Advertisment

୪୩.୫ ଡିଗ୍ରୀରେ କଲବଲ ହେଲେ ରାଜଧାନୀବାସୀ, ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ।

author-image
Jitendra Garnayak
ଅଦ୍ୟତନ ହୋଇଛି
Heat Wave

Heat Wave

ସାରା ରାଜ୍ୟରେ ଆଜି ଭୁବନେଶ୍ୱରରେ ସବୁଠୁ ଅଧିକ ଖରା ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହା ସହିତ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ୪୩.୫ ଡିଗ୍ରୀ ସହିତ ଆଜି ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଛି। ଏସିଆର ୧୦ଟି ଉତ୍ତପ୍ତ ସହର ତାଲିକାରେ ଏହା ଷଷ୍ଠ ସ୍ଥାନରେ ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

Advertisment

ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ। ସକାଳ ସାଢ଼େ ୮ଟାରେ ଭୁବନେଶ୍ୱରର ତାପମାତ୍ରା ୩୧.୨ ଡିଗ୍ରୀ ରହିଥିବା ବେଳେ ସାଢେ ୧୧ଟା ସୁଦ୍ଧା ୩୯.୮ ଓ ଦିନ ସାଢେ ୨ଟା ବେଳକୁ ଏହା ଛୁଇଁଥିଲା ୪୩.୨ ଡିଗ୍ରୀ।

ସେହିପରି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବଢ଼ିଛି ଗ୍ରୀଷ୍ମ ପ୍ରବାହ। ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଆଜି ତାପମାତ୍ରା ୪୨ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି। ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୨, ତାଳଚେରରେ ୪୨.୫, ବଲାଙ୍ଗିରରେ ୪୨, ଟିଟିଲାଗଡ଼ରେ ୪୨, ମାଲକାନଗିରିରେ ୪୨.୨, ନୟାଗଡ଼ରେ ୪୨, ବୌଦ୍ଧରେ ୪୨.୨ ଓ ପାରଳାଖେମୁଣ୍ଡିରେ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ରାଜ୍ୟର ମାତ୍ର ଦୁଇଟି ସ୍ଥାନ- ବୌଦ୍ଧ ଓ ମାଲକାନଗିରିରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁ ଥିଲା।

Advertisment

ଆଜି ଚାନ୍ଦବାଲିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିବା ବେଳେ କଟକରେ ୪୦.୬, ବାରିପଦାରେ ୪୧, କେନ୍ଦୁଝରରେ ୪୦.୫, ସମ୍ବଲପୁରରେ ୪୧.୩, ସୁନ୍ଦରଗଡ଼ରେ ୪୧, ହୀରାକୁଦରେ ୪୧, ଭବାନୀପାଟଣାରେ ୪୧.୨, ସୋନପୁରରେ ୩୯.୮, ଛତ୍ରପୁରରେ ୩୮, ରାୟଗଡ଼ାରେ ୩୯, ଯାଜପୁରରେ ୪୦, ଢେଙ୍କାନାଳରେ ୪୦.୬, ବରଗଡ଼ରେ ୪୦.୪, ନୂଆପଡ଼ାରେ ୩୯.୪, ନବରଙ୍ଗପୁରରେ ୩୯.୨, ଖୋର୍ଦ୍ଧାରେ ୩୯.୫, ଜଗତସିଂହପୁରରେ ୪୧.୫, କେନ୍ଦ୍ରାପଡ଼ାରେ ୪୧ ଓ ରାଉରକେଲାରେ ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଆସନ୍ତା ଦୁଇ ଦିନ ରାଜ୍ୟର କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବଢ଼ିପାରେ। ତା’ ପରବର୍ତ୍ତୀ ୩ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

Heat Wave Weather Report Weather News