Advertisment

୪୦ ଡିଗ୍ରୀ ଡେଇଁଲା ୧୦ ସହରର ତାପମାତ୍ରା, ଆହୁରି ବଢ଼ିବ

ଆଜି ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି।

author-image
Hemant Lenka
Heat Wave

Heat Wave

ରାଜ୍ୟରେ ଜାରି ରହିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ଆଗୁ ସ୍ଥିତିରେ ଆହୁରି ସାଂଘାତିକ ହେବ। ଦିନର ତାପାମତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

କେନ୍ଦ୍ର କହିଛି ଯେ ଆଜି ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ପଛକୁ ମାଲକାନଗିରି ୪୧.୬, ଟିଟିଲାଗଡ଼ ୪୧.୫ ଡିଗ୍ରୀ, ବଲାଙ୍ଗିର ୪୧.୫ ଡିଗ୍ରୀ, ଅନୁଗୋଳ ୪୧.୩, ଭବାନୀପାଟଣା ୪୧, ଝାରସୁଗୁଡ଼ା ୪୦.୮ ଡିଗ୍ରୀ, ନୟାଗଡ଼ ୪୦.୬, ସମ୍ବଲପୁର ଓ ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଆସନ୍ତା ୬ ତାରିଖ ଯାଏ ରାଜ୍ୟ ତମାମ ଗ୍ରୀଷ୍ମ ପ୍ରବାହ ଏପରି ଭାବେ କଲବଲ କରିବ। ତାପାମତ୍ରା ବୃଦ୍ଧି ପାଇବ। ଦିନରେ ଯେତିକି ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି, ରାତିରେ ବି କୌଣସି ପ୍ରକାରର ଆଶ୍ୱସ୍ତି ମିଳିବ ନାହିଁ। ସମ୍ଭାବ୍ୟ ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Advertisment

ଆସନ୍ତାକାଲି ପାଇଁ ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ ଓ ଯାଜପୁରରେ ହିଟୱେଭ ଭଳି ସ୍ଥିତି ଅନୁଭୂତ ହେବ। ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ଢେଙ୍କାନାଳରେ ମଧ୍ୟ ରାତି ବେଳା ପ୍ରବଳ ଗୁଳୁଗୁଳି ଲାଗିବ। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

ଏପ୍ରିଲ ୫ ପାଇଁ ନୟାଗଡ଼, ବୌଦ୍ଧ,କନ୍ଧମାଳ,କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭବ ହେବାର ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

ରାତିରେ ବି ପ୍ରବଳ ଗରମ ଅନୁଭୁତ ହେବ। ଅର୍ଥାତ ସାଧାରଣ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Odisha Heat Wave Heat Wave In Odisha