Advertisment

ପାରାଦ୍ୱୀପରୁ ୧୫୦ କିମି ଦୂରରେ ‘ଦାନା’, ରାତି ୩ଟାରୁ ଭୋର୍ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହି ବାତ୍ୟା ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୩ ଲକ୍ଷ ଲୋକ ସ୍ଥାନାନ୍ତର ହୋଇ ସାରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
sea

sea

ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହେଉଛି ‘ଦାନା’। ଗତ ୬ ଘଣ୍ଟାରେ ଏହା ୧୦ କିମି ବେଗରେ ଗତି କରୁଛି। ଏବେ ଏହା ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଦୂରରେ ରହିଛି। ସେହିଭଳି ଧାମରାର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୧୮୦ କିମି ଦୂରରେ ରହିଛି ଦାନା। ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିବ ବା ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି। ଏକ ସୂଚନା ଅନୁଯାୟୀ, ଆଜି ମଧ୍ୟରାତ୍ରରୁ ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯିବ। ରାତି ୩ଟାରୁ ଭୋର୍‌ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିବ।

Advertisment

ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ। ଲ୍ୟାଣ୍ଡଫଲ୍ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ପବନରେ ଚାଳ ଛପର ଘର ଉଡ଼ିଯାଇପାରେ, ଖୁଣ୍ଟି ବି ଭାଙ୍ଗିପାରେ। ମୟୂରଭଞ୍ଜ, ଯାଜପୁର, କଟକରେ ଘଣ୍ଟାକୁ ୬୦ରୁ ୮୦କିମି, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୬୦ ରୁ ୭୦, ସୁନ୍ଦରଗଡ଼ ଜିଲ୍ଲାରେ ୫୦ ରୁ ୬୦ କିମି ବେଗରେ ପବନ ବହିପାରେ।

ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବାତ୍ୟା ‘ଦାନା’ ଦୁର୍ବଳ ହେବା ସହ ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଏହା ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ରିକର୍ଭ ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ଏବଂ କାଲି ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ।

Advertisment

ଅନ୍ୟପକ୍ଷରେ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହି ବାତ୍ୟା ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ ପ୍ରଭାବିତ ହେବ। ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ପ୍ରଭାବିତ ହେବ।୧୨ଟି ପୌରାଞ୍ଚଳର ପ୍ରାୟ ୫୫ ୱାର୍ଡ ପ୍ରଭାବିତ ହେବ। ପ୍ରାୟ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା ରହିଛି। ସାଢ଼େ ୩ ଲକ୍ଷ ଲୋକ ସ୍ଥାନାନ୍ତର ହୋଇ ସାରିଛନ୍ତି। ୭୩୦୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି ଓ ସେଠାରେ ଲୋକଙ୍କୁ ରଖାଯାଉଛି। ୩୬୦ ପ୍ରାଣୀଧନ ଆଶ୍ରୟସ୍ଥଳୀରେ ୬୪୫୪ ପ୍ରାଣୀଧନଙ୍କୁ ରଖାଯାଇଛି।

ବାତ୍ୟାକୁ ଦୃଷ୍ଟି ରଖି ୨୧୩ଟି ମେଡିକାଲ ଟିମ୍‌ ଓ ୧୨୦ଟି ପ୍ରାଣୀ ଚିକିତ୍ସା ଟିମ୍‌ ନିୟୋଜିତ ଅଛନ୍ତି। ୩୭୦୦ ଆସନ୍ନ ପ୍ରସବାଙ୍କୁ ହସ୍ପିଟାଲରେ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ NDRFର ୧୯ଟି ଟିମ୍ ସହିତ ଓଡ୍ରାଫ୍‌ର ୫୧ ଓ ଅଗ୍ନିଶମର ୨୨୦ ଟିମ୍‌ ପ୍ରସ୍ତୁତ ଅଛନ୍ତି। ଗଛ କାଟିବାରେ ସହାୟତା କରିବା ପାଇଁ ବନ ବିଭାଗର ୯୫ଟି ଟିମ୍‌ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

Cyclone Dana