Advertisment

ଭୀଷଣ ରୂପ ନେଇଛି ବାତ୍ୟା ‘ରେମାଲ’: ଓଡ଼ିଶାର ଏହି ୫ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

ସମୁଦ୍ର ବହୁତ ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Rain

Rain

ବାତ୍ୟା ‘ରେମାଲ’ ଆଜି ଭୀଷଣ ବାତ୍ୟାର ରୂପ ନେଇ ସାରିଥିବା ବେଳେ ଆହୁରି ତୀବ୍ର ରୂପ ଧାରଣ କରି ମଧ୍ୟରାତ୍ରରେ ବାଂଲାଦେଶର ମଙ୍ଗଲାରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଗତକାଲି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ଆଜି ଭୀଷଣ ବାତ୍ୟାର ରୂପ ନେଇଛି। ତାହା ଏବେ ଉତ୍ତର ବଙ୍ଗୋପସାଗରରେ ରହିଛି। ଭୀଷଣ ବାତ୍ୟା ‘ରେମାଲ’ର ଗତି ମୁଖ୍ୟତଃ ଉତ୍ତର ଦିଗକୁ ରହିବ ଓ ଏହା ଆହୁରି ତୀବ୍ର ରୂପ ଧାରଣ କରିବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ର ସୁଦ୍ଧା ଏହା ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ପାଖାପାଖି ଦକ୍ଷିଣ-ପଶ୍ଚିମ ମଙ୍ଗଲା (ବାଂଲାଦେଶ ପାଖରେ ଅବସ୍ଥିତ ଏକ ସ୍ଥାନ) ଦେଇ ଏହା ସ୍ଥଳଭାଗକୁ ଛୁଇଁବ। ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ହୋଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଉପକୂଳକୁ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ବେଗର ପବନ ହେବ। ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ଏହି ସବୁ ଜିଲ୍ଲାରେ ମୁଖ୍ୟତଃ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଓଡ଼ିଶାର ଦକ୍ଷିଣ-ଉତ୍ତର ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ। ଏହି ସମୟରେ ସମୁଦ୍ର ବହୁତ ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ସେ କହିଛନ୍ତି, ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଉତ୍ତର ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ହାଲ୍‌କରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତା’ପରେ ଧୀରେ ଧୀରେ ତାପମାତ୍ରା ବଢ଼ିବ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଆଇଏମ୍‌ଡିର ଆକଳନ ଅନୁଯାୟୀ, ମେ’ ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି। ମୌସୁମୀ ବାୟୁ ଉପରେ ଏହି ବାତ୍ୟାର କିଛି ପ୍ରଭାବ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।

Heavy Rain Cyclone Update Weather Forecast Cyclone Remal