Advertisment

ଅବିଶ୍ରାନ୍ତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ; ଟ୍ରେନ୍‌ ଅଟକିଲା, ଘରେ ପଶିଲା ପାଣି

ଲଗାଣ ବର୍ଷା ଯୋଗୁ ୱାଲଟିୟର ଡିଭିଜନର ଟିକିରି-ଲାଲିଗୁମ୍ମା ଟ୍ରେନ ଲାଇନ ଉପରେ ଗଛ ଓ ପଥର ପଡିଛି। ଯେଉଁଥିପାଇଁ ସେହି ରୁଟରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

author-image
Manoranjan Sial
Train Track

Train Track

ତାଣ୍ଡବ ରଚୁଛି ଲଘୁଚାପ ଜନିତ ଲଗାଣ ବର୍ଷା। କେଉଁଠି ଟ୍ରେନ୍ ଲାଇନ୍ ଉପରେ ଗଛ ପଡ଼ି ରେଳସେବା ପ୍ରଭାବିତ ହୋଇଛି ତ ଆଉ କେଉଁଠି ପାହାଡ଼ ଧସି ଗମନାଗମନ ଠପ୍ ହୋଇଯାଇଛି। କିଛି ସ୍ଥାନରେ ଘରେ ଘରେ ପାଣି ପଶିଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି। ଆଗକୁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଓ ବ୍ୟାପକ କ୍ଷତିର ଆଶଙ୍କା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ।

Advertisment

ଲଗାଣ ବର୍ଷା ଯୋଗୁ ୱାଲଟିୟର ଡିଭିଜନର ଟିକିରି-ଲାଲିଗୁମ୍ମା ଟ୍ରେନ ଲାଇନ ଉପରେ ଗଛ ଓ ପଥର ପଡିଛି। ଯେଉଁଥିପାଇଁ ସେହି ରୁଟରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆଜି ଅପରାହ୍ନ ସୁଦ୍ଧା ୨ଟି ଟ୍ରେନକୁ ବାତିଲ୍‌ କରାଯାଇଥିବା ବେଳେ ଆଉ ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ପ୍ରାୟ ୪ ଦିନ ହେଲା, ଲଗାଣ ବର୍ଷା ଯୋଗୁ ବେହାଲ ହୋଇଥିବା କୋରାପୁଟ ଜିଲ୍ଲାରେ ସାଂଘାତିକ ପ୍ରଭାବିତ ହୋଇଛି ଜନଜୀବନ। ଅବିଶ୍ରାନ୍ତ ବର୍ଷା ଯୋଗୁ ୫ଟି ବ୍ଲକରେ ୧୦ଟି ବାସଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ଲହଡ଼ି ମାରୁଛି ବର୍ଷା ପାଣି। ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ୍‌ ହୋଇଯାଇଛି। ସେପଟେ ମାଛକୁଣ୍ଡ ବିଦ୍ୟୁତ କେନ୍ଦ୍ରକୁ ଲମ୍ବିଥିବା ରାସ୍ତା ଉପରେ ମାଟି ଧସିଥିବା ବେଳେ ଅନକାଡେଲି ପ୍ରାଥମିକ ସ୍କୁଲ ପାଚେରୀ ଭାଙ୍ଗିଯାଇଛି।

Advertisment

କେବଳ ନବରଙ୍ଗପୁର କି କୋରାପୁଟ ନୁହେଁ। ରାୟଗଡ଼ା, ଗଜପତି, କଳାହାଣ୍ଡି ଜିଲ୍ଲାରେ ତାଣ୍ଡବ ରଚିଛି ଲଘୁଚାପ ଜନିତ ବର୍ଷା। ରାୟଗଡ଼ା ରାଉଳି ରେଳଷ୍ଟେସନ ନିକଟରେ ମାଟି ଅତଡ଼ା ଖସି ଟ୍ରେନ୍‌ ସେବା ପ୍ରଭାବିତ ହୋଇଥିଲା। ସେପଟେ କାଶୀପୁର ବ୍ଲକର ଟିକିରି ଲାଞ୍ଜିଗଡ଼ ସାହିରେ ଘର ଭିତରେ ବନ୍ୟା ଜଳ ପଶିଯାଇଛି। ସେହିପରି ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ସଂଗୀନ ହୋଇପଡ଼ିଛି। ପାହାଡ଼ ଧସି କୁଜାସିଂ-ଅଜୟଗଡ ରାସ୍ତା ଅବରୋଧ ରହିବା ସହ କୁଜାସିଂ ପଞ୍ଚାୟତର ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Heavy Rain