Advertisment

ଆଜି ବି ଟୁଇନ ସିଟିରେ ପ୍ରବଳ ଛେଚିବ, ଅବପାତରେ ପରିଣତ ହେଲା ଲଘୁଚାପ

ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

author-image
Niharika Rout
ଅଦ୍ୟତନ ହୋଇଛି
undefined

Rain

 ଗତକାଲି ହୋଇଥିବା ଲଗାଣ ବର୍ଷାରେ ଭୁବନେଶ୍ୱର ଓ କଟକ ଅବସ୍ଥା ବେହାଲ ହୋଇଥିବା ବେଳେ ଆଜି ବି ଟୁଇନ ସିଟିବାସୀଙ୍କୁ କଲବଲ କରିବ ପ୍ରବଳ ବର୍ଷା । ଅପରାହ୍ନ ୨ଟା ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଫଳରେ ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। 

Advertisment

ଗତକାଲି ଭୁବନେଶ୍ୱରରେ ମାତ୍ର ୩ ଘଣ୍ଟାରେ ୭୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସାଢ଼େ ୫ଟାରୁ ସାଢ଼େ ୮ଟା ଯାଏ ଏହି ବର୍ଷା ହୋଇଛି ।ଏହାବାଦ ଗତକାଲି  ସମୁଦାୟ ୨୫୮ ମିଲିମିଟର ବର୍ଷା ହୋଇଛି।

ବର୍ଷା ପାଣିରେ ରାଜଧାନୀ ଉବୁଟୁବୁ ହେଉଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଗତକାଲି ଦେଖିବାକୁ ମିଳିଥିଲା ଆଣ୍ଠୁଏ ପାଣି । ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ସେହିପରି ୫୨ ନମ୍ବର ୱାର୍ଡ ଭିମପୁର ମୌଜାରେ ମଧ୍ୟ ଗାଁ ଭିତରେ ଦେଖିବାକୁ ମିଳିଥିଲା ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ।

Advertisment

କେବଳ ଟୁଇନସିଟି ନୁହେଁ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟର ବିଭିନ୍ନ ଅଞ୍ଚଳ । ବର୍ଷା ଯୋଗୁ ପର୍ଯ୍ୟଟନ ସହର ପୁରୀବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଗତକାଲି ସନ୍ଧ୍ୟା ୫ଟା ୩୦ରୁ ୭ଟା ୩୦ ଯାଏଁ ଦୀର୍ଘ ଦୁଇ ଘଣ୍ଟା ଧରି ବର୍ଷା ଯୋଗୁ ବଡଦାଣ୍ଡରେ ଜମିଥିଲା ପାଣି । ଦୀର୍ଘ ସମୟ ଧରି ଡ୍ରେନରେ ଜଳ ନିଷ୍କାସନ ନ ହେବାରୁ ଲୋକେ ଯାତାୟାତରେ ବେଶ ଅସୁବିଧା ଭୋଗିଥିଲେ । ବଡଦାଣ୍ଡର ବଳଗଣ୍ଡି, ଡାକ୍ତରଖାନା ଛକରେ ପାଣି ସହଜରେ ନିଷ୍କାସିତ ହୋଇପାରିନଥିଲା।

ସେପଟେ ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ ପ୍ରବଳ ବର୍ଷା ଯୋଗୁ ବେଶ୍ ଅସୁବିଧା ଭୋଗିଛନ୍ତି। ବାଇଶି ପାହାଚରେ ପ୍ରବଳ ବେଗରେ ବର୍ଷାଜଳ ନିଷ୍କାସନ ଯୋଗୁ ଶ୍ରୀମନ୍ଦିର ଭିତରକୁ ଭକ୍ତ ମାନଙ୍କ ଯା’ଆସରେ ବାଧା ଉପୁଜିଛି । ଏପଟେ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଚାରିଆଡେ ଜମିଛି ପାଣି । କାନ୍ଥ ବାଡରେ ଲହଡି ମାରୁଛି ପାଣି । ଏମିତିକି ଡ୍ରେନରେ ପାଣି ନିଷ୍କାସନ ହୋଇନପାରିବାରୁ ଲୋକଙ୍କ ଘର ଭିତରକୁ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି ।

ଲଗାଣ ବର୍ଷାରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ବଙ୍ଗୋପସାଗରରୁ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି । ଉତ୍ତରପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତ ହୋଇ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ପାଣି ।

Bhubaneswar Heavy Rain Cuttack