Stage
ସାମ୍ନାକୁ ଆସିଛି ଗୋଟିଏ ଚକିତ କରିବା ଭଳି ଭିଡିଓ। ସୁହେଲଦେବ ସ୍ୱାଭିମାନ ପାର୍ଟି(ଏସଏସପି)ର ଜାତୀୟ ସଭାପତି ମହେନ୍ଦ୍ର ରାଜଭରଙ୍କୁ ଆକ୍ରମଣ କରିଛନ୍ତି ତାଙ୍କରି ଦଳର ଜଣେ ଅସନ୍ତୁଷ୍ଟ କର୍ମୀ। ଉତ୍ତର ପ୍ରଦେଶର ଜଉନପୁରରେ ଆୟୋଜନ ସମାବେଶରେ କର୍ମୀ ଜଣଙ୍କ ଷ୍ଟେଜ ଉପରେ ପ୍ରଥମେ ମହେନ୍ଦ୍ରଙ୍କୁ ଫୁଲ ମାଳ ପିନ୍ଧାଇଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଛନ୍ତି।
ମହାରାଜ ସୁହେଲଦେବଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଜଉନପୁର ଜିଲ୍ଲାର ଜଲାଲାପୁର ଅଞ୍ଚଳରେ ଏସଏସପି ଗୋଟିଏ ବିଶାଳ କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଦଳର କର୍ମୀ ବ୍ରଜେଶ ରାଜଭର ଫୁଲ ମାଳ ପିନ୍ଧାଇବା ପରେ ଏକାଧିକ ଚାପୁଡ଼ା ମାରିଥିଲେ। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ମହେନ୍ଦ୍ର ବିଜେପି ଓ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ହୋଇଥିଲେ।
ଏହି ସମୟରେ ସେ ମାଉ ସଦର ଆସନରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ମୁକ୍ତାର ଅନସାରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ମହେନ୍ଦ୍ରଙ୍କ ପାଇଁ ନିଜେ ପ୍ରଧାନମନ୍ତ୍ରୀ ପ୍ରଚାର କରିବା ସହ ତାଙ୍କୁ କଟପ୍ପା ବୋଲି ସମ୍ବୋଧନ କରିଥିଲେ। ଏସବିଏସ୍ପି ମୁଖ୍ୟ ଓମ ପ୍ରକାଶ ରାଜଭରଙ୍କ ସହ ରହିଥିବା ବେଳେ ମହେନ୍ଦ୍ର ବିଦ୍ରୋହ ଘୋଷଣା କରିଥିଲେ। ୨୦୧୯ରେ ସେ ନିଜସ୍ୱ ସୁହେଲଦେବ ସ୍ୱାଭିମାନ ପାର୍ଟି ଗଠନ କରିଥିଲେ। ୨୦୨୨ରେ ସେ ଅଖିଲେଶ ଯାଦବଙ୍କ ନିକଟତର ହୋଇଥିଲେ।
ଏବେ ତାଙ୍କୁ ଚାପୁଡ଼ା ମରା ଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଅଖିଲେଶ ଯାଦବ ଏହାକୁ ନିନ୍ଦା କରିଛନ୍ତି। ସେ ପିଡିଏ ଶବ୍ଦ ବ୍ୟବହାର କରି ବିଜେପିକୁ ଟାର୍ଗେଟ କରିଛନ୍ତି। ପିଡିଏ ଅର୍ଥ ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁ। ବିଜେପି ଶାସନ ବେଳେ ପିଡିଏ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରର ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି ଅଖିଲେଶ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜଲାଲାପୁର ପୁଲିସ ଷ୍ଟେସନ ଅଧୀନରେ ଥିବା ଆଶାପୁର ଗାଁରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହାରାଜ ସୁହେଲଦେବଙ୍କ ପ୍ରତିମୂର୍ତ୍ତି ରାଜଭରଙ୍କ ଦବଦବା ରହିଥିବା ଜାଫରାବାଦ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା କରିବା ପାଇଁ ଭୂମି ପୂଜନ ମଧ୍ୟ ହୋଇଥିଲା। ଏଥିରେ ମହେନ୍ଦ୍ର ରାଜଭର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ହେଲେ ସମସ୍ତଙ୍କୁ ଚକିତ କରି ବ୍ରିଜେଶ ପ୍ରଥମେ ଫୁଲ ମାଳ ଧରି ଷ୍ଟେଜକୁ ଯାଇଥିଲେ। ସେ ଲୋକମାନଙ୍କୁ ସମ୍ବୋଧନ କରିଥିଲେ। ଭାଷଣ ସରିବା ପରେ ସେ ମହେନ୍ଦ୍ରଙ୍କୁ ଫୁଲ ମାଳ ପିନ୍ଧାଇ ଫଟୋ ପୋଜ ଦେଇଥିଲେ। କିନ୍ତୁ ଏହାପରେ ସେ ସର୍ବସମ୍ମୁଖରେ ତାଙ୍କୁ ବାରମ୍ବାର ଚାପୁଡ଼ା ମାରିଥିଲେ।
ଆକ୍ରମଣ ପାଇଁ ମହେନ୍ଦ୍ର ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତଥା ଏସବିଏସ୍ପିର ସଭାପତି ଓମ ପ୍ରକାଶ ରାଜଭରଙ୍କୁ ଦାୟୀ କରିଛନ୍ତି। କିନ୍ତୁ ଏସବିଏସ୍ପି କିମ୍ବା ଓମ ପ୍ରକାଶଙ୍କ ପକ୍ଷରୁ ଅଭିଯୋଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଘଟଣା ପରେ ମହେନ୍ଦ୍ର ଷ୍ଟେଜରୁ ଚାଲି ଯାଇଥିଲେ ଓ ପରବର୍ତ୍ତୀ ସମୟରେ ସେ ଜଲାଲାପୁର ପୁଲିସ୍ ଷ୍ଟେସନରେ ବ୍ରିଜେଶଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
ମହେନ୍ଦ୍ର ଦାବି କରିଛନ୍ତି ଯେ “ବ୍ରିଜେଶ ଏକଦା ମୋ ଦଳର କର୍ମୀ ଥିଲେ। କିନ୍ତୁ ଏବେ ଦଳର କୌଣସି ପଦପଦବୀରେ ସେ ନାହାନ୍ତି। ମୁଁ ଜାଣିନି ସେ କେମିତି କାର୍ଯ୍ୟକ୍ରମକୁ ଆସିଲେ ଓ ତାଙ୍କୁ କିଏ ନିମନ୍ତ୍ରଣ କରିଥିଲେ? ଦଳ ଭିତରେ କୌଣସି କନ୍ଦଳ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Stage_1749629257.jpg)