Advertisment

ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ଆହୁରି ଛେଚିବ

ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Heavy Rain

Heavy Rain

ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ  ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ଆହୁରି ବଢ଼ିବ ବର୍ଷା ପରିମାଣ । ଫଳରେ ଆହୁରି କଲବଲ ହେବେ ରାଜ୍ୟବାସୀ। 

Advertisment

ତେବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଜାରି ରହିଛି ତୁହାକୁ ତୁହା ବର୍ଷା।

Advertisment

 ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ସୁଦୃଶଃ -ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରିଣ ଓଡ଼ିଶାରେ ଆଜି ପ୍ରବଳ ମାତ୍ରାରେ ବର୍ଷା ହେବ । ଆସନ୍ତାକାଲିଠାରୁ ଲଘୁଚାପ କ୍ଷେତ୍ର ସ୍ଥଳ ଭାଗକୁ ପ୍ରବେଶ କଲେ ଜଳୀୟ ବାଷ୍ପର ମାତ୍ରା କମିବ । ଫଳରେ ବର୍ଷାର ମାତ୍ରା କମିବ ।

ଏଥିସହ ସେ କହିଛନ୍ତି, ଆଜି ରାଜ୍ୟର ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁରରେ ବର୍ଷାର ପରିମାଣ ଅଧିକ ରହିବ ।

ଆସନ୍ତାକାଲି ଆଭ୍ୟନ୍ତରିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ୧୬ରୁ ଧୀରେ ଧୀରେ ବର୍ଷାର ପରିମାଣ କମିବ । କାରଣ ଲଘୁଚାପ କ୍ଷେତ୍ର ଛତିଶଗଡ଼ ଆଡ଼କୁ ମୁହାଁଇଲେ ଓଡ଼ିଶା ଉପରେ ତା’ ପ୍ରଭାବ କମିଯିବ। ଏହାପରେ ପୁଣି ୧୯ ତାରିଖ ପରଠୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି।

ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି। ଅଗଷ୍ଟରେ ମୌସୁମୀ ଦୁର୍ବଳ ଥିବାରୁ ବର୍ଷା ପରିମାଣ କମିଥିଲା।   ମାତ୍ର ରାଜ୍ୟରେ ଏବେ ନିଅଣ୍ଟିଆ ବର୍ଷା ପରିସ୍ଥିତି ନ ଥିବା କହିଛନ୍ତି ବୈଜ୍ଞାନିକ ଉମାଶଙ୍କର ଦାସ ।

ମାଲକାନଗିରି, କୋରାପୁଟ, ଗଞ୍ଜାମରେ ୨ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ତେଣୁ ଭୁସ୍ଖଳନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିସହ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ  ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି।

ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡିର ଏମ୍‌. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି
କଣ୍ଟାମାଳରେ ୧୫୮, କେନ୍ଦ୍ରାପଡ଼ାରେ ୧୩୨.୪ ମିମି, ଝାରସୁଗୁଡ଼ାରେ ୭୬.୮, ଭୁବନେଶ୍ୱରରେ ୫୫ ମିମି ବର୍ଷା ରେକର୍ଡ କରାଯାଇଛି। ସୁଦୃଶ୍ୟ ଲଘୁଚାପ ଛତିଶଗଡ଼ ଆଡ଼କୁ ଯାଉଥିବାରୁ ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ଜଳସ୍ତର ବଢ଼ିପାରେ ବୋଲି କହିଛି ପାଣିପାଗ ବିଭାଗ । 

ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।  ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି।   

Heavy Rain Low Pressure