Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଛେଚିବ

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

author-image
Niharika Rout
Rain

Rain

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଲା । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Advertisment

ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସୋନପୁର, ବୌଦ୍ଧ, ଅନୁଗୋଳ,ଢେଙ୍କାନାଳ, କଟକ, ନୟାଗଡ଼,ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସେହିପରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଓ ସମ୍ୱଲପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହାଛଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୭ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡ ଜିଲ୍ଲା ଲାଞ୍ଜିଗଡରେ ୧୫୬.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ୧୨୮ ମିମି ବର୍ଷା, ମାଲକାନଗିରିର ଚିତ୍ରାକୁଣ୍ଡରେ ୧୧୭ ମିମି ବର୍ଷା, ବରଗଡ଼ ଜିଲ୍ଲାର ଅତାବିରାରେ ୧୧୬ମିମି ବର୍ଷା, କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୧୪ମିମି ବର୍ଷା ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୧୦୨ମିମି ବର୍ଷା ରେକର୍ଡ କରାଯାଇଛି।

 ଗତ ୪ ଦିନ ହେଲାଣି ଲାଗି ରହିଥିବା ଲଗାଣ ବର୍ଷା ହେତୁ କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରାସ୍ତାରେ ପାହାଡ଼ରୁ ମାଟି ଅତଡା ଖସିଛି । ରାସ୍ତା ଉପରେ ଗଛ ଓ ମାଟି ପଡିଯିବାରୁ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଥିଲା । ପରେ ମାଟି ଓ ଗଛ ସଫା କରିବା ପରେ ଚଳାଚଳ ସ୍ୱାଭାବିକ ହୋଇଛି।

ସେପଟେ ଲମତାପୁଟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ରାସ୍ତା ଉପରେ ପାଣି ଚାଲୁଛି । ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଅନକାଡେଲି ସ୍ଥିତ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗିଯାଇଛି । ବିଦ୍ୟାଳୟ ଭିତରେ ଆଣ୍ଠୁଏ ପାଣି ପଶିଯାଇଛି ।

Heavy Rain Low Pressure Bay Of Bengal