Advertisment

ସମଗ୍ର ରାଜ୍ୟରେ ତୁହାକୁ ତୁହା ବର୍ଷା, ଆହୁରି ଘନୀଭୂତ ହେବ ଲଘୁଚାପ

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆସନ୍ତା ୪ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

author-image
Niharika Rout
ଅଦ୍ୟତନ ହୋଇଛି
undefined

Rain

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ତୁହାକୁ ତୁହା ବର୍ଷା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆସନ୍ତା ୪ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବା ବେଳେ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଫଳରେ ପିଲାମାନେ ସ୍କୁଲ ଯାଇ ପାରୁ ନ ଥିବା ବେଳେ ଅଫିସ ଯିବା ବି କଷ୍ଟ କର ହୋଇପଡ଼ୁଛି। 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ, ଆଜି ସମ୍ୱଲପୁର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଅନୁଗୋଳ, କଟକ, ନୟାଗଡ଼, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଶୁକ୍ରବାର କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଉ ୮ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୧୦ଟି ଗେଟ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୨୮.୭୧ ଫୁଟ ରହିଥିଲା । ହୀରାକୁଦକୁ ଏବେ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ । ଗତକାଲି ହୀରାକୁଦର ୨ଟି ଗେଟ୍ ଖୋଲାଯାଇଥିଲା ।

Heavy Rain Low Pressure