Advertisment

ସମ୍ଭାବ୍ୟ ବାତ୍ୟା ‘ଦାନା’ ଯୋଗୁ ପ୍ରଭାବିତ ହୋଇପାରନ୍ତି ଏହି ସବୁ ଜିଲ୍ଲା; ରେଡ୍‌, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ସମ୍ଭାବ୍ୟ ବାତ୍ୟା ଦାନା ଏବେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ ଅଛି। ଏହା ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ଓ ୨୩ ତାରିଖରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ।

author-image
Jitendra Garnayak
Rain

Rain

ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସହିତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଅଳ୍ପ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ। ଏମିତିକି ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

Advertisment

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଦାନା ଏବେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ ଅଛି। ଏହା ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ଓ ୨୩ ତାରିଖରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ଏହା ୨୪ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତା’ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବ। ଯେତେବେଳେ ଏହା ଉପକୂଳ ଅତିକ୍ରମ କରିବ, ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବାର ସମ୍ଭାବନା ରହିଛି। ୨୫ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ଓଡ଼ିଶା ଉପକୂଳରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ। କିନ୍ତୁ ୨୪ ଓ ୨୫ ତାରିଖରେ ସବୁଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାଗୁଡ଼ିକ ପାଇଁ ବିଶେଷ ଭାବେ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଉ ଅଳ୍ପ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ ମଧ୍ୟ ଏହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୦୦ରୁ ୧୨୦ କିମି ରହିବ। ବିଶେଷତଃ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ଅଧିକ ପବନ ହେବ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଯେଉଁ ରେଖାଙ୍କିତ ଚିତ୍ର ଦ୍ୱାରା ବାତ୍ୟାର ଗତିପଥ କିପରି ରହିବ ବୋଲି ପୂର୍ବାନୁମାନ କରିଛୁ, ତାହା ୪ ଦିନ ତଳର ପୂର୍ବାନୁମାନ। ତେଣୁ ଏଥିରେ ଟିକେ ଏପଟ ସେପଟ ହୋଇପାରେ। କିନ୍ତୁ ଏହା ହେଉଛି ସବୁଠୁ ଅଧିକ ସମ୍ଭାବ୍ୟ ଗତିପଥ। ଏହା (ଦାନା)କୁ ଆମେ ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ କହୁଛୁ। କାରଣ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ। ଅର୍ଥାତ୍ ଏହା ହେଉଛି ପ୍ରବଳ ବାତ୍ୟାର ପବନ। ପବନର ବେଗ ଘଣ୍ଟା ପ୍ରତି ୯୦ କିମି ପ୍ରବାହିତ ହେଲେ ଏହାକୁ ବାତ୍ୟା କୁହାଯାଏ। ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୨୦ କିମି ଭିତରେ ରହିଲେ, ଏହାକୁ ପ୍ରବଳ ବାତ୍ୟା (ସିଭିୟର ସାଇକ୍ଲୋନିକ ଷ୍ଟର୍ମ) କୁହାଯାଏ। ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୦ କିମି ହେଲେ, ଏହାକୁ ଅତି ପ୍ରବଳ ବାତ୍ୟା କୁହାଯାଏ। ପବନର ବେଗ ଘଣ୍ଟା ପ୍ରତି ୧୬୦ରୁ ୨୨୦ କିମି ରହେ, ଏହାକୁ ଅତ୍ୟନ୍ତ ପ୍ରବଳ ବାତ୍ୟା କୁହାଯାଏ। ପବନର ବେଗ ଘଣ୍ଟା ପ୍ରତି ୨୨୦ରୁ ଅଧିକ ହେଲେ, ଏହାକୁ ମହାବାତ୍ୟା କୁହାଯାଇଥାଏ।

Advertisment

ସାଧାରଣତଃ ବାତ୍ୟା ଉପକୂଳ ଅତିକ୍ରମ କଲେ ସମୁଦ୍ରରେ ଜୁଆର ହେବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଜୁଆର କେତେ ଉଚ୍ଚ ଉଠିବ, ସେ ନେଇ ପୂର୍ବାନୁମାନ ଜାରି କରାଯାଇନାହିଁ। ତା’ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅବପାତ ସୃଷ୍ଟି ହୋଇନାହିଁ। ଅବପାତ ସୃଷ୍ଟି ହେଲା ପରେ ଜୁଆର କେତେ ଉଚ୍ଚକୁ ଉଠିବ, ସେ ନେଇ ପୂର୍ବାନୁମାନ କରାଯିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ୨୩ ତାରିଖ ସକାଳ ସାଢ଼େ ୮ଟାରୁ ୨୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

୨୪ ତାରିଖ ସକାଳ ସାଢ଼େ ୮ଟାରୁ ୨୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୫ ତାରିଖ ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରରି କରାଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ଅତି ଭୀଷଣ ବର୍ଷା ମଧ୍ୟ ହୋଇପାରେ ବୋଲି ଆକଳନ କରାଯାଇଛି।

ସେହିପରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଅନ୍ୟପକ୍ଷରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Cyclone Update Weather Update Weather Forecast Cyclone Dana