Advertisment

ଦାନା ବାନ୍ଧୁଛି ‘ଦାନା’; ପରିବା ବଜାରରେ ଲାଗିଲାଣି ନିଆଁ

ରବିବାର କଟକ ଛତ୍ର ବଜାରରେ ଆଳୁ ୩ କିଲୋକୁ ୮୦ରୁ ୮୫ ଟଙ୍କା ଥିଲା। ଆଜି ଶହେ ପାର୍‌ କରିଛି। ରାତାରାତି ୨୦ ଟଙ୍କା ବଢି ଯାଇଛି ଦର। ୪୫ରେ ମିଳୁଥିବା ପିଆଜ କିଲୋ ୬୦ରେ ପହଁଚିଲାଣି। ସବୁ ପନିପରିବାର ଦର ପାଖାପାଖି ୨୦ ଟଙ୍କା ବଢିଛି।

ଅଦ୍ୟତନ ହୋଇଛି
undefined

Vegetable

Advertisment

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ଦାନା ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ପରିବା ବଜାରରେ ଲାଗିଲାଣି ନିଆଁ। ଗତ ଦୁଇ ଦିନରେ ଆଳୁ ଓ ପିଆଜ ୨୦ ଟଙ୍କା ଲେଖାଏଁ ବଢ଼ିଥିବା ବେଳେ ପରିବାର ୧୦୦ ଅତିକ୍ରମ କରିଛି। ବାତ୍ୟା ବାହାନାରେ ବ୍ୟବସାୟୀମାନେ ସାଧାରଣ ଜନତାଙ୍କୁ ଲୋଟୁଛନ୍ତି।

Advertisment

ରବିବାର କଟକ ଛତ୍ର ବଜାରରେ ଆଳୁ ୩ କିଲୋକୁ ୮୦ରୁ ୮୫ ଟଙ୍କା ଥିଲା। ଆଜି ଶହେ ପାର୍‌ କରିଛି। ରାତାରାତି ୨୦ ଟଙ୍କା ବଢି ଯାଇଛି ଦର। ୪୫ରେ ମିଳୁଥିବା ପିଆଜ କିଲୋ ୬୦ରେ ପହଁଚିଲାଣି। ସବୁ ପନିପରିବାର ଦର ପାଖାପାଖି ୨୦ ଟଙ୍କା ବଢିଛି। କିଛି ପରିବା ଦର ଦୁଇ ଗୁଣା ହେଲାଣି। ବଜାରରେ ୬୦ ତଳକୁ ଆଉ ପରିବା ନାହିଁ। ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ।

ରାଜଧାନୀ ଭୁବନେଶ୍ୱର ୧ ନମ୍ବର ହାଟରେ ମଧ୍ୟ ସମାନ ସ୍ଥିତି। ବାତ୍ୟା ପାଇଁ ହାଟରେ ଗ୍ରାହକ ହାଉଜାଉ। କିଏ ବ୍ୟାଗ ଭର୍ତ୍ତି ପରିବା କିଣି ନେଲାଣି ତ ଆଉ କିଏ ଆଳୁ-ପିଆଜ କିଣୁଛି। ରାସନ ଦୋକାନରେ ଚୁଡା, ଚାଉଳ, ଡାଲି, ତେଲ ସମେତ ଅନ୍ୟ ରୋଷେଇ ସାମଗ୍ରୀ କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ।

Advertisment

ରେସମ ସହର ବ୍ରହ୍ମପୁରରେ ଏହି ଦୁଇ ଦିନ ଭିତରେ ବଢିଛି ଆଳୁ ଓ ପିଆଜ କିଣା। ବାତ୍ୟା ହେଲେ କାଳେ ନମିଳିବ ସେଥିପାଇଁ ଆଗୁଆ କିଣି ନେଉଛନ୍ତି ଗ୍ରାହକ। ସାଧାରଣତଃ କିଲେ ବା ଦୁଇ କିଲୋ ନେଉଥିବା ଗ୍ରାହକ ୫ କିଲୋ ଲେଖାଏଁ ଆଳୁ ନେଉଛନ୍ତି। ତେବେ ହୋଲସେଲ୍ ବେପାରୀ କହିଛନ୍ତି, ବଜାରକୁ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସୁଛି। ଗ୍ରାହକମାନେ ଅଯଥାରେ ଅଧିକ କିଣିବା ଆବଶ୍ୟକତା ନାହିଁ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସଫା ସଫା କହିଛନ୍ତି, ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ।

ପୂର୍ବରୁ ଯେତେଥର ବାତ୍ୟା ଆସିଛି, ଲୋକେ ଆତଙ୍କିତ ହୋଇ ଆବଶ୍ୟକତାଠାରୁ ଅଧିକ ପରିମାଣର ସାମଗ୍ରୀ କିଣି ଘରେ ମହଜୁଦ ରଖୁଛନ୍ତି। ଆଉ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ବଢାଇ ଦେଇଥାନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦର। ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଆତଙ୍କିତ ହୋଇ ଅଯଥାରେ ଏସବୁ କିଣାକିଣି ନକରି ବରଂ ଶୁଖିଲା ପଦାର୍ଥ ଯେପରିକି ଚୂଡା, ବିସ୍କୁଟ ଭଳି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି। ତାଠୁ ଗୁରୁତ୍ୱପୂର୍ଣ୍ଣ ଅଧିକ ମାତ୍ରାରେ ପିଇବା ପାଣି, ମହମବତୀ, ଟର୍ଚ୍ଚ ଲାଇଟ୍‌, ଚାର୍ଜେବଲ୍‌ ଲାଇଟ୍‌, ଜରୁରୀ ଔଷଧ ଏସବୁକୁ ପ୍ରସ୍ତୁତ କରି ରଖିବା ଅବଶ୍ୟକ।

Vegetable Prices Hike Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe