ବାତ୍ୟାରେ ପ୍ରଭାବିତ ହେବେ ୧୧ ଜିଲ୍ଲାର ୪.୫୫ଲକ୍ଷ ଲୋକ, ଖୋଲାଗଲା ୭୨୮୪ଟି ଆଶ୍ରୟସ୍ଥଳୀ

ବାତ୍ୟା ଯୋଗୁ ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲା ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

  • Published: Thursday, 24 October 2024
  • , Updated: 24 October 2024, 09:50 PM IST

ବାତ୍ୟା ‘ଦାନା’ ଯୋଗୁ ରାଜ୍ୟର ୧୧ଟି ଜିଲ୍ଲାର ପ୍ରାୟ ୪ଲକ୍ଷ ୫୪ହଜାର ୮୦୦ ଲୋକ ପ୍ରଭାବିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ମୋଟ ୪ଲକ୍ଷ ୧୭ହଜାର ୬୨୬ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ମୋଟ ୭୨୮୪ଟି ଆଶ୍ରୟସ୍ଥଳୀ ଖେଲାଯାଇଛି ଓ ସେଥିରୁ ୫୨୦୯ଟି ଆଶ୍ରୟସ୍ଥଳୀ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ରାତି ସାଢ଼େ ୮ଟା ସୁଦ୍ଧା ବାତ୍ୟା ‘ଦାନା’ ବିଗତ ୬ ଘଣ୍ଟା ଧରି ୧୫କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ସ୍ଥଳଭାଗ ଆଡ଼େ ଗତି କରୁଛି । ଏହା ପାରାଦୀପଠୁ ପ୍ରାୟ ୭୦କିମି ପୂର୍ବ-ଦକ୍ଷିଣପୂର୍ବ ଏବଂ ଧାମରାଠୁ ୯୦କିମି ଦକ୍ଷିଣ-ଦକ୍ଷିଣପୂର୍ବ ଓ ସାଗରଦ୍ୱୀପଠୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୯୦କିମି ଦୂରରେ ରହିଛି ।

ଆଜି ସନ୍ଧ୍ୟାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜୀବ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ବାତ୍ୟା ‘ଦାନା’ ୨୪ତାରିଖ ମଧ୍ୟରାତ୍ରି ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ବୋଲି ଆକଳନ କରାଯାଉଛି । ବାତ୍ୟା ଯୋଗୁ ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲା ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏସବୁ ଜିଲ୍ଲାର ମୋଟ ୬୪ଟି ବ୍ଲକର ୨୧୬୩ଟି ଗାଁ ଓ ୧୩ଟି ପୌରାଂଚଳର ୬୪ଟି ୱାର୍ଡର ୪ଲକ୍ଷ ୫୪ହଜାର ୮୦୦ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏପର୍ଯ୍ୟନ୍ତ(ସନ୍ଧ୍ୟା ୬ଟା) ୪ଲକ୍ଷ ୧୭ହଜାର ୬୨୬ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ମୋଟ ୭୨୮୪ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି ଓ ୫୨୦୯ଟି କେନ୍ଦ୍ରରେ ସମ୍ପୂର୍ଣ୍ଣ ସକ୍ରିୟ ଅବସ୍ଥାରେ ରହିଛି । ପ୍ରଭାବିତ ଅଂଚଳର ଲୋକଙ୍କୁ ଏପର୍ଯ୍ୟନ୍ତ ୮୬୨ କ୍ୱିଣ୍ଟାଲ ଚୂଡ଼ା ଓ ୯୭ କ୍ୱିଣ୍ଟାଲ ଗୁଡ଼ ବଂଟନ କରାଯାଇଛି । ବାତ୍ୟା ଅଂଚଳରେ ୨୧୩ଟି ମେଡିକାଲ ଟିମ୍‌,  ୧୨୦ଟି ଭେଟେନାରୀ ଟିମ୍ ମୁତୟନ କରାଯାଇଛି ।ଲଗାଣ ବର୍ଷା ଯୋଗୁ ୫୦୦ ପଶୁସମ୍ପଦ ପ୍ରଭାବିତ ହୋଇଛନ୍ତି ।

ସେହିପରି ୩୬୫୪ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ମା’ଗୃହକୁ ସ୍ଥାନାନ୍ତର କରାଯାଇଛି । ଏବେ ସୁଦ୍ଧା ୩୮୫ଟି ରେସପନ୍ସ ଫୋର୍ସ ମୁତୟନ କରାଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ଟି ଏନଡିଆରଏଫ ଟିମ୍‌, ୫୧ ଓଡ୍ରାଫ ଟିମ୍ ଓ ୯୫ ଓଏଫଡିସି ଟିମ୍ ଓ ୨୨୦ଟି ଅଗ୍ନିଶମ ବାହିନୀ ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ୨୫୬ଟି ଟିମ୍ ରାସ୍ତା ସଫା ଓ ମରାମତି ପାଇଁ ନିୟୋଜିତ ହୋଇଥିବା ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।

Related story