ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବୃଷ୍ଟିପାତର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ୨୫ ତାରିଖ ମଧ୍ୟାହ୍ନ ଯାଏଁ କେତେକ ଜିଲ୍ଲାରେ କୋହୋଲା ପାଗ ରହିବ। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ୨୬ ତାରିଖରୁ ପାଗ ବଦଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେପଟେ ଦେଖିବାକୁ ଗଲେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି। ଆଉ କେତେ ସ୍ଥାନରେ କୁହୁଡି ମଧ୍ୟ ଦେଇଛି। ଯେଉଁଥିପାଇଁ ଯିବାଆସିବାରେ ବ୍ୟାଘାତ ଘଟିଛି। ଦେଖିବାକୁ ଗଲେ ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଠାରେ ରେକର୍ଡ କରାଯାଇଛି। ସେଠାରେ ୪୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଭୁବନରେ ୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୫.୧ ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ ୩.୮ ମିଲିମିଟର ହୋଇଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।
📌#୨୫ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର #ବର୍ଷା ସମ୍ଭାବନା
— Meteorological Centre, Bhubaneswar (@mcbbsr) January 22, 2024
📌ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ହେତୁ ୨୩ ଏବଂ ୨୪ ରେ #ବୃଷ୍ଟିପାତ ର ପ୍ରଭାବ ବୃଦ୍ଧି ସମ୍ଭାବନା
📌୨୫ ମଧ୍ୟାହ୍ନ ଯାଏଁ କିଛି ଜିଲ୍ଲାରେ କୋହୋଲା ପାଗ
📌୨୬ ରୁ ବଦଳିବ ପାଗ
ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଜାନୁଆରୀ ୩୧ ଯାଏଁ ରାଜ୍ୟରେ ଥଣ୍ଡାରେ ଲାଗିବନି ବ୍ରେକ। ଓଡ଼ିଶା ଉପରକୁ ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ରହୁଛି। ଯେଉଁଥିରେ ଓଡ଼ିଶା ମଧ୍ୟକୁ ମଏଶ୍ଚର ଓ ପଲ୍ୟୁସନ ଆସୁଛି। ଯାହା ବାୟୁମଣ୍ଡଳ ଉପରି ଭାଗରେ ରହୁଛି। ସେହିପରି ଆରବ ସାଗର ଓ ବଙ୍ଗୋପସାଗରରୁ ସେଣ୍ଟ୍ରାଲ ଇଣ୍ଡିଆ ଏବଂ ଓଡ଼ିଶା ମଧ୍ୟକୁ ପ୍ରବାହିତ ବାୟୁ ଓଡ଼ିଶାର ତଳ ଭାଗରେ ରହୁଛି। ଯେଉଁଥିରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ଓଡ଼ିଶାକୁ ଆସୁଛି। ଓଡ଼ିଶାର ବାୟୁମଣ୍ଡଳର ଉପରି ଭାଗରେ କୁଲିଂ ଓ ତଳ ଭାଗରେ ଜଳୀୟବାଷ୍ପ ମିଶିବା ଦ୍ୱାରା ରାଜ୍ୟରେ ଥଣ୍ଡା ସହ କୋହଲା ପାଗ ରହୁଛି। କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେବେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସକାଳ ସମୟରେ କୁହୁଡି ଓ ରାତିରେ ତାପମାତ୍ରା ହ୍ରାସ ହେବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।