଏ ଓଲା ସ୍କୁଟର କିଣିଥିଲେ। ସେ ପେଶାରେ ଜଣେ ମେକାନିକ। ତେବେ କିଛି ଦିନ ତଳେ ଗାଡ଼ିରେ କିଛି ସମସ୍ୟା ଦେଖାଯିବାରୁ ସେ ସର୍ଭିସିଂ ପାଇଁ ଆଣିଥିଲେ। ତାଙ୍କୁ ସେଠାରେ ଉପଯୁକ୍ତ ସେବା ମିଳି ନଥିଲା। ସମସ୍ୟାର ସମାଧାନ କରିବାକୁ ସେ ବାରମ୍ବାର ଶୋ’ ରୁମକୁ ଯାଇଥିଲେ।
ହେଲେ ତାଙ୍କୁ ସବୁଥର ନିରାଶ ହେବାକୁ ପଡ଼ିଥିଲା। ମଙ୍ଗଳବାର ସେ ଶୋ’ ରୁମ ଉପରେ କ୍ଷୁବ୍ଧ ହୋଇ ସାଙ୍ଗରେ ପେଟ୍ରୋଲ ଧରି ପହଞ୍ଚିଥିଲେ। ମାଲିକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ନଦୀମ ସେଠାରେ ଥିବା ୬ଟି ଗାଡ଼ି ସହ ଶୋ’ ରୁମରେ ନିଆଁ ଲଗାଇ ଦେଇଥିଲେ। ଏଥିଯୋଗୁ ପୂରା ଶୋ’ ରୁମରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ବି ମୃତାହତ ହୋଇ ନଥିବା କାଲାବର୍ଗୀର ପୁଲିସ୍ କମିଶନର ସୂଚନା ଦେଇଛନ୍ତି।
ଯୁବକ ଜଣଙ୍କ ନିଆଁ ଲଗାଇ ଦେବାରୁ ଶୋ’ ରୁମର ପ୍ରାୟ ୮,୫୦,୦୦୦ ଟଙ୍କା କ୍ଷତି ହୋଇଛି। ତେବେ କମ୍ପାନୀ ପକ୍ଷରୁ ଏନେଇ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରାଯାଇନି।
ଭାରତର ନମ୍ବର ୧ ଇ-ସ୍କୁଟର ନିର୍ମାଣକାରୀ ସଂସ୍ଥା ଓଲା ଇଲେକ୍ଟ୍ରିକ ଉପଯୁକ୍ତ ସେବା ଦେଉନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି। ତେବେ କମ୍ପାନୀର କହିବା କଥା ଯେ ଓଲା ସର୍ଭିସ ସେଣ୍ଟରରେ ଟେକ୍ନିକାଲ ସମସ୍ୟା ରହୁଛି। ଅନେକ ଅଭିଯୋଗ ଆସୁଥିବାରୁ ସେଗୁଡ଼ିକ ସହ ଡିଲ କରିବା କାଠିକର ପାଠ ହୋଇପଡ଼ୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/OLA_1726064044.jpg)