/odisha-reporter/media/post_attachments/uploadimage/library/16_9/16_9_0/Cyclone_1729350782.jpg)
Cyclone
ବାତ୍ୟାପ୍ରବଣ ମାସରେ ବଦଳୁଛି ପାଣିପାଗର ଗତିବିଧି। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏବେ ସମ୍ଭାବ୍ୟ ଲଘୁଚାପ ମୁହାଁ ହେଉଛି। ଯାହା ଅବପାତର ରୂପ ନେଇ ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା କରାଇବ। ଏସବୁ ଭିତରେ କିଛି ବିଦେଶୀ ମଡେଲର ପୂର୍ବାନୁମାନ, ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି।
ନାନା ଆଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ। ଦିନକ ପରେ ଅର୍ଥାତ ଆସନ୍ତା ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଯାହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଅବପାତର ରୂପ ନେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।
ସେ କହିଛନ୍ତି, ୨୩ ତାରିଖ ବେଳକୁ ସମୁଦ୍ର ମଧ୍ୟରେ ପବନର ବେଗ ରହିବ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର। ଏହାପରେ ୨୩ରୁ ୨୫ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ହେବ ବର୍ଷା। ଲଘୁଚାପର ପ୍ରଭାବ ଉତ୍ତର ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପରେ ରହିବ। ତେଣୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀ ୨୧ ସୁଦ୍ଧା ଫେରିଆସନ୍ତୁ ବୋଲି କହିଛନ୍ତି IMD ଡିଜି। ତେବେ ବାତ୍ୟା ସଂପର୍କରେ ଏଯାଏଁ ସେଭଳି କୌଣସି ପୂର୍ବାନୁମାନ କରାଯାଇନଥିବାବେଳେ ଯେହେତୁ ଏବେ ବାତ୍ୟା ପ୍ରବଣ ମାସ, ତେଣୁ ଆସନ୍ତା ୨୧ ତାରିଖରେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ସ୍ପଷ୍ଟ ହେବ ବୋଲି IMD ଡିଜି କହିଛନ୍ତି।
ତେବେ ବାତ୍ୟା ପ୍ରବଣ ଅକ୍ଟୋବର ମାସରେ ବଦଳୁଥିବା ଓଡ଼ିଶାର ପାଣି ପବନର ସ୍ଥିତି ଓ କିଛି ବିଦେଶୀ ମଡେଲ୍ ଗୁଡ଼ିକର ପୂର୍ବାନୁମାନ, ଶଙ୍କା ବଢ଼ାଉଛି। ଯେମିତି ୟୁରୋପିଆନ୍ ସେଣ୍ଟର ଫର ମିଡ଼ିୟମ୍ ରେଞ୍ଜ ୱେଦର୍ ଫୋରକାଷ୍ଟ (ECMWF) ଓ ଜର୍ମାନୀର ପାଣିପାଗ ଆକଳନ ସଂସ୍ଥା (ICON)। ଉଭୟ ସଂସ୍ଥାର ପୂର୍ବାନୁମାନ, ଆସନ୍ତା ୨୪ରେ ଏହା ଓଡ଼ିଶା ଉପକୂଳ ବିଶେଷ କରି ପୁରୀ କିମ୍ବା ଗୋପାଳପୁରରେ ସ୍ଥଳଭାଗ ଛୁଇଁବ। କିନ୍ତୁ ଗ୍ଲୋବାଲ୍ ଫୋରକାଷ୍ଟର ଆକଳନ ସମ୍ପୂର୍ଣ୍ଣ ଓଲଟା। ଲଘୁଚାପ କ୍ରମେ ଅବପାତର ରୂପ ନେବା ପରେ ବଙ୍ଗୋପସାଗରରେ ବଳ ଗୋଟାଇ ୨୪ ବେଳକୁ ପଶ୍ଚିମବଙ୍ଗ ମୁହାଁ ହୋଇ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ।
ତେବେ ପାଣିପାଗ ବିଶେଷଜ୍ଞଙ୍କ ମତ, ଆସନ୍ତା ୨୨ ତାରିଖ ବେଳକୁ ହିଁ ବାତ୍ୟାର ବାସ୍ତବିକ ଚିତ୍ର ସାମ୍ନାକୁ ଆସିବ। ଯଦି ବି ବାତ୍ୟା ହୁଏ, ତେବେ ଓଡ଼ିଶାରେ ପ୍ରଭାବ ରହିବ।
ଅପରପକ୍ଷେ ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ୧୯ ଜିଲ୍ଲା, ୨୦ରୁ ୨୧ ତାରିଖ ସକାଳ ଯାଏଁ ୫ ଜିଲ୍ଲା ଓ ୨୩ରୁ ୨୪ ତାରିଖ ସକାଳ ଯାଏଁ ୬ ଜିଲ୍ଲା ପାଇଁ ସମ୍ଭାବ୍ୟ ଘଡ଼ଘଡ଼ି ସହ ବର୍ଷାକୁ ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
