Advertisment

୧୬ ବର୍ଷ ମଧ୍ୟରେ ପ୍ରଥମ: କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁବାର ୭ରୁ ୧୦ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଅର୍ଥାତ ଏଥର ଓଡ଼ିଶାକୁ ମଧ୍ୟ ମୌସୁମୀ ସ୍ୱାଭାବିକ ସମୟ ପୂର୍ବରୁ ସ୍ପର୍ଶ କରିବ।

author-image
Hemant Lenka
ଅଦ୍ୟତନ ହୋଇଛି
Kerala

Kerala

କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସ୍ୱାଭାବିକ ସମୟ ଠାରୁ ମୌସୁମୀ ଏଥର ୮ ଦିନ ଆଗରୁ କେରଳ ଛୁଇଁଛି। ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଛି ଓ ମୌସୁମୀ ବର୍ଷା ମଧ୍ୟ କେରଳରେ ଆରମ୍ଭ ହୋଇଯାଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। କେରଳରେ ମୌସୁମୀ ଏତେ ଶୀଘ୍ର ପ୍ରବେଶ କରିବା ୧୬ ବର୍ଷ ମଧ୍ୟରେ ପ୍ରଥମ ଘଟଣା। ୧୬ ବର୍ଷ ମଧ୍ୟରେ ମୌସୁମୀ କେବେ ବି ମେ’ ୨୪ ବେଳକୁ କେରଳ ଛୁଇଁ ନଥିଲା।

Advertisment

କେରଳ ଛୁଇଁବାର ୭ରୁ ୧୦ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଅର୍ଥାତ ଏଥର ଓଡ଼ିଶାକୁ ମଧ୍ୟ ମୌସୁମୀ ସ୍ୱାଭାବିକ ସମୟ ପୂର୍ବରୁ ସ୍ପର୍ଶ କରିବ। ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। କିଛି ଜିଲ୍ଲାରେ ପ୍ରାକ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ଭାରତୀୟ ପାଣିଗାପ ବିଭାଗର କହିବା କଥା ଯେ କେରଳକୁ ମୌସୁମୀ ସକ୍ରିୟ ହେବା ପାଇଁ ପାଗ ପୂରା ଅନୁକୂଳ ରହିଛି। ଦୁଇ ଦିନ ହେଲାଣି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ଗୋଟିଏ ଲଘୁଚାପ କ୍ଷେତ୍ର ଓ ମୌସୁମୀ ପାଇଁ ଏପରି ବର୍ଷା ହେଉଛି। କେରଳକୁ ମୌସୁମୀ ୨୦୦୯ ଓ ୨୦୦୧ରେ ମେ’ ୨୩ରେ ଛୁଇଁ ଥିଲା। ଏବେ ୧୬ ବର୍ଷ ପରେ ମେ’ ୨୪ରେ ମୌସୁମୀ କେରଳକୁ ଛୁଇଁଛି। 

Advertisment

ସାଧାଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ। କିନ୍ତୁ ୧୯୧୮ରେ କେରଳରେ ମୌସୁମୀ ମେ’ ୧୧ ବେଳକୁ ଚାଲି ଆସିଥିଲା। ସେହିପରି ୧୯୭୨ରେ ମୌସୁମୀ ସବୁଠାରୁ ବିଳମ୍ବ ଅର୍ଥାତ ଜୁନ ୧୮ରେ କେରଳକୁ ସ୍ପର୍ଶ କରିଥିଲା। ବିଗତ ୨୫ ବର୍ଷକୁ ବିଚାରୁ ନେଲେ ମୌସୁମୀ ୨୦୧୬ରେ ସବୁଠାରୁ ବିଳମ୍ବ ଅର୍ଥାତ ଜୁନ ୯ରେ କେରଳରେ ପ୍ରବେଶ କରିଥିଲା।

ଭାରତୀୟ ପାଣିପାଗ ବିଭିନ୍ନ ପ୍ରାନ୍ତରେ ପାଣିପାଗ କେମିତି ରହିବ, ତା’ର ମଧ୍ୟ ପୂର୍ବାନୁମାନ କରିଛି। କେରଳ, ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକା, କୋଙ୍କଣ ଓ ଗୋଆରେ ଆଜି ପ୍ରବଳ ବର୍ଷା ହେବ। ମେ’ ୨୯ ଯାଏ କେରଳ ଓ କର୍ଣ୍ଣାଟକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଆଗାମୀ ୫ ଦିନ ଯାଏ କାଳବୈଶାଖୀର ଆଶଙ୍କା ରହିଛି।

ଦକ୍ଷିଣ କୋଙ୍କଣର ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଗୋଟିଏ ଅବପାତ ସୃଷ୍ଟି ହୋଇଛି। ଏହା ଏବେ ରତ୍ନଗିରି ଠାରୁ ଉତ୍ତର ପଶ୍ଚିମ ଦିଗରେ ୪୦ କିମି ଦୂରରେ କେନ୍ଦ୍ରୀଭୂତ। ଏହା ପୂର୍ବ ଦିଗରକୁ ଗତି କରି ରତ୍ନଗିରି ଓ ଡାପୋଲି ଉପକୂଳ ଅତିକ୍ରମ କରିବ। ଏଥିଯୋଗୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ।

ଗୋଆ ପାଇଁ ଭାରତୀୟ ପାଣିପାଗ ବିଭାଗ ରେର୍ଡ ଆଲର୍ଟ ଜାରି କରିଛି। ରବିବାର ଯାଏ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ଲୋକଙ୍କ ଜଳାଶୟରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। ୨୪ ଘଣ୍ଟା ଧରି ଗୋଆର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦକ୍ଷିଣ ଦିଲ୍ଲୀ ଓ ଏନସିଆରରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ରାଜସ୍ଥାନର କିଛି ଅଂଶରେ ଆଜି ମଧ୍ୟମ ଧରଣର ବର୍ଷା ହୋଇପାରେ।

ପଶ୍ଚିମବଙ୍ଗ, ସିକ୍କିମ, ମଧ୍ୟପ୍ରଦେଶ, ବିର୍ଦ୍ଦଭା, ଛତିଶଗଡ଼, ଓଡ଼ିଶା ଓ ବିହାରରେ ୨୪ରୁ ୨୬ ଯାଏ ବର୍ଷା ହେବ।

Monsoon Kerala