Advertisment

ସିକିମରେ ପ୍ରକୃତିର ତାଣ୍ଡବ; ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା, ଏବେ ବି ୯୮ ନିଖୋଜ

ତୀସ୍ତା ନଦୀ ଅବବାହିକା ପ୍ରଳୟଙ୍କାରୀ ବନ୍ୟାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସେନା ପକ୍ଷରୁ ନିଖୋଜଙ୍କ ସନ୍ଧାନ ନିମନ୍ତେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

author-image
Niharika Rout
Sikkim Disaster

Sikkim Disaster

ସିକିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ବେଳେ ଏବେ ବି ୯୮ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୨ ସେନା ଯବାନ ଥିବା ଜଣାଯାଇଛି। ତୀସ୍ତା ନଦୀ ଅବବାହିକା ପ୍ରଳୟଙ୍କାରୀ ବନ୍ୟାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସେନା ପକ୍ଷରୁ ନିଖୋଜଙ୍କ ସନ୍ଧାନ ନିମନ୍ତେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ସିକିମର ତୀସ୍ତା ନଦୀରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ପଡ଼ୋଶୀ ପଶ୍ଚିମବଙ୍ଗ ଆଡ଼େ ମାଡ଼ି ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ୪ ଯବାନ ଥିବା ପଶ୍ଚିମବଙ୍ଗ ପକ୍ଷରୁ କୁହାଯାଇଛି। ଏହି ବନ୍ୟାରେ ଫସି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ପ୍ରାୟ ୨୬ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ପ୍ରଳୟଙ୍କାରୀ ବନ୍ୟାରେ ସିକିମର ୨୨,୦୩୪ ଜଣ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୦୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରକୃତିର ଏହି ତାଣ୍ଡବ ବେଳେ ସିକିମରେ ୩ ହଜାର ପର୍ଯ୍ୟଟକ ଫସି ରହିଥିବା ବେଳେ ରାସ୍ତାଘାଟ ଧୋଇ ହୋଇ ଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରୁନି। ଏଥିସହ ପାଗ କୋହଲା ଥିବାରୁ ଆକାଶମାର୍ଗରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ତେଣୁ ପାଗ ସ୍ୱାଭାବିକ ହେଲେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଭାରତୀୟ ବାୟୁସେନାର ବିମାନ ସମେତ ସେନାର ବିମାନକୁ ସଜାଗ ରଖାଯାଇଛି। 

Advertisment

ସିକିମରେ ଅବସ୍ଥା ଏବେ ସ୍ୱାଭାବିକ ହୋଇ ପାରି ନ ଥିବାରୁ ସମସ୍ତ ସ୍କୁଲ, କଲେଜକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏନେଇ ସିକିମ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗ ଫ୍ଲାସ୍‌ ଫ୍ଲଡ ଯୋଗୁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସିଙ୍ଗତମ ଅଞ୍ଚଳ ଗତକାଲି ପରିଦର୍ଶନ କରିଛନ୍ତି। ବନ୍ୟା ଯୋଗୁ ପରିସ୍ଥିତି ଖୁବ୍‌ ଖରାପ ହୋଇ ଯାଇଥିବା ବେଳେ ସ୍ଥିତିକୁ ସାମାନ୍ୟ କରିବାକୁ ଆମ ଯବାନମାନେ ଦିନରାତି ଏକ କରି ଦେଇଛନ୍ତି। ଏପରି ସମୟରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି।

ସିକିମ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ସାଧାରଣ ଜୀବନଯାତ୍ରାକୁ ଯଥାଶୀଘ୍ର ଟ୍ରାକ୍‌କୁ ଆଣିବାକୁ ସହଯୋଗ ନିମନ୍ତେ ଅନୁରୋଧ କରିଛନ୍ତି।

Flash Flood Sikkim