Advertisment

ବର୍ଷାରେ ଭିଜିଲା ଭୁବନେଶ୍ୱର, ମିଳିଲା ଗରମରୁ ଆଶ୍ୱସ୍ତି

ଅପରାହ୍ନରେ ହଠାତ୍‌ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ଧୂଳି ଝଡ଼ ହେବା ସହିତ ଘଡ଼ଘଡ଼ି ମାରିଥିଲା। ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିଥିଲା।

author-image
Manoranjan Sial
Rain

Rain

ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ୱର। ଆଉ ରାଜଧାନୀବାସୀଙ୍କୁ ମିଳିଛି ଅସମ୍ଭାଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି। ପବନ ବର୍ଷା ଯୋଗୁ ରାଜଧାନୀର କେତେକ ସ୍ଥାନରେ ରାସ୍ତାରେ ଗଛ ଉପୁଡ଼ି ପଡ଼ିଛି। ଯେଉଁଥିପାଇଁ ଯିବାଆସିବା ପ୍ରଭାବିତ ହୋଇଛି। ଘନଘନ ବିଜୁଳି ମାରୁଥିବାରୁ ଲୋକମାନେ ରାସ୍ତାରେ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

Advertisment

ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ଗୁଳୁଗୁଳି ହୋଇଥିଲା। ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ନା ଘରେ ବସି ହେଉଥିଲା ନା ଘର ବାହାରେ ବସି ହେଉଥିଲା। ଗମ୍‌ଗମ୍‌ ହୋଇ ଝାଳ ବୋହୁଥିଲା। ତେବେ ଅପରାହ୍ନରେ ହଠାତ୍‌ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ଧୂଳି ଝଡ଼ ହେବା ସହିତ ଘଡ଼ଘଡ଼ି ମାରିଥିଲା। ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିଥିଲା।

ରାଜଧାନୀର ଆଚାର୍ଯ୍ୟ ବିହାର, ନାଲକୋ, ପଟିଆ, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ, ଲକ୍ଷ୍ମୀସାଗ, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ଅସମ୍ଭାଳ ଗରମରୁ ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ମିଳିଛି। ସେପଟେ କିନ୍ତୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକମାନେ ଦୋକାନ ବାରଣ୍ଡାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ବୁଧବାର ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ,ଢେଙ୍କାନାଳ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ବେର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାଛଡ଼ା ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗୁରୁବାର କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଜଗତସିଂହପୁର, କଟକ,କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Bhubaneswar Heavy Rain Bhubaneswar News Rain