Advertisment

ରାତିରେ ରାଜଧାନୀରେ ପ୍ରବଳ ବର୍ଷିଲା

ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଭାରି ବର୍ଷା।

author-image
Jitendra Garnayak
Rain

Rain

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି। ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି। ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା। ଏମିତିକି ଜୋରରେ ପବନ ବହିଥିଲା।ଫଳରେ ବିଦ୍ୟୁତ୍ କାଟ ହେବା ସାଙ୍ଗକୁ ରାସ୍ତାରେ କିଛି ସମୟ ପାଇଁ ଗାଡିମୋଟର ଚଳାଚଳରେ ବାଧା ଉପୁଜିଥିଲା। କିଛି କିଛି ତଳିଆ ସ୍ଥାନରେ ପାଣି ଜମି ଯାଇଥିଲା। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଥିଲା।

Advertisment

କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଭାରି ବର୍ଷା ହୋଇଛି। ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଭାରି ବର୍ଷା ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ତାଙ୍କ Xରେ ଉଲ୍ଲେଖ କରିଛନ୍ତି। ବର୍ଷା ଯୋଗୁ ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସ୍‌ପିଟାଲରେ ପାଣି ପଶି ଯାଇଥିଲା।

ଉପକୂଳ ଓଡ଼ିଶାର ଅନ୍ୟ କିଛି ସ୍ଥାନରେ ମଧ୍ୟ ଗତକାଲି ବର୍ଷା ହୋଇଛି। ପାରାଦ୍ୱୀପରେ ୫୧.୪ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୩୭.୮, ବାଲେଶ୍ୱରରେ ୩୫ ଏବଂ ଚାନ୍ଦବାଲିରେ ୩୨ ମିମି ବର୍ଷା ରେକର୍ଡ ହୋଇଛି।

Advertisment

ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୪ ଜିଲ୍ଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବାକି ୧୫ ଜିଲ୍ଲାରେ ୩୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହେଲେ ୧୭ ତାରିଖ ବେଳକୁ ପୁଣି ରାଜ୍ୟକୁ ତାତି ଫେରିବ । ମେ' ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ତାତି ଫେରିବା ସମ୍ଭାବନା ରହିଛି।

Heavy Rain