ସନ୍ଧ୍ୟା ସୁଦ୍ଧା ହେବ ଶତ ପ୍ରତିଶତ ସ୍ଥାନାନ୍ତର, ଗାଁରେ ପାଟ୍ରୋଲିଂ କରିବ ପୁଲିସ୍‌ ’

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ‘ଏବେ ଯାଏଁ ୩ ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତର କରାସରିଲାଣି। ‘ଦାନା’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • Published: Thursday, 24 October 2024
  • , Updated: 24 October 2024, 02:26 PM IST

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ‘ଏବେ ଯାଏଁ ୩ ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତର କରାସରିଲାଣି। ‘ଦାନା’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଶତ ପ୍ରତିଶତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବାତ୍ୟା ‘ଦାନା’ ଉପକୂଳମୁହାଁ ହୋଇଥିବା ବେଳେ ମଧ୍ୟ ରାତ୍ରିରେ ଲ୍ୟାଣ୍ଡଫଲ୍‌ କରିବ। ଏଥିଯୋଗୁ ୧୧ଟି ଜିଲ୍ଲା କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଛି। ଏହି ସମସ୍ତ ଜିଲ୍ଲାର ମୋଟ ୩୮ଟି ବ୍ଲକ ଓ ୯ ପୌରାଞ୍ଚଳ ୧୬୫୩ ଗାଁ ପ୍ରଭାବିତ ହେବ ।

ରାଜ୍ୟରେ ବହୁମୁଖି ଆଶ୍ରୟ ସ୍ଥଳୀ ୭୨୮୫ରେ ଲୋକଙ୍କୁ ରଖାଯାଇଛି। ବହୁମୁଖି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ୮୪୨ଟି ରହିଛି। ଅସ୍ଥାୟୀ ଆଶ୍ରୟ ସ୍ଥଳୀ ୬,୪୪୩ ରହିଛି। ୨୩୩୮ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ମେଡିକାଲ ସ୍ଥାନାନ୍ତର କରାଯାଇଛି’। ସମ୍ପୃକ୍ତ ଜିଲ୍ଲାମାନଙ୍କୁ ୯୨ଟି ମେଡିକାଲ ଟିମ୍‌ ଓ ୫୮ଟି ପ୍ରାଣୀ ସମ୍ପଦ ବିଭାଗର ଡାକ୍ତର ଟିମ୍‌ ପଠାଯାଇଛି।

ତୃଣମୂଳ ସ୍ତରରେ ୧୯ଟି ଏନଡିଆରଏଫ ଟିମ୍‌, ୫୧ଟି ଓଡ଼ିଆରଏଫ୍‌ ଟିମ୍‌, ୨୨୦ଟି ଅଗ୍ନିଶମ ବାହିନୀ ଟିମ୍‌ ସମେତ ୧୫୮ ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ଗାଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଗାଁରେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ହେବ’ । ସେମାନଙ୍କ ଘରଦ୍ୱାର ସୁରକ୍ଷାକୁ ବି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାବାଦ ବାତ୍ୟା ଲ୍ୟାଣ୍ଡଫଲ୍‌ କଲେ ଅତ୍ୟଧିକ ପବନ ଯୋଗୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ। ତେଣୁ ଉକ୍ତ ସମୟରେ ମେଡିକାଲମାନଙ୍କରେ ନିରବଚ୍ଛିନ ବିଦ୍ୟୁତ୍‌ ସେବା ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି। ଏଥିସହ ଯେଉଁ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବ ତୁରନ୍ତ ମରାମତି ନିମନ୍ତେ ଟିମ୍‌କୁ ସଜାଗ ରଖାଯାଇଛି। ମନ୍ତ୍ରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବା ନେଇ ଖବର ପାଇଲେ ତୁରନ୍ତ ତାହାକୁ ନିରିକ୍ଷଣ କରି କାର୍ଯ୍ୟାନୁଷ୍ଠାନଗ୍ରହଣ କରିବୁ। ଲୋକମାନେ ନିର୍ଭୟରେ ଆଶ୍ରୟ ସ୍ଥଳରେ ରହିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Related story