Advertisment

Cyclone: ୨୭ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ଭାରତୀୟ ପାଣିପାଗ ବିଭାଗ ଓ ବିଦେଶୀ ସଂସ୍ଥାର ପୂର୍ବାନୁମାନରେ ନାହିଁ ତାଳମେଳ

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଏହି ପୂର୍ବାନୁମାନ ଆଧାରରେ ରାଜ୍ୟ ସରକାର ମୁକାବିଲା ପାଇଁ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ବିଦେଶୀ ପାଣିପାଗ ଆକଳନ ମଡେଲ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ଦେଇନାହାନ୍ତି ।

author-image
Prakash Sethi
IMD-forecast

IMD rain forecast odisha

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଆସନ୍ତା ୨୭ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଏହି ପୂର୍ବାନୁମାନ ଆଧାରରେ ରାଜ୍ୟ ସରକାର ମୁକାବିଲା ପାଇଁ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ବିଦେଶୀ ପାଣିପାଗ ଆକଳନ ମଡେଲ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ଦେଇନାହାନ୍ତି । ଏପଟେ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Advertisment

ଲଘୁଚାପର ଗତି ଓ ବାତ୍ୟାରେ ରୂପାନ୍ତରଣର ପୂର୍ବାନୁମାନ
 
ଆଇଏମଡି ଆକଳନ ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ରୁ ୧୫କିମି ବେଗରେ ଗତି କରୁଛି । ସମୁଦ୍ର ପୃଷ୍ଟର ଉଷ୍ମତା ୨୮ରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିବାରୁ ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ । ଯାହା ଅଧିକ ଶକ୍ତିଶାଳୀ ହୋଇ ଅକ୍ଟୋବର ୨୬ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହେବାର ଆଶଙ୍କା କରାଯାଉଛି । ଯଦି ଏହା ବାତ୍ୟାର ରୂପ ନିଏ ତାହା ଥାଇଲ୍ୟାଣ୍ଡ ଦ୍ୱାରା ପ୍ରସ୍ତାବିତ ନାମ ‘ମୋନ୍ଥା’ ଭାବେ ପରିଚିତ ହେବ । ଏହି ସାମୁଦ୍ରିକ ଝଡ଼ ଅକ୍ଟୋବର ୨୮ରୁ ୨୯ତାରିଖ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶିକାଙ୍କ ବୟାନ ଓ ସରକାରୀ ପ୍ରସ୍ତୁତି

ଭୁବନେଶ୍ୱର ଆଇଏମଡି କେନ୍ଦ୍ରର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଯେ,  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । କିନ୍ତୁ ଏହା ଓଡ଼ିଶାରେ ସିଧାସଳଖ ଲ୍ୟାଣ୍ଡଫଲ କରିନପାରେ । ମାତ୍ର ଅକ୍ଟୋବର ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମୁଦ୍ରରେ ୨ରୁ ୩ମିଟର ଉଚ୍ଚତାର ଜୁଆର ଆସିବାର ଆଶଙ୍କା ରହିଥିଲେ ମଧ୍ୟ ଜୁଆରଜନିତ ବନ୍ୟାର ଆଶଙ୍କା ନଥିବା ସେ ସ୍ପଷ୍ଟ କରିଛନ୍ତି । ୨୬ତାରିଖ ପରଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ବେଳାଭୂମି ଅଂଚଳରୁ ଦୂରେଇ ରହିବା ସହ ତଳିଆ ଅଂଚଳରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

Advertisment

 ଅନ୍ୟପକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, (Odisha cyclone warning) ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ କେନ୍ଦ୍ରଗୁଡ଼ିକରେ ଶୁଖିଲା ଓ ରନ୍ଧା ଖାଦ୍ୟ ମହଜୁଦ୍ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ କୁହାଯାଇଛି ।

