Advertisment

ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ ରହିବାକୁ ଆଇଏମ୍‌ଡି ଡିଜିଙ୍କ ପରାମର୍ଶ

ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାର ନିକଟବର୍ତ୍ତୀ ଯେଉଁ ସମୁଦ୍ର ରହିଛି, ସେଠାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଉପକୂଳିଆ ଅଞ୍ଚଳରେ କୋହଲିଆ ବା ଝଙ୍କାଳିଆ ପବନ ହୋଇପାରେ।

author-image
Jitendra Garnayak
ଅଦ୍ୟତନ ହୋଇଛି
IMD DG

IMD DG

ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ। ଓଡ଼ିଶାରେ ଏହି ବାତ୍ୟାର ସେପରି କିଛି ପ୍ରଭାବ ନ ପଡ଼ିଲେ ବି ପୂଜା ପେଣ୍ଡାଲ ଗୁଡ଼ିକ ପ୍ରଭାବିତ ହୋଇପାରନ୍ତି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମ୍‌ଡି ଡିଜି।

Advertisment

ସେ କହିଛନ୍ତି ଯେ ଆଜି ସନ୍ଧ୍ୟା ପାଖାପାଖି ଗଭୀର ଅବପାତ ସାଇକ୍ଲୋନିକ୍ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେବାର ପୂର୍ବନୁମାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହା ଯେତେବେଳେ ଉତ୍ତର ବଙ୍ଗୋପସାଗରରେ ରହିଥିବ ପ୍ରତିକୂଳ ବାତାବରଣ ହେତୁ ଦୁର୍ବଳ ହୋଇଯିବ। ୨୫ ତାରିଖ ସଂଧ୍ୟାରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ। ଖେପୁପଡ଼ା-ଚିଟାଗଙ୍ଗ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇସାରିଥିବ। ଦୁର୍ବଳ ହୋଇ ଏହା ଗଭୀର ଅବପାତ ଭାବେ ସ୍ଥଳଭାଗ ଛୁଇଁବ।

ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହାର ପ୍ରଭାବରେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ସାମାନ୍ୟ ଧରଣର ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ ସର୍ବାଧିକ ୧୫ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ଓ ଆସନ୍ତାକାଲି ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅର୍ଥାତ୍ ଜଗତସିଂହପୁର ଠାରୁ ଆରମ୍ଭ କରି ବାଲେଶ୍ୱରର ଉପକୂଳିଆ ଅଞ୍ଚଳରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁ ବିଶେଷ କିଛି ଅସୁବିଧାର ହେବାର ସମ୍ଭାବନା ନାହିଁ।

Advertisment

ସେ କହିଛନ୍ତି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ ଯେଉଁ ପବନ ପ୍ରବାହିତ ହେଉଛି, ତା’ର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିଛି। ଯେତେବେଳେ ଘୂର୍ଣ୍ଣିବାତ୍ୟା ଉତ୍ତର-ଉତ୍ତରପୂର୍ବକୁ ଗତି କରିବ, ସେତେବେଳେ ଉତ୍ତର ଓଡ଼ିଶା ଉପକୂଳର ଅଧିକ ନିକଟତର ହେବ। ତେଣୁ ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାର ନିକଟବର୍ତ୍ତୀ ଯେଉଁ ସମୁଦ୍ର ରହିଛି, ସେଠାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଉପକୂଳିଆ ଅଞ୍ଚଳରେ କୋହଲିଆ ବା ଝଙ୍କାଳିଆ ପବନ ହୋଇପାରେ। ୨୪ ତାରିଖରେ ସବୁଠୁ ଅଧିକ ପବନ ହେବ। ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫ କିମି ରହିପାରେ। ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ କମ୍ ରହିବ। ଏହି ପବନରେ ମଧ୍ୟ ବିଶେଷ କିଛି କ୍ଷୟକ୍ଷତି ହେବାର ସମ୍ଭାବନା ନାହିଁ। କିନ୍ତୁ ଉପକୂଳିଆ ଅଞ୍ଚଳରେ ଯେଉଁ ପୂଜା ପେଣ୍ଡାଲ ଗୁଡ଼ିକ ଭଲ ଭାବରେ ତିଆରି ହୋଇ ନଥିବ, ସେଗୁଡ଼ିକ ହୁଏତ ପ୍ରଭାବିତ ହୋଇପାରନ୍ତି। ତେଣୁ ଲୋକମାନେ ସାବଧାନ ରହିବା ଉଚିତ୍। ଅନ୍ୟ ଅଞ୍ଚଳଗୁଡ଼ିକରେ ପବନର ବେଗ ଅଧିକ ରହିବ ନାହିଁ।

Weather Report Cyclone Update Cyclone Weather Update Weather News