Advertisment

ଲୁଚକାଳି ଖେଳୁଛି ମୌସୁମୀ, ଆଗକୁ ବଢ଼ୁନି

ଆଜି ବୌଦ୍ଧ, ବାରିପଦା, ସୋନପୁର ଓ ନୂଆପଡ଼ା ଆଦି ଅଞ୍ଚଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି।

author-image
Jitendra Garnayak
monsoon

monsoon

ସପ୍ତାହେରୁ ଅଧିକ ଦିନ ତଳୁ ଓଡ଼ିଶା ଛୁଇଁ ସାରିଲାଣି ମୌସୁମୀ ବାୟୁ। ଏହା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବା ସହିତ ଓଡ଼ିଶା ଛୁଇଁଥିଲା। ତେଣୁ ଲୋକେ ଭାବିଥିଲେ ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ। କିନ୍ତୁ ଏଯାଏଁ ରାଜ୍ୟରେ ମୌସୁମୀ ବାୟୁର ସେମିତି କିଛି ପ୍ରଭାବ ଦେଖିବାକୁ ମିଳିନାହିଁ। ଖରା, ଗରମ ଓ ଗୁଳୁଗୁଳି ଜାରି ରହିଛି। ଓଡ଼ିଶା ଛୁଇଁବା ପରେ ଆଉ ଆଗକୁ ଅଗ୍ରସର ହେଉନି ମୌସୁମୀ ବାୟୁ। ଏମିତି ସ୍ଥିତି ଆଉ ଦୁଇ ଦିନ ଲାଗି ରହିବ। ଆସନ୍ତା ୧୮ ତାରିଖ ଯାଏ ପାଗରେ କୌଣସି ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ଅନୁଭୂତ ହେବ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

Advertisment

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ ୪-୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ଓ ୧୯ ତାରିଖ ଆଡକୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ। ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ୟାଜପୁର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର Xରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ବୌଦ୍ଧ, ବାରିପଦା, ସୋନପୁର ଓ ନୂଆପଡ଼ା ଆଦି ଅଞ୍ଚଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସେହିପରି ବରଗଡ଼, ସମ୍ବଲପୁର, ରାଉରକେଲା, ସୁନ୍ଦରଗଡ଼, ନୟାଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ କେନ୍ଦୁଝରଗଡ଼ ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହିପାରେ। 

Advertisment
Monsoon Heat Wave Monsoon Update News