Advertisment

‘କମୁଛି ଜଳସ୍ତର, ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’

ରାଜ୍ୟରେ ଏବେ ଆଉ ବର୍ଷା ନ ଥିବାରୁ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସିଷ୍ଟମ ବିପଦ ସଙ୍କେତ ତଳେ ରହିଛି।

author-image
Niharika Rout
EIC

EIC

ରାଜ୍ୟରେ ଏବେ ଆଉ ବର୍ଷା ନ ଥିବାରୁ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସିଷ୍ଟମ ବିପଦ ସଙ୍କେତ ତଳେ ରହିଛି। କେବଳ ହଦଗଡ଼ ଡ୍ୟାମ୍‌କୁ ଛାଡ଼ି ଦେଲେ ଆଉ କେଉଁଠି ବି ଜଳସ୍ତର ବିପଦସଙ୍କେତ ଉପରେ ନାହିଁ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଏପରି ବୟାନ ପରେ ବନ୍ୟା ଆଶଙ୍କାରେ ଭୟଭୀତ ହୋଇ ରହିଥିବା ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି।

Advertisment

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି କହିଛନ୍ତି, ଲଗାଣ ବର୍ଷା ଥମି ଯାଇଥିବାରୁ ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସିଷ୍ଟମ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। କୌଣସି ସ୍ଥାନରେ ସେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି’। ମୁଣ୍ଡଳିରେ ୭ ଲକ୍ଷ ତଳକୁ ଖସିଲାଣି ଜଳପ୍ରବାହ । ସେଠାରେ ଏବେ ୬ ଲକ୍ଷ ୯୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବାରୁ ଆଉ ସେପରି କିଛି ବିପଦ ନାହିଁ।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳସ୍ତର ବଢ଼ିଥିବା ବେଳେ ୨ଟି ସ୍ଥାନରେ ଘାଇ ହୋଇଥିବା ସୂଚନା ମିଳିଛି। ସେଥି ମଧ୍ୟରୁ ଯାଜପୁର ଜିଲ୍ଲାର ରସୁଲପୁରରେ ୧୦ ଫୁଟର ଛୋଟ ଘାଇ ସୃଷ୍ଟି ହୋଇଥିବା ବେଳେ ଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ତେରମାଣପୁରରେ ୨୦ ଫୁଟର ଘାଇ ହୋଇଛି। ପାଣି କମିଲେ ତୁରନ୍ତ ତାହାର ମରାମତି କରାଯିବ । କେନ୍ଦ୍ରାପଡ଼ା ତଳିଆ ଅଞ୍ଚଳରେ ଆଜି ଅପରାହ୍ନରେ ବନ୍ୟା ଜଳ ପିକ୍‌ ପାସ୍‌ କରିବ ବୋଲି ସେ କହିଛନ୍ତି।

Advertisment

ଏଥିସହ କହିଛନ୍ତି, ଏବେ ଆଉ ବର୍ଷା ନ ଥିବା ବେଳେ ଖଇରମାଳରେ ୩ ଲକ୍ଷ ୪୦ ହଜାର କ୍ୟୁସେକ ପାଖାପାଖି ପାଣି ରହିଛି। ବରମୂଳରେ ୩ ଲକ୍ଷ ୬୬ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦ ତଳିଆ ଅଞ୍ଚଳରେ ବର୍ଷା ନ ଥିବା ବେଳେ ଉପରମୁଣ୍ଡରେ ସାମାନ୍ୟ ବର୍ଷା ହୋଇଛି। ମାତ୍ର ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷା ପାଇଁ ଡ୍ୟାମ ଭିତରକୁ ୪ ଲକ୍ଷ ୭୦ ହଜାର କ୍ୟୁସେକ ପାଖାପାଖି ବନ୍ୟା ଜଳ ପ୍ରବେଶ କରୁଛି। ହୀରାକୁଦର ୨ଟି ଗେଟ୍‌ ଖୋଲାଥିବା ବେଳେ ମାତ୍ର ୬୯ ହଜାର କ୍ୟୁସେକ ପାଣି ବାହାରୁଛି।

ତେଣୁ ହୀରାକୁଦରେ ଏବେ ଜଳସ୍ତର ବଢ଼ୁଛି। ବନ୍ୟା ପରିସ୍ଥିତିକୁ ଦେଇ ହୀରାକୁଦ ଗେଟ୍‌ ଏଯାଏ ଖୋଲି ନ ଥିଲୁ। ମାତ୍ର ବନ୍ୟା ଜଳ ପରିଚାଳନା କରି ଆଜି ଅପରାହ୍ନରେ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛୁ। ତେବେ କେତେ ଗେଟ୍ ଖୋଲାଯିବ, ତାହା ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ । ହୀରାକୁଦ ଗେଟ୍‌ ଖୋଲିଲେ ସେହି ପାଣି ଖଇରମାଳରେ ପହଞ୍ଚିବାକୁ ୧୨ ଘଣ୍ଟା ଲାଗିବ । ସେତେବେଳକୁ ଖଇରିମାଳରେ ଥିବା ବନ୍ୟା ପାଣି ଖସି ଯାଇଥିବ । ଖଇରବିମାଳରେ ୪ ଲକ୍ଷ କ୍ୟୁସେକ ପାଣି ରହିଲେ ମହାନଦୀ ଅବବାହିକାକୁ କୌଣସି ବିପଦ ନାହିଁ।

ଏବେ କେବଳ ହଦଗଡ଼ ଡ୍ୟାମ୍‌ କାପାସିଟି ୯୩%ରେ ପହଞ୍ଚିଲାଣି। ତେଣୁ ତାହାର ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛି। ତାହା ଭଦ୍ରକର ସାଳନ୍ଦୀ ଡ୍ୟାମକୁ ଯିବ । ବନ୍ୟା ଜଳ ଯୋଗୁ ନୟାଗଡ଼, କଟକ, ପୁରୀ, ଜଗତସିଂହପୁର ଜିଲ୍ଲାର କିଛି କିଛି ଅଞ୍ଚଳ ଜଳମଗ୍ନ ରହିଛି। ଏବେ ଏହି ସବୁ ଅଞ୍ଚଳର ବହୁ ଗାଁ ଜଳମଗ୍ନ ଥିବା ବେଳେ ସେଠାରେ ପାଣି ଖସିବାକୁ ଆଉ କିଛି ସମୟ ଲାଗିବ ।

Flood In Odisha Rain