ବିଦେଶୀ ପାଣିପାଗ ମଡେଲର ପୂର୍ବାନୁମାନ

ବଙ୍ଗୋପସାଗରରେ ଲଘୁଚାପର ସ୍ଥିତିକୁ ନେଇ ବିଶ୍ୱର ବିଭିନ୍ନ ପାଣିପାଗ ମଡେଲର ପୂର୍ବାନୁମାନରେ ତାଳମେଳ ନଥିବା ଦେଖିବାକୁ ମିଳିଛି । ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫଏସ)ର ପୂର୍ବାନୁମାନ ଅନୁସାରେ, ଏହି ଲଘୁଚାପ ଆସନ୍ତା ୨୬ରୁ ୨୭ତାରିଖ ମଧ୍ୟରେ ଏକ ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇ ଘଣ୍ଟା ପ୍ରତି ୮୦କିମି ବେଗରେ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ ନିକଟରେ ଉପକୂଳ ଅତିକ୍ରମ କରିପାରେ ।

ତେବେ ୟୁରୋପୀୟ ପାଣିପାଗ ମଡେଲ(ଇଏସିଏମଡବ୍ଲ୍ୟୁଏଫ) ର ଆକଳନ ଅନୁସାରେ ଏହା କେବଳ ଗଭୀର ଅବପାତ ପର୍ଯ୍ୟାୟରେ ସୀମିତ ରହିବ । ଓଡ଼ିଶା ଉପକୂଳକୁ ନଛୁଇଁ ଉତ୍ତର ପୂର୍ବ ଦିଗରେ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଆମେରିକାର ଜଏଂଟ ଟାଇଫୁନ୍ ୱାର୍ଣ୍ଣିଂ ସେଂଟର କିନ୍ତୁ ଭାରତୀୟ ପାଣିପାଗର ପୂର୍ବାନୁମାନକୁ ସମର୍ଥନ କରଇଛି । ଭାରତୀୟ ପାଣିପାଗ(ଆଇଏମଡି)ର ମଲଟି ମଡେଲ ଏକ ମଧ୍ୟମ ଧରଣର ବାତ୍ୟାର ପୂର୍ବାନୁମାନ କରିଛି ।

ଅକ୍ଟୋବର ମାସରେ ବାତ୍ୟା ଭୟ

ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶାରେ ଅକ୍ଟୋବର ମାସରେ ବାତ୍ୟା ଆଶଙ୍କା ଲାଗି ରହିଥାଏ । ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍ ଓ ୨୦୨୪ ଦାନା ଭଳି ବାତ୍ୟା ଅକ୍ଟୋବର ମାସରେ ଆସିଛି । ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁ ସେଭଳି ଭୟଙ୍କର ବାତ୍ୟାର ଆଶଙ୍କା ନାହିଁ କିନ୍ତୁ । ଲା ନିନା ପରିସ୍ଥିତି ଯୋଗୁ ବଙ୍ଗୋପସାଗରରେ ବାତ୍ୟା(( Bay of Bengal cyclone) ସୃଷ୍ଟିର ଆଶଙ୍କା ଅଧିକ ରହିଛି । ଅକ୍ଟୋବର ୨୬ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ରର ମାର୍ଗ ଓ ଶକ୍ତିକୁ ନେଇ ଅଧିକ ସ୍ପଷ୍ଟତା ଆସିପାରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗ ୨୫ତାରିଖରେ ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଓ ଗଞ୍ଜାମ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୬ତାରିଖରେ ଏହି ବର୍ଷା ରାଜ୍ୟର ୨୧ଟି ଜିଲ୍ଲାରେ ହେବାର ଆଶଙ୍କା ରହିଛି । ୨୭ତାରିଖରୁ ବର୍ଷାର ପରିମାଣ ବଢ଼ିବ ଓ ଗଞ୍ଜାମ-ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୨୮ତାରିଖରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ରାୟଗଡ଼ା, ଗଜପତି ସମେତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସମେତ ମୋଟ ୧୦ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଅକ୍ଟୋବର ୨୯ରେ ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ।

Bay of Bengal cyclone Odisha cyclone warning