Advertisment

ମାଆ କୋଳକୁ ଆସିଲେ ‘ଦାନା’

ଚାନ୍ଦବାଲି ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ ପାଣିଝରିଆ ଗାଁର ପ୍ରସୂତି ମହିଳା ହେମ ଲତା ନାଥ, ଚରଦିଆ ଗ୍ରାମର ଲିଜା ରାଣୀ ମାଝୀ ଓ ଚାନ୍ଦବାଲି ଅଞ୍ଚଳର ପ୍ରେମ ଲତା ସାମଲ। ସମସ୍ତେ ଗୁରୁବାର ବାତ୍ୟା ଲ୍ୟାଣ୍ଡଫଲ୍‌ ସମୟରେ ପ୍ରସବ କରିଥିଲେ।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ମାଆ କୋଳକୁ ଆସିଲେ ‘ଦାନା’। ବୋଧହୁଏ ଭାବୁଥିବେ ବାତ୍ୟା ‘ଦାନା’। ନା, ଇଏ ସେହି ବାତ୍ୟା ‘ଦାନା’ ନୁହେଁ, ଯିଏ ଭୟଙ୍କର ରୂପ ଧରି ନଷ୍ଟଭ୍ରଷ୍ଟ କରି ଚାଲିଛି। ଇଏ ହେଉଛି ଆମ କୁନିପୁଅ ‘ଦାନା’। ବାତ୍ୟା କରାଳ ରୂପ ଭିତରେ ମେଡିକାଲ୍‌ ବେଡ୍‌ରେ ମାଆଙ୍କ କୋଳମଣ୍ଡନ କରିଛି। ଆଉ ଗର୍ଭ ଯନ୍ତ୍ରଣା ଭିତରେ ମାଆ ଓଠରେ ଦେଇଛି କେଞ୍ଚାଏ ହାସ। ଯିଏ ବଢ଼ିଲେ ବୃଦ୍ଧା ଅବସ୍ଥାରେ ବାପା-ମାଆଙ୍କ ପେଟକୁ ‘ଦାନା’ ଯୋଗାଇବ। ସେଥିପାଇଁ ବାପା-ମାଆ ତା’ ନାଁ ଦେଇଛନ୍ତି ‘ଦାନା’। ଇଏତ ଗଲେ ‘ଦାନା’, ଆହୁରି ମଧ୍ୟ ମେଡ଼ିକାଲ୍‌ ବେଡ୍‌ରେ ଥିବା ବେଳେ ମାଆ କୋଳକୁ ଆସିଛନ୍ତି ‘ଦାନବୀର’ ଓ ‘ଦାନବ’। ବାତ୍ୟାର ବୀଭିଷିକା ଭିତରେ ଏମିତି ଭଲ ଖବର ଆସିଛି ଭଦ୍ରକ ଜିଲ୍ଲାରୁ।

Advertisment

ଧାମନଗର ବ୍ଲକ୍‌ ରଇପୁର ପଞ୍ଚାୟତ କଣ୍ଟିକା ଗାଁର ଶୁଭ ମଲ୍ଲିକ ଗର୍ଭବତୀ ଥିଲେ। ବାତ୍ୟା ‘ଦାନା’ ଆସୁଥିବାରୁ ତାଙ୍କୁ ଧୂଷୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଥିବା ବେଳେ ଗୁରୁବାର ରାତିରେ ସେ ପ୍ରସବ ବେଦନା ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ସେଠାରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଶୁଭ। ପ୍ରସବ ପରେ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ପରିବାର ଲୋକ ପୁଆର ନାଁ ରଖିଥିଲେ ‘ଦାନା’। ବଢ଼ିଗଲେ ବୃଦ୍ଧ ବାପା-ମାଆଙ୍କ ପେଟକୁ ଦାନା ଯୋଗାଇବେ। ସେଥିପାଇଁ ପରିବାର ଲୋକ ପୁଅର ନାଁ ରଖିଛନ୍ତି ‘ଦାନା’।

ଠିକ୍‌ ସେମିତି ବାତ୍ୟା ପୂର୍ବରୁ ଚାନ୍ଦବାଲି ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ ପାଣିଝରିଆ ଗାଁର ପ୍ରସୂତି ମହିଳା ହେମ ଲତା ନାଥ, ଚରଦିଆ ଗ୍ରାମର ଲିଜା ରାଣୀ ମାଝୀ ଓ ଚାନ୍ଦବାଲି ଅଞ୍ଚଳର ପ୍ରେମ ଲତା ସାମଲ। ସମସ୍ତେ ଗୁରୁବାର ବାତ୍ୟା ଲ୍ୟାଣ୍ଡଫଲ୍‌ ସମୟରେ ପ୍ରସବ କରିଥିଲେ। ମେଡିକାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହେମଲତା ପୁଅଟିଏ ଜନ୍ମ ଦେଇଥିଲେ। ବାତ୍ୟା ସମୟରେ ପୁଅ ଜନ୍ମ ହୋଇଥିବାରୁ ନାଁ ରଖିଥିଲେ ଦାନବୀର ହରିଶ୍ଚନ୍ଦ୍ର ନାଥ।

Advertisment

ଚାନ୍ଦବାଲି ଅଞ୍ଚଳର ପ୍ରେମ ଲତା ସାମଲ ୨ ଝିଅଙ୍କ ପରେ ଗୁରୁବାର ରାତି ପ୍ରସବ କରିଥିଲେ ପୁଅଟିଏ। ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ସମୟରେ ପୁଅ ଜନ୍ମ ହୋଇଥିବାରୁ ପରିବାର ଲୋକେ ତା’ ନାଁ ରଖିଥିଲେ ‘ଦାନବ’। ଅର୍ଥା ତା’ ପୂରା ନାଁ ହେଉଛି ଦାନବ ସାମଲ। ସେହିପରି ଚରଦିଆ ଗାଁର ଲିଜା ରାଣୀ ମାଝୀ ନିଜ ପୁଅର ନାଁ ‘ଦାନବ’ ମାଝୀ ରଖିଛନ୍ତି। ଏବେ ସବୁ ପିଲା ସୁସ୍ଥ ଅଛନ୍ତି। ଆଉ ମାଆଙ୍କ କୋଳ ମଣ୍ଡନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାତ୍ୟା ପୂର୍ବରୁ ପ୍ରଶାସନ ୩୫ ଜଣ ଗର୍ଭବତୀଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ମେଡ଼ିକାଲ୍‌ରେ ଥିବା ବେଳେ ୪ ଜଣ ମହିଳା ପିଲା ଜନ୍ମ କରିଥିଲେ।ଏବେ ମଧ୍ୟ ସମସ୍ତେ ମେଡିକାଲ୍‌ରେ ଥିବା ଜଣାପଡ଼ିଛି।

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Bhadrak Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe