Advertisment

ରାତି ପାହିଲେ ଭାଦ୍ରବ ମାସ; ଚାଷ ଜମି ଫାଟି ଆଁ କଲାଣି, ଚିନ୍ତାରେ ଚାଷୀ

ତଳି ରୋଇବାର କିଛି ଦିନ ପରେ ବର୍ଷା ଉଭୟନ ହୋଇଗଲା। ବର୍ଷା ହେଉନଥିବାରୁ ଚାଷ ଜମି ଶୁଖିଗଲାଣି। ବିଲ ଫାଟି ଆଁ’ କଲାଣି। ୨ରୁ ୩ ଦିନ ଭିତରେ ବର୍ଷା ନହେଲେ ଧାନଗଛ ମରିଯିବ।

ଅଦ୍ୟତନ ହୋଇଛି
Rice Field

Rice Field

Advertisment

ଆଜିଠାରୁ ସରୁଛି ଶ୍ରାବଣ। ରାତି ପାହିଲେ ଭାଦ୍ରବ ମାସ ଆରମ୍ଭ ହେବ। ଏହି ସମୟରେ ଚାଷ ଜମିରେ ସବୁଜିମା ରାଜୁତି କରିବା କଥା। ତଳି ରୁଆରୁଇ ପରେ ଚାଷ ଜମିରେ ବଛାବଛି କରିବା କଥା। ହେଲେ ଇନ୍ଦ୍ର କୋପ କରିଲା ପରି ଲାଗୁଛି। ଧାରା ଶ୍ରବଣରେ ଚାଷ ଜମି ଫାଟି ଆ’ କଲାଣି। ଧାନ ଗଛ ମରିବାକୁ ବସିଲା। ଏପରି ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରୁ। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।

Advertisment

ମୁରିବାହାଲ ବ୍ଲକ୍‌ରେ ୨୨ଟି ପଞ୍ଚାୟତ ରହିଛି। ଏଠାରେ କେନାଲର ବ୍ୟବସ୍ଥା ନାହିଁ। ତେଣୁ ବର୍ଷା ଉପରେ ନିର୍ଭର କରିଥାଆନ୍ତି ଚାଷୀ। ଚଳିତବର୍ଷ ବିଳମ୍ୱରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିଲା। ତେଣୁ ଚାଷୀ ବିଚରା ଡେରିରେ ତଳି ପକାଇଥିଲା। ତଳି ବଢ଼ିବା ବେଳେ ବର୍ଷା ଉଭାନ ହୋଇଗଲା। କଷ୍ଟେମଷ୍ଟେ ତଳି ବଢ଼ାଇଥିଲା ଚାଷୀ। ତା’ପରେ ବର୍ଷା ହୋଇଥିଲା। ଲାଗଲାଗ ବର୍ଷା ହେବାରୁ ତରବରିଆ ଭାବେ ଚାଷୀ ବିଚରା ତଳି ରୋଇ ଦେଇଥିଲା। ଭାବିଥିଲା ବର୍ଷା ହେଲାଣି, ଏଥର ଭଲ ଧାନ ଅମର ହେବ।

ତଳି ରୋଇବାର କିଛି ଦିନ ପରେ ବର୍ଷା ଉଭୟନ ହୋଇଗଲା। ବର୍ଷା ହେଉନଥିବାରୁ ଚାଷ ଜମି ଶୁଖିଗଲାଣି। ବିଲ ଫାଟି ଆଁ’ କଲାଣି। ୨ରୁ ୩ ଦିନ ଭିତରେ ବର୍ଷା ନହେଲେ ଧାନଗଛ ମରିଯିବ। ଏମିତିକା ଚିତ୍ର କେବଳ ବିଜାମାଲ ଗାଁରେ ନୁହେଁ, ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତରେ। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଧାର ଉଧାର କରି ତଳି ରୋଇଥିବା ଚାଷୀ କେମିତି ସୁଝିବେ ଋଣ ଟଙ୍କା?

Advertisment

ଘୁଷୁରମୁଣ୍ଡା ଗାଁ ଚାଷୀ ଘାସିରାମ ସା କହିଛନ୍ତି, ସାହୁକାର ଓ ସୋଶାଇଟିଠାରୁ ଧାର ଉଧାର କରି ଚାଷ କରିଥିଲୁ। ବର୍ଷା ପାଣି ଅଭାବରୁ ଏବେ ଚାଷ ଜମି ଫାଟି ଗଲାଣି। ଧାନ ଗଛ ମରିବାକୁ ବସିଲାଣି। କେବଳ ଧାନ ଚାଷ ନୁହେଁ, ପରିବା, କପା ଓ ମକା ଚାଷ ମଧ୍ୟ ମରିବାକୁ ବସିଲାଣି। ଏବେ ଋଣ ଟଙ୍କା କେମିତି ସୁଝିବୁ ବୋଲି ପ୍ରଶ୍ନ କରିଛନ୍ତି ଘାସିରାମ।

ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ କହିଛନ୍ତି, ଯଦି ମରୁଡ଼ି ପରିସ୍ଥିତି ସୃଷ୍ଟିହୁଏ, ତାହାରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶ ମୁତାବକ ଚାଷୀମାନଙ୍କୁ ଯାହା ସୁବିଧା ଦିଆଯିବା କଥା ଦିଆଯିବ। ତେବେ ଅଗଷ୍ଟରେ କେତେକ ଅଞ୍ଚଳରେ ବର୍ଷା ହୋଇଛି। ତାକୁ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe