Advertisment

ସାଇବର ଠକକୁ କେମିତି ପାଣି ପିଆଇଲେ ଯୁବତୀ? ଭିଡିଓ ନିଶ୍ଚିତ ଦେଖନ୍ତୁ

ଏକ୍ସରେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ ଠକେଇ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ସହ ଫୋନରେ କଥା ହେଉଛନ୍ତି।

author-image
Hemant Lenka
UPI

UPI

ସାଇବର ଠକମାନେ ପ୍ରତିଦିନ ନୂଆ ନୂଆ ଶୈଳୀରେ ଠକେଇ କରିବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ପ୍ରଲୋଭିତ କରି କିମ୍ବା ଯେକୌଣସି ଉପାୟରେ ସେମାନେ ନିଜ ଜାଲରେ ଫସାଉଛନ୍ତି। ଏବେ ବେଶ କିଛି ମାସ ହେଲା ସାଇବର ଠକଙ୍କ ‘ବାପାଙ୍କ ସାଙ୍ଗ’ ଶୈଳୀଟି ବେଶ ଚାଲିଛି। ଏହି ଠକେଇର ସାଇବର ଠକ ନିଜକୁ ଜଣେ ଯୁବକ/ଯୁବତୀଙ୍କୁ ତାଙ୍କ ବାପାଙ୍କ ସାଙ୍ଗର ପରିଚୟ ଦେଇ କଥା ହେଉଛି।

Advertisment

ଏହାପରେ ଆର୍ଥିକ ସହାୟତା କିମ୍ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି। କିଛି ଯୁବକ/ଯୁବତୀ ଏଥିରେ ଫସିବାର ନଜିର ମଧ୍ୟ ରହିଛି। କିନ୍ତୁ ଜଣେ ଯୁବତୀ ବେଶ ନାଟକୀୟ ଢଙ୍ଗରେ ସାଇବର ଠକର ସବୁ ଚାଲକୁ କେମିତି ପଣ୍ଡ କରୁଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। ସାଇବର ଠକକୁ ଯୁବତୀ ଜଣଙ୍କ ପାଣି ପିଆଇବା ଘଟଣାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଭିଡିଓକୁ ଅନେକ ଲୋକ ଶେୟାର କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଏକ୍ସରେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ ଠକେଇ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ସହ ଫୋନରେ କଥା ହେଉଛନ୍ତି। ଠକ ଜଣକ ନିଜକୁ ଯୁବତୀଙ୍କ ବାପାଙ୍କ ସାଙ୍ଗର ପରିଚୟ ଦେଇ କଥାବାର୍ତ୍ତା ଆରମ୍ଭ କରିଥିଲା। ହେଲେ ଚତୁର ଯୁବତୀ ଜଣଙ୍କ ସାଇବର ଠକକୁ ପ୍ରଥମ କଥାରୁ ହିଁ ଜାଣି ନେଇଥିଲେ। ଏହାକୁ ଅଧିକ ମଜାଦାର କରିବା ସହ ଠକେଇକୁ ରୋକିବା ଓ ଅଧିକ ତଥ୍ୟ ହାସଲ କରିବା ପାଇଁ ସେ ଲାଉଡ ସ୍ପିକରରେ ଫୋନକୁ ରଖି କଥାବାର୍ତ୍ତା ଆରମ୍ଭ କରିଥିଲେ।

Advertisment

ଏହାକୁ ମଧ୍ୟ ଆଉ ଜଣଙ୍କ ଦ୍ୱାରା ରେକର୍ଡ କରାଇଥିଲେ। ସାଇବର ଠକ ଜଣକ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ତାଙ୍କ ବାପା ୟୁପିଆଇ ମାଧ୍ୟମରେ ୧୨ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇବାକୁ କହିଛନ୍ତି। ଏକଥା ଯୁବତୀ ଜଣଙ୍କ ଜାଣି ନଥିବା କହିବାରୁ ଠକ ଜଣକ କହିଥିଲା ଯେ ବାପା ବୋଧେ କାମ ବ୍ୟସ୍ତରେ କହିବାକୁ ଭୁଲି ଯାଇଛନ୍ତି। ଯୁବତୀ ଜଣଙ୍କ ଏଥିରେ ହଁ ଭରି ସାଇବର ଠକକୁ ଟଙ୍କା ପଠାଇବାକୁ କହିଥିଲେ।

ପ୍ରଥମେ ସାଇବର ଠକ ଜଣକ ଫେକ ଏସଏମସ କରି ଆକାଉଣ୍ଟକୁ ୧୦ ଟଙ୍କା, ପରେ ୧୦ ହଜାର ଟଙ୍କା ପଠାଇଥିଲା। ଟଙ୍କା ଜମାର ନକଲି ଏସଏମଏସ୍‌ ଆସୁଥିବା ଯୁବତୀ ଜାଣିବା ପରେ ମଧ୍ୟ କିଛି କହି ନଥିଲେ। ତାଙ୍କ ଫୋନକୁ ଟଙ୍କା ଜମା ନେଇ ଆସୁଥିବା ଏସଏମଏସ୍‌ ବ୍ୟାଙ୍କ ନୁହେଁ, ବରଂ ଗୋଟିଏ ବ୍ୟକ୍ତିଗତ ନମ୍ବରରୁ ଆସୁଥିଲା। ପ୍ରଥମେ ୧୦, ତା’ ପରେ ୧୦ ହଜାର ପଠାଇବା ପରେ ଠକ ଜଣକ ୨ ହଜାର ବଦଳରେ ୨୦ ହଜାର ଟଙ୍କା ୟୁପିଆଇ ଜରିଆରେ ପଠାଇ ଦେଇଥିବା ଯୁବତୀଙ୍କୁ କହିଥିଲା।

ଏହାର ନକଲି ଏସଏମଏସ୍‌ ମଧ୍ୟ ପଠାଇଥିଲା। ଚତୁର ଯୁବତୀ ମଧ୍ୟ ବେଶ ମଜାଳିଆ ଢଙ୍ଗରେ କହିଥିଲେ ଯେ ଅଙ୍କଲ ଆପଣ ୨ ହଜାର ବଦଳରେ ୨୦ ହଜାର ପଠାଇ ଦେଇଛନ୍ତି। ଏହା ଶୁଣି ଠକ ଜଣକ କହିଥିଲା ଯେ ଏଥିରେ କିଛି ବି ଅସୁବିଧା ନାହିଁ। ତୁମେ ମୋତେ ମୋ ୟୁପିଆଇ ନମ୍ବରରେ ବାକି ୧୮ ହଜାର ଟଙ୍କା ପଠାଇ ଦିଅ। ଯୁବତୀ ଜଣଙ୍କୁ ଠକ ଜଣକ ନିଜର ୟୁପିଆଇ ନମ୍ବର ମଧ୍ୟ ଡାକିଥିଲା।

ହେଲେ ଯୁବତୀ ଜଣଙ୍କ ନିଜ ବୁଦ୍ଧିକୁ ବ୍ୟବହାର କରି ଠକ ଜଣକ ପଠାଇଥିବା ନକଲି ଏସଏମଏସ୍‌କୁ ଏଡିଟ କରି ସେ ମଧ୍ୟ ୧୮ ହଜାର ପଠାଇ ଦେଇଥିବା ମେସେଜକୁ ତା’ ପାଖକୁ ପଠାଇ ଦେଇଥିଲା। ଏଥିସହ ଯୁବତୀ ଜଣଙ୍କ କହିଥିଲେ ଯେ “ଅଙ୍କଲ ମୁଁ ଆପଣଙ୍କୁ ମଧ୍ୟ ୧୮ ହଜାର ଟଙ୍କା ପଠାଇ ଦେଇଛି।” ଏକଥା ଦେଖି ସାଇବର ଠକ ଜଣକ ପୂରା ଚକିତ ହେବା ସହ ପରାଜୟ ସ୍ୱୀକାର କରିଥିଲା। ଶେଷରେ ଫୋନ କାଟିବା ପୂର୍ବରୁ କହିଥିଲା ଯେ “ମୁଁ ତୁମକୁ ମାନିଗଲି ଝିଅ।”

ଯୁବତୀଙ୍କ ଉପସ୍ଥିତ ବୁଦ୍ଧିକୁ ଘଟଣାକୁ ସମସ୍ତେ ପ୍ରଶଂସା କରିବା ସହ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Cyber Crime Cyber Fraud Cyber Loot