Advertisment

ଉପୁଡ଼ିଗଲା ବିରାଟକାୟ ଗଛ, ୨ ପର୍ଯ୍ୟଟକ ମୃତ; ଭିଡିଓ ଭାଇରାଲ

ମଙ୍କି ଫରେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ଏହା ମଣିଷର ନିୟନ୍ତ୍ରଣ ବାହାରେ ଥିଲା।

author-image
Jitendra Garnayak
Monkey Forest

Monkey Forest

ଏକ ବିରାଟକାୟ ବୃକ୍ଷ ଉପୁଡ଼ି ପଡ଼ିବାରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବାଲିର ଉବୁଦ ସ୍ଥିତ ମଙ୍କି ଫରେଷ୍ଟରେ ଘଟିଛି ଏହି ଘଟଣା। ମୃତ ଦୁଇ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଫ୍ରାନ୍ସର ଓ ଅନ୍ୟ ଜଣେ ଦକ୍ଷିଣ କୋରିଆର। ସେମାନଙ୍କୁ ଯଥାକ୍ରମେ ୩୨ ଓ ୪୨ ବର୍ଷ ହୋଇଥିଲା। ଦକ୍ଷିଣ କୋରିଆର ଆଉ ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପର୍ଯ୍ୟଟକମାନେ ସେଦିନ ମଙ୍କି ଫରେଷ୍ଟରେ ବୁଲାବୁଲି କରୁଥିବା ବେଳେ ଗଛଟି ଉପୁଡ଼ି ପଡ଼ିଥିଲା ଓ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଚଲାପଥରେ ପଡ଼ିଥିଲା। ତିନି ଜଣ ପର୍ଯ୍ୟଟକଙ୍କ ଉପରେ ଗଛଟି ପଡ଼ିଥିଲା। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଏହି ଘଟଣାର ଭିଡିଓ ଭାଇରାଲ ହେଉଛି। ଗଛଟି ପଡ଼ିବା ପୂର୍ବରୁ କିଛି ପର୍ଯ୍ୟଟକ ଜାଣିପାରିଛନ୍ତି। ହେଲେ ଗଛଟି ଏମିତି ପଡ଼ିଯିବ ବୋଲି ସେମାନେ ହୁଏତ ଆକଳନ କରି ପାରି ନଥିଲେ। ତେଣୁ ସେମାନେ ଚଲାପଥରେ ଅଟକି ଥିଲେ। ତେବେ ଯେତେବେଳେ ଦେଖିଲେ ଗଛଟି ଉପୁଡ଼ି ପଡ଼ୁଛି, ସେମାନେ ସେଠାରୁ ଦ୍ରୁତ ବେଗରେ ଦୌଡ଼ି ପଳାଇଥିଲେ। କିନ୍ତୁ ତିନି ଜଣ ଫସି ଯାଇଥିଲେ ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ମଙ୍କି ଫରେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ଏହା ମଣିଷର ନିୟନ୍ତ୍ରଣ ବାହାରେ ଥିଲା। ଯେଉଁ ଗଛଟି ଉପୁଡ଼ି ତଳେ ପଡ଼ିଗଲା, ତାହା ବେଶ୍ ସୁସ୍ଥ ଥିଲା। ଆମେ ନିୟମିତ ଭାବେ ଗଛଗୁଡ଼ିକ ଉପରେ ନଜର ରଖିଥାଉ। କାରଣ ପର୍ଯ୍ୟଟକ, କର୍ମଚାରୀ ଓ ମଙ୍କି ଫରେଷ୍ଟରେ ରହୁଥିବା ବନ୍ୟ ଜୀବଜନ୍ତୁଙ୍କୁ ସୁରକ୍ଷା ଆମର ପ୍ରାଥମିକତା। କିନ୍ତୁ ଏହି ଘଟଣା ଅପ୍ରତ୍ୟାଶିତ ଥିଲା। ସେହି ସମୟରେ ପବନ ଜୋରରେ ହେଉଥିବାରୁ ଗଛଟି ଭାଙ୍ଗିଗଲା ବୋଲି ଅନୁମାନ କରାଯାଉଛି।

ବାଲିରେ ମଙ୍କି ଫରେଷ୍ଟକୁ ଏକ ପବିତ୍ର ସ୍ଥାନ ମନେ କରାଯାଏ। ଏହା ଏକ ଅଭୟାରଣ୍ୟ ହୋଇଥିବା ବେଳେ ଏଥିରେ ୧୧୫ ପ୍ରଜାତିର ବୃକ୍ଷ ରହିଛି।