Advertisment

ମାଡ଼ି ଆସୁଛି ବାତ୍ୟା, ବାଲେଶ୍ୱରରେ ଘରୋଇ ବସ୍ ଚଳାଚଳ ବନ୍ଦ

ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ବାତ୍ୟା ସମୟରେ ଏହି ସବୁ ରୁଟ୍‌ରେ ବସ୍‌ ଚାଲିବ ନାହିଁ।

author-image
Madhupriya Mistry
ଅଦ୍ୟତନ ହୋଇଛି
Bus Service

Bus Service

ସୁ ସୁ ଗର୍ଜନ କରି ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଧୀରେ ଧୀରେ ଏହା ସ୍ଥଳଭାଗ ମୁହାଁ ହୋଇଛି। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣପୂର୍ବରୁ ୨୬୦ କି.ମି., ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୨୯୦ କି.ମି. ଦୂରରେ ଅବସ୍ଥିତ ଅଛି। ଏହାକୁ ଦୃଷ୍ଟିରେ ରଖି ଚାରିଆଡେ ସତର୍କତା ଅବଲମ୍ବନ କରାଯାଇଛି।

Advertisment

ବାତ୍ୟା ଦାନା ପାଇଁ ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ବାତ୍ୟା ସମୟରେ ଏହି ସବୁ ରୁଟ୍‌ରେ ବସ୍‌ ଚାଲିବ ନାହିଁ। ବସ୍ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ସୂଚନା ଦେଇଛି। ବାତ୍ୟା ସମୟରେ ଯେପରି କୌଣସି ଅଘଟଣ ନଘଟେ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ସେପଟେ ବାତ୍ୟା ଆଲର୍ଟ ପାଇଁ ଚାନ୍ଦିପୁର ବେଳାଭୂମିରେ ପୁଲିସର ପଇଁତରା ମାରୁଛି। ବେଳାଭୂମିରେ କେହି ପର୍ଯ୍ୟଟକ କିମ୍ବା ଦୋକାନୀ ନ ରହିବାକୁ କୁହାଯାଇଛି। ବର୍ଷା ଓ ପବନ ବେଗ ବଢୁଥିବାରୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକରେ ବାତ୍ୟାର ଅଧିକ ପ୍ରଭାବ ରହିବ। ପ୍ରବଳରୁ ଅତି ପ୍ରବଳ ପର୍ଷା ହେବା ସହ ଭୟଙ୍କର ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେଣୁ ବାଲେଶ୍ଵର ଜିଲ୍ଲାରେ ସମୁଦାୟ ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅନେକ ସ୍କୁଲ୍ ଘରେ ଏ ପର୍ୟ୍ୟନ୍ତ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରା ସରିଛି। ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚସ୍ଥାନ ଏବଂ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରଣ କରାଯାଇଛି।

ଏହି ସମୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।

Balasore Cyclone Dana Bus Services Suspended