Advertisment

ଏଥର ସଅଳ ଆସିଲା ମୌସୁମୀ

ଚଳିତ ବର୍ଷ କେରଳକୁ ମଧ୍ୟ ମୌସୁମୀ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଛୁଇଁ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

author-image
Hemant Lenka
Monsoon

Monsoon

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ସଅଳ ଆସି ଯାଇଛି। ୨୦୨୪ ତୁଳନାରେ ଏଥର ମୌସୁମୀ ୬ ଦିନ ଆଗରୁ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଆଣ୍ଡାମାନରେ ପ୍ରବେଶ କରିଛି। ମୌସୁମୀ ଗତିକୁ ବଳ ଯୋଗାଇବା ପାଇଁ ଏବେ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ତେଣୁ ଚଳିତ ବର୍ଷ କେରଳକୁ ମଧ୍ୟ ମୌସୁମୀ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଛୁଇଁ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

Advertisment

ପାଣିପାଗ ବିଭାଗ କହିଛି, “ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳରେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ସମୁଦ୍ର ଉପରେ ରହିବା ସହ ଆଗକୁ ବଢ଼ିବ। ଦକ୍ଷିଣ ଆରବ ସାଗର, ମାଳଦ୍ୱୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସଗାରର ଆଉ କିଛି ଅଂଶ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସଂପୂର୍ଣ୍ଣ ଅଞ୍ଚଳ, ଆଣ୍ଡାମାନ ସାଗରର ବାକି ଅଂଶ ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଛୁଇଁବ ମୌସୁମୀ। ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି।”

ମୌସୁମୀ ଏଥର ସଅଳ ଆସିଥିଲେ ହେଁ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବରୁ ହିଁ ପାଣିପାଗ ବିଭାଗ ସ୍ପଷ୍ଟ କରି ସାରିଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏବେ ମୌସୁମୀ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ। ଏବେ ସ୍ଥିତି ଯାହା ମୌସୁସୀ ଜୁନ ୧ ପୂର୍ବରୁ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ସମ୍ଭବତଃ ଏହା ମେ’ ୨୭ରେ କେରଳ ଛୁଇଁପାରେ।

Advertisment

୭ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ମୌସୁମୀ କେବେ ହେଲେ ଏତେ ଶୀଘ୍ର ସ୍ପର୍ଶ କରି ନଥିଲା। କିନ୍ତୁ ଏଥର ମୌସୁମୀ ଗତବର୍ଷ ତୁଳନାରେ ୬ ଦିନ ଆଗୁଆ ଆସିଛି। ଆଇଏମଡିର ସୂଚୀରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗରକୁ ମୌସୁମୀ ସାଧାରଣତଃ ମେ’ ୧୯ରେ ଛୁଇଁ ଥାଏ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ପୋର୍ଟ ବ୍ଲେୟାରକୁ ଏହା ମେ’ ୨୧ରେ ସ୍ପର୍ଶ କରିଥାଏ।

କିନ୍ତୁ ସୋମବାର ଠାରୁ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇ ଚାଲିଥିଲା। ଦୁଇ ଦିନ ହେଲା ଏଠାରେ ଲଗାଣ ବର୍ଷା ଜାରି ରହିଥିବାରୁ ମୌସୁମୀ ଏହାକୁ ଛୁଇଁ ସାରିଥିବା ଆଇଏମଡି କହିଛି।

୨୦୧୪ରେ ମୌସୁମୀ ଏଠାକୁ ମେ’ ୧୯ରେ ଆସିଥିବା ବେଳେ ୨୦୨୩ରେ ମଧ୍ୟ ମେ’ ୧୯ରେ ସ୍ପର୍ଶ କରିଥିଲା। ୨୦୨୨ରେ ମେ’ ୧୬, ୨୦୨୧ରେ ମେ’ ୨୧, ୨୦୨୦ରେ ମେ’ ୧୭ ଓ ୨୦୧୯ରେ ମେ’ ୧୮ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ଏଠାରେ ନିଜର ଉପସ୍ଥିତି ଜାହିର କରିଥିଲା।

Monsoon IMD Monsoon Forecast