Heat wave in India (Representational Image)
ବର୍ଷ ୨୦୨୪ ଶେଷ ହୋଇଛି। ଏହି ବର୍ଷ ଗଲାବେଳେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୯୦୧ ମସିହା ପରେ ଭାରତରେ ସବୁଠାରୁ ଉତ୍ତପ୍ତ ବର୍ଷ ହେବାର ରେକର୍ଡ କରିଛି ୨୦୨୪। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ୨୦୨୪ରେ ହାରାହାରି ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୦.୯୦ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା।
ଏକ ଭର୍ଚ୍ଚୁଆଲ୍ ପ୍ରେସମିଟରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ କେବଳ ୨୦୨୪ ମସିହାରେ ସାରା ଭାରତରେ ବାର୍ଷିକ ହାରାହାରି ସ୍ଥଳଭାଗ ବାୟୁର ତାପମାତ୍ରା ଦୀର୍ଘକାଳୀନ ହାର (୧୯୯୧-୨୦୨୦ ଅବଧି)ଠାରୁ ୦.୬୫ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା। ଏହା ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି। ୨୦୧୬ରେ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୦.୫୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ତେଣୁ ୨୦୨୪ ବର୍ଷ ବର୍ତ୍ତମାନ ୧୯୦୧ ମସିହା ପରେ ସବୁଠାରୁ ଉତ୍ତପ୍ତ ବର୍ଷ ଭାବରେ ରେକର୍ଡ କରାଯାଇଛି।
କେବଳ ଭାରତରେ ନୁହେଁ, ୟୁରୋପୀୟ ଜଳବାୟୁ ଏଜେନ୍ସି 'କପର୍ନିକସ୍' ଅନୁଯାୟୀ ୨୦୨୪ ମସିହା ସମ୍ଭବତଃ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ଶେଷ ହୋଇଛି ବୋଲି ଅନୁମାନ କରିଛି। ଅନ୍ୟପଟେ ବିଶ୍ୱ ପାଣିପାଗ ଆଟ୍ରିବ୍ୟୁସନ୍ ଏବଂ କ୍ଲାଇମେଟ୍ ସେଣ୍ଟ୍ରାଲର ମିଳିତ ସମୀକ୍ଷାରେ ଦର୍ଶାଯାଇଛି ଯେ ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ୨୦୨୪ରେ ସମଗ୍ର ବିଶ୍ୱରେ ହାରାହାରି ୪୧ ଅତିରିକ୍ତ ଦିନର ଅତ୍ୟଧିକ ଉତ୍ତାପ ଦେଖିବାକୁ ମିଳିଥିଲା।
ଏହା ପୂର୍ବରୁ ଗତ ନଭେମ୍ବର ମାସ ମଧ୍ୟ ବହୁତ ଗରମ ଥିଲା। ସାଧାରଣତଃ ନଭେମ୍ବର ମାସ ପୂର୍ବରୁ ଶୀତ ଦିନ ଆରମ୍ଭ ହୋଇଯାଏ, କିନ୍ତୁ ଏଥର ସେପରି ଥଣ୍ଡା ନଥିଲା। ୧୯୦୧ ମସିହା ପରଠାରୁ ଏହା ଦ୍ୱିତୀୟ ଉତ୍ତପ୍ତ ନଭେମ୍ବର ବୋଲି ପାଣିପାଗ ବିଭାଗ କହିଛି। ସେତେବେଳେ ହାରାହାରି ସର୍ବାଧିକ ତାପମାତ୍ରା ୨୯.୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା, ଯାହା ଋତୁର ସାଧାରଣ ତାପମାତ୍ରା (୨୮.୭୫ଡିଗ୍ରୀ)ଠାରୁ ୦.୬୨୩ ଡିଗ୍ରୀ ଅଧିକ ଥିଲା। ସେହିଭଳି ଗତ ଅକ୍ଟୋବର ମାସ ମଧ୍ୟ ୧୯୦୧ ମସିହା ପରେ ସବୁଠାରୁ ଉତ୍ତପ୍ତ ଥିଲା। ପାଣିପାଗ ବିଭାଗ କହିଛି ଯେ ସେହି ମାସରେ ହାରାହାରି ତାପମାତ୍ରା ସାଧାରଣ ଅପେକ୍ଷା ୧.୨୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